ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ୨୦ ହଜାର ଟଙ୍କା ତଣ୍ଡ ଗଣିବେ ଓଏଫ୍‌ଡିସି ଏମ୍‌ଡି, ମେଡିକାଲ ବିଲ୍ ବାବଦ ଅର୍ଥ ସୁଧ ସହିତ ଦେବାକୁ ନ‌ିର୍ଦ୍ଦେଶ

dailyrecruitment.in

କଟକ : କର୍ମଚାରୀଙ୍କ ମେଡିକାଲ ବିଲ୍ ପ୍ରଦାନରେ ଅବହେଳା ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)ର ପରିଚାଳନା ନିର୍ଦ୍ଦେଶକ (ଏମଡି)ଙ୍କୁ ୨୦ ହଜାର ଟଙ୍କା ଦେୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ମେଡିକାଲ ଖର୍ଚ୍ଚ ବାବଦରେ ଆବେଦନକାରୀ ପାଇବାକୁ ଥିବା ଅର୍ଥ ୭ ପ୍ରତିଶତ ସୁଧ ସହିତ ତାଙ୍କୁ ନିଗମ ପ୍ରଦାନ କରିବ। ଆବେଦନକାରୀ ଚିକିତ୍ସା ପାଇଁ ନେଇଥିବା ଅଗ୍ରିମ ଅର୍ଥକୁ ବାଦ ଦେଇ ତାଙ୍କୁ ଅବଶିଷ୍ଟ ଟଙ୍କା ସୁଧ ସହିତ ୬ ସପ୍ତାହ ଭିତରେ ପ୍ରଦାନ କରାଯିବ। ଏଥି ସହିତ ନିଗମର ଆବେଦନକାରୀଙ୍କ ବିଲ ପ୍ରଦାନ ସଂପର୍କିତ ଦରଖାସ୍ତ ଖାରଜ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସତ୍ୟ ରଂଜନ ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିରଜା ପ୍ରସାଦ ଦାସ, ଏସ.କେ.କାନୁନଗୋ ଓ ଜେ.ଏସ.ମହାପାତ୍ରଙ୍କୁ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ୧୯୯୦, ଅଗଷ୍ଟ ୩୧ରେ ଓଏଫ୍‌ଡିସିରେ କନିଷ୍ଠ ସହକାରୀ ଭାବେ ଯୋଗ ଦେଇଥିଲେ। ପ୍ରଥମେ ତାଙ୍କୁ କଟକସ୍ଥିତ ଓଏଫ୍‌ଡିସି ପ୍ଲାଣ୍ଟେସନ୍ ଡିଭିଜନରେ ଅବସ୍ଥାପିତ କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବର ଓ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିଲା। ଆବେଦନକାରୀ ମାଙ୍କ ଚିକିତ୍ସା ପାଇଁ ନିଗମରୁ ୩ ହଜାର ଟଙ୍କା ମେଡିକାଲ ଖର୍ଚ୍ଚ ବାବଦ ଅଗ୍ରିମ ନେଇଥିଲେ। ଏ ନେଇ ୨୦୦୦, ସେପ୍ଟେମ୍ବର ୨୬ରେ ନିଗମ ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଇଥିଲା। ତାଙ୍କ ମା’ ହୃଦରୋଗରେ ଆକ୍ରାନ୍ତ ଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ଏସ୍‌ସିବି ମେଡିକାଲରେ ପେସ୍ ମେକର ଲଗାଯାଇଥିଲା। ଏ ବାବଦରେ ୫୧ ହଜାର ୬୦୫ ଟଙ୍କା ଖର୍ଚ୍ଚ ହୋଇଥିଲା। ମାଙ୍କ ଚିକିତ୍ସା ସମୟରେ ଆବେଦନକାରୀଙ୍କୁ ଜୟପୁର ବଦଳି କରାଯାଇଥିଲା। ତାଙ୍କ ଚିକିତ୍ସା ବାବଦ ଏସେନସିଆଲିଟି ସାର୍ଟିଫିକେଟ(ଇସି) ଡାକ୍ତର ଆବେଦନକାରୀଙ୍କୁ ୨୦୦୩, ଅକ୍ଟୋବର ୩୦ରେ ପ୍ରଦାନ କରିବା ପରେ ସେ ଏ ସଂପର୍କିତ ମେଡିକାଲ ବିଲ୍ ଓ ଇସି ୨୦୦୩, ନଭେମ୍ବର ୪ରେ ଓଏଫ୍‌ଡିସି ନିକଟରେ ଦାଖଲ କରିଥିଲେ। ତାଙ୍କ ବିଲ୍, ସାର୍ଟିଫିକେଟ ଓ ଅନ୍ୟାନ୍ୟ ନଥିପତ୍ର ବଲାଙ୍ଗୀର କମର୍ସିଆଲ ଜୋନ୍ ଓଏଫ୍‌ଡିସି ଜେନେରାଲ ମ୍ୟାନେଜର ୨୦୦୩, ନଭେମ୍ବର ୨୫ରେ ମୁଖ୍ୟ କାର୍ଯ୍ୟାଳୟକୁ ମଞ୍ଜୁର ପାଇଁ ପଠାଇଥିଲେ। ସାଢ଼େ ପାଞ୍ଚ ବର୍ଷ ପରେ ମେଡିକାଲ ବିଲ୍ ବାବଦ ଆବେଦନ ଅଗ୍ରାହ୍ୟ କରିବା ସହିତ ସେ ପୂର୍ବରୁ ନେଇଥିବା ଅଗ୍ରିମ ଅର୍ଥ ଫେରସ୍ତ ପାଇଁ ଓଏଫ୍‌ଡିସି ଏମ୍‌ଡି ନିର୍ଦ୍ଦେଶ ଦେଇଥିଲେ। ସମୟସୀମା ଭିତରେ ସେ ବିଲ୍ ଦାଖଲ କରି ନଥିବାରୁ ଏହା ଅଗ୍ରାହ୍ୟ କରାଯାଇଥିଲା। ୨୦୦୮, ଡିସେମ୍ବର ୨୩ରେ ଏହି ନିର୍ଦ୍ଦେଶନାମା ପାଇବା ପରେ ପୁନର୍ବିଚାର ପାଇଁ ଏମ୍‌ଡିଙ୍କ ନିକଟରେ ଆବେଦନକାରୀ ଦରଖାସ୍ତ କରିଥିଲେ। ବିଳମ୍ବ ପାଇଁ ସେ ଉପଯୁକ୍ତ କାରଣ ଦର୍ଶାଇଥିଲେ। ୨୦୦୯, ଜାନୁଆରି ୨୨ରେ ଆବେଦନକାରୀଙ୍କ ପୁନର୍ବିଚାର ଦରଖାସ୍ତ ଖାରଜ ହୋଇଥିଲା। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର