ରାଜନଗର: ମଝି ସମୁଦ୍ରରେ ଚାଲିଛି ମାଛହାଟ। ଯେଉଁଠି ସମୁଦ୍ର ପାଣି ଭିତରକୁ ପଶିବା ଏକ ଧର୍ତ୍ତବ୍ୟ ଅପରାଧ, ସେହି ନିଷିଦ୍ଧାଞ୍ଚଳରେ ଏହି ହାଟ ଖୋଲିଛି। ସେଠାରେ ଦୈନିକ ପ୍ରାୟ ୨୦ ଲକ୍ଷ ଟଙ୍କାର ବେପାର କରାଯାଉଛି। ଅନୁସନ୍ଧାନ ପରେ ‘ସମ୍ବାଦ’କୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବିରଳ ଅଲିଭ୍ରିଡଲେଙ୍କ ସୁରକ୍ଷା ପାଇଁ ସେଠାରେ ବନବିଭାଗର ଏକ କ୍ୟାମ୍ପ ରହିଥିବାବେଳେ କିଭଳି ମାଛ ହାଟ ଖୋଲିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷତମାମ କଟକଣା ରହିଛି। ଅଲିଭ୍ରିଡଲେଙ୍କ ପ୍ରଜନନ ସମୟରେ ନଭେମ୍ବର ୧ରୁ ମଇ ୩୧ ଅର୍ଥାତ୍ ୭ ମାସ ଧରି ଗହୀରମଥା ସମେତ ଦେବୀ ମୁହାଣରୁ ଧାମରା ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର୍ ଚଳାଚଳ ଉପରେ ବି କଡ଼ା କଟକଣା ଜାରି କରାଯାଉଛି। ଏହି କଟକଣା ସତ୍ତ୍ୱେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସୀ ଦ୍ୱୀପ ନିକଟରେ ଏହି ମାଛ ହାଟ ଖୋଲିଛି। ପାରାଦୀପ ଅଞ୍ଚଳର ୨ ଜଣ ପ୍ରଭାବଶାଳୀ ବ୍ୟକ୍ତି ଏହି ମାଛ ହାଟ ଖୋଲିଥିବା ଜଣାପଡ଼ିଛି। ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ, ଅଗରନାସୀ ଦ୍ୱୀପଠାରୁ ୧୦୦ ଫୁଟ ଦୂରରେ ୨ଟି ବୋଟ୍କୁ ଲଙ୍ଗର ପକାଇ ସ୍ଥାୟୀ ଭାବେ ରଖାଯାଇଛି। ଏହାର ୧୦୦ କିଲୋମିଟର ପରିଧିରେ ମାଛ ମାରୁଥିବା ସମସ୍ତ ବୋଟ୍, ହୁଲି ଡଙ୍ଗା ଓ ଗିଲ୍ନେଟର୍ ଏଠାକୁ ଆସି ମାଛ ବିକ୍ରି କରୁଛନ୍ତି। ଏହାପରେ ବୋଟ୍ରେ ରଖାଯାଇଥିବା ଓଜନ କଣ୍ଟାରେ ମାଛକୁ ଓଜନ କରାଯିବା ସହିତ ଗ୍ରାମେଜ୍ (ଓଜନ ଅନୁସାରେ ଦର) ଧାର୍ଯ୍ୟ କରାଯାଉଛି। ସଂଗୃହୀତ ମାଛଗୁଡ଼ିକୁ ଟ୍ରେ’ରେ ବରଫଦେଇ ପ୍ୟାକିଂ କରି ରଖାଯାଉଛି। ମାଛ ବେପାରୀମାନେ ସମୁଦ୍ର ମଝିରେ ନଗଦ ଟଙ୍କା ଦେଇ ମାଛ ନେଉଛନ୍ତି। ଆହୁରି ବି ପାରାଦୀପରୁ ଅନ୍ୟ ଏକ ବୋଟ୍ ଆସି ଏଠାରୁ ମାଛ ନେଇ ପାରାଦ୍ୱୀପ ଯାଉଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପ୍ରାୟ ୨ ବର୍ଷ ହେବ ସମୁଦ୍ର ମଝିରେ ଏହି ମାଛହାଟ ଚାଲିଛି।
ସବୁଠୁ ବଡକଥା ହେଲା ଅଲିଭ୍ରିଡ୍ଲେଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାସୀରେ ଦୁଇଟି ଅଫିସର କ୍ୟାମ୍ପ ସମେତ ୧୪ଟି ସ୍ଥାନରେ ଟ୍ରଟଲ୍ ପ୍ରୋଟେକ୍ସନ୍ କ୍ୟାମ୍ପ ଖୋଲାଯାଇଛି। ମାଛ ହାଟ ରହିଥିବା ଅଗରନାସୀଠାରେ ବି ବନବିଭାଗର ଅଫିସର୍ କ୍ୟାମ୍ପ ରହିଛି। ଏପରିସ୍ଥଳେ ୨ ବର୍ଷ ହେଲା କିଭଳି ଏହି ମାଛହାଟ ଚାଲିଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ମତ୍ସ୍ୟଜୀବୀ ‘ସମ୍ବାଦ’କୁ କହିଛନ୍ତି ଯେ, ଅଗରନାସୀ, ବରୁଣେଇ ଓ ଆଖପାଖରେ ପ୍ରତିଦିନ ୫୦ ରୁ ୭୦ଟି ବୋଟ୍, ଗିଲ୍ନେଟର, ଭୁଟୁଭୁଟି ମାଛ ମାରୁଛନ୍ତି। ମାଛ ମାରିସାରିବା ପରେ ଏବଂ ମାଛ ନେଇ ଫେରିବା ବାଟରେ ହାବୁଡରେ ପଡିଲେ ମାଛ ସବୁ ବନବିଭାଗ ନେଇଯାଇଥାଏ। ସେଥିଲାଗି ବନବିଭାଗ ସୁପାରିଶରେ ଖୋଲିଥିବା ମାଛ ହାଟରେ ଆମେ ମାଛ ଧରିସାରିବା ପରେ ମାଛ ବିକ୍ରି କରିଥାଉ।
ମାତ୍ର ଏ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି ବନବିଭାଗ କହିଛି। ଗହୀରମଥା ରେଞ୍ଜ ଅଫିସର ସୁବ୍ରତ କୁମାର ପାତ୍ରଙ୍କୁ ପଚାରିବାରୁ ଅଗରନାସୀ ଦ୍ୱୀପ ନିକଟରେ ଆମର ଅଫିସର କ୍ୟାମ୍ପ ଅଛି ସତ ଏ ସମ୍ପର୍କରେ ଆମେ ଜାଣିନାହୁଁ। କ’ଣ ହୋଇଛି ମୁଁ ଦେଖୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି।
ଅଲିଭ୍ରିଡ୍ଲେଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ବନବିଭାଗ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ ତଟରକ୍ଷୀ ବାହିନୀ, ମତ୍ସବିଭାଗ ପକ୍ଷରୁ ମଧ୍ୟ କଇଁଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କରାଯାଉଥିବା କୁହାଯାଉଛି। ଏହାବାଦ୍ ଅଲିଭ୍ରିଡ୍ଲେଙ୍କ ସୁରକ୍ଷା ପାଇଁ ନିଷିଦ୍ଧାଞ୍ଚଳରେ ମାଛଧରା, ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରିବା ପାଇଁ ସାତ ସାତଟି ଆଇନ୍ ପ୍ରଣୟନ କରାଯାଇଛି। ମାତ୍ର ଘରଢିଙ୍କି କୁମ୍ଭୀର ପରି ଏବେ ବନବିଭାଗ ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପରିବର୍ତେ କଇଁଛ ସୁରକ୍ଷା ଆଳରେ ନିଜର ବେପାରର କାୟା ମେଲାଇ ଚାଲିଛି। ଜବତ ଟ୍ରଲରକୁ ଧରି ଟ୍ରଲରରେ ଥିବା ମାଛକୁ ହେରାଫେରି କରୁଥିବାର ଗୁରୁତର ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ମଝି ସମୁଦ୍ରରେ ମାଛ ହାଟର ଅଭିଯୋଗ ବନବିଭାଗର ଅସଲ ଚେହେରାକୁ ସାମ୍ନାକୁ ଆଣିଛି।