ଲଗାଣ ବର୍ଷାରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା : ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ, ବଂଶାଧାରା କୂଳ ଲଂଘିଲା; ନାଗାବଳୀ ଓ କଲ୍ୟାଣୀ ବଢ଼ୁଛି

୫ ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ, ସଜାଗ ରହିବାକୁ ୭ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ଆହୁରି ୨୪ ଘଣ୍ଟା ବର୍ଷିବ, ସ୍ଥିତି ବିଗିଡ଼ିବ

ଭୁବନେଶ୍ବର/ମାଲକାନଗିରି/ରାୟଗଡ଼ା : ଉପକୂଳ ଅଞ୍ଚଳରେ ଫନି ବାତ୍ୟାର କ୍ଷତ ନ ଶୁଖୁଣୁ ଦକ୍ଷିଣ ଓଡ଼ିଶାରେ ଏବେ ବନ୍ୟା ସ୍ଥିତି ଉପୁଜିଛି। ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ବନ୍ୟା ବିପତ୍ତି ମାଡ଼ି ଆସିଛି। ବଂଶଧାରା କୂଳ ଲଂଘିଥିବା ବେଳେ ନାଗାବଳୀ ଓ କଲ୍ୟାଣୀ ନଦୀରେ ଜଳସ୍ତର ଲଗାତର ଭାବେ ବଢ଼ିଚାଲିଥିବାରୁ ବିଭିନ୍ନ ଜିଲ୍ଲା ଏବେ ବନ୍ୟା ମୁହଁରେ। ଆହୁରି ୨୪ ଘଣ୍ଟା ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ବନ୍ୟା ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ମାଲକାନଗିରି ଜିଲ୍ଲା ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ୭ଟି ଜିଲ୍ଲା ରାୟଗଡ଼ା, ଗଜପତି, ମାଲକାନଗିରି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିର ଜିଲ୍ଲାପାଳଙ୍କୁ ଆଜି ସତର୍କ କରାଯାଇଛି। ଏହାଛଡ଼ା ୫ଟି ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସ୍ବତନ୍ତ୍ର ରିଲିଫ୍ କମିସନର୍‌(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୬ ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ଗଞ୍ଜାମ। କଳାହାଣ୍ଡିର ଲାଞ୍ଜିଗଡ଼ରେ ୩୮୨.୬ ମିମି, ରାୟଗଡ଼ାର କାଶୀପୁରରେ ୩୧୭.୪ ମିମି ଓ କନ୍ଧମାଳର କୋଟଗଡ଼ରେ ୩୦୮ ମିମି ବର୍ଷା ହୋଇଛି। ସାତଟି ବ୍ଲକ୍‌‌େର ୨୦୦ରୁ ୩୦୦ ମିମି ମଧ୍ୟରେ ବର୍ଷା ହୋଇଥିଲା ବେଳେ ୬୭ରୁ ଅଧିକ ବ୍ଲକ୍‌ରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି। ଗୁଣୁପୁରରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ‌ସେହିପରି କାଶୀନଗରଠାରେ ମଧ୍ୟ ବିପଦ ସଙ୍କେତ ଉପରେ ଜଳ ରହିଛି।

ଲଗାଣ ବର୍ଷା ଯୋଗୁ ଚଳିତ ବର୍ଷ ତୃତୀୟ ଥର ପାଇଁ ମାଲକାନଗିରି ଜିଲ୍ଲାବାସୀ ବନ୍ୟା ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଗତକାଲିଠାରୁ ମାଲକାନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାର ଅଧାରୁ ଅଧିକ ସ୍ଥାନ ଜଳବନ୍ଦୀ ହୋଇ ରହିଛି। ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ପାଙ୍ଗାମ, ପୋଟେରୁ, ଚାଲାଣଗୁଡା, ଏମଭି-୩୭, କୋରକୋଣ୍ଡା, କାଙ୍ଗରୁକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ୫ରୁ ୮ ଫୁଟ ପାଣି ପ୍ରବାହିତ ହେଉଛି। ଯାହାଫଳରେ ଆନ୍ଧ୍ର, ଛତିଶଗଡ଼ ସହ ଜୟପୁରକୁ ଯାତାୟାତ ଠପ୍ ହୋଇଯାଇଛି। ହଠାତ୍ ବନ୍ୟା ଜଳ ମାଡ଼ି ଆସିବାରୁ ବହୁ ଗାଁ ଜଳବନ୍ଦୀ ହୋଇ ରହିଛି। ଲୋକେ ପାଣି ଘେରରୁ ବାହାରି ପାରିନଥିବା ବେଳେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଏମିତି ସ୍ଥିତିର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିପରି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଆସନ୍ତାକାଲି ବନ୍ଦ ରଖିବା ପାଇଁ ପ୍ରଶାସନ ନିର୍ଦେଶ ଦେଇଛି। ଜିଲ୍ଲାର ପ୍ରବେଶ ପଥ କୁହାଯାଉଥିବା ୩୨୬ ରାଞ୍ଚି-ବିଜୟଵାଡା ଜାତୀୟ ରାଜପଥ ମଧ୍ୟ ବନ୍ୟା ଜଳରେ ସଂପୂର୍ଣ୍ଣ ବୁଡ଼ି ଯାଇଛି। ମାଲକାନଗିରି-ଜୟପୁର, ମାଲକାନଗିରି-କାଲିମେଳା, ମାଲାକନଗିରି-ବାଲିମେଳା, କାଲିମେଳା-ମୋଟୁ, କାଲିମେଳା-ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଉପରୋକ୍ତ ପୋଲର ଦୁଇ ପଟେ ଶହ ଶହ ଗାଡ଼ି ଅଟକି ରହିଛି। ଯାହାଫଳରେ ଆବଶ୍ୟକ ସାମଗ୍ରୀ ଏବଂ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇ ପାରୁନି। ଅନେକ ଚାଷ ଜମିରେ ପାଣି ମାଡ଼ିଯିବା ସହ ବାଲି ଚରି ଯାଇଛି। ମାଲକାନଗିରି, ଖଇତିପୁଟ, ମାଥିଲି, କୋରୁକୋଣ୍ଡା, ‌କାଲିମେଳା ଓ ପୋଦିଆର ୨୧୭୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୨୪ଟି ସ୍ଥାନରେ ରଖାଯାଇଛି।

ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗତକାଲି ସଂଧ୍ୟାରୁ ରାୟଗଡ଼ା ଜିଲ୍ଲାର ତିନି ପ୍ରମୁଖ ନଦୀ ନାଗାବଳୀ, ବଂଶଧାରା, କଲ୍ୟାଣୀ ନଦୀ ଫୁଲିବା ଆରମ୍ଭ କରିଥିଲା। ରାତି ୯ଟାରେ କଲ୍ୟାଣୀ ବିପଦ ସଂକେତ ଟପିବା ପରେ ୭୫ ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। ଲଗାଣ ବର୍ଷା ପ୍ରଭାବରେ କଲ୍ୟାଣସିଂହପୁର ବ୍ଲକରେ ୧୮ଟି ଘର ଭାଙ୍ଗିଛି। ସେହିପରି ଆଜି ସକାଳେ ବଂଶଧାରା ନଦୀ ବିପଦ ସଂକେତ ୫ ମିଟର ଉପରେ ପ୍ରବାହିତ ହେବା ପରେ ଗୁଡାରୀ ପୌରାଞ୍ଚଳ ସମେତ ଗୁଣପୁର ତଳି ଅଞ୍ଚଳ ଗ୍ରାମରେ ପାଣି ପଶିଥିଲା। ଗୁଡ଼ାରୀର ୩ଟି ୱାର୍ଡ ବ୍ରାହ୍ମଣସାହି, ଲାଡି ସାହି, ଫୁଲବଗିଚା ସାହିରେ ପାଣି ପଶିବା ଯୋଗୁ ଲୋକେ ଜଳବନ୍ଦୀ ହେବା ସହ ଶତାଧିକ ଗୃହପାଳିତ ପ୍ରାଣୀ ଭାସି ଯାଇଛନ୍ତି। ଗୁଣପୁର-ଗୁମୁଡା ରାସ୍ତା ଉପରେ ୧ଫୁଟ ଉଚ୍ଚରେ ପାଣି ପ୍ରବାହିତ ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପଦ୍ମପୁର ବ୍ଲକ୍ ଖମାପଦର ଗାଁରେ ବଂଶଧାରା ଶାଖା ନାଳ ପାଣି ପ୍ରବେଶ କରିବା ଯୋଗୁ ଗଙ୍ଗା ଯମୁନା ସାହି ଜଳାର୍ଣବ ହୋଇଥିଲା। ପ୍ରଶାସନ ପକ୍ଷରୁ ୪୫ ପରିବାରକୁ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ସୁନାରୀ ଘାଇରେ ଘଳିଆ ଯୋଗୁ ଶହ ଶହ ଏକର ଜମି ପାଣି ଘେରରେ ରହିଛି। ନାଇରା, ଡେରିଗାଁ ମଧ୍ୟ ବଂଶଧାରା ନଦୀ ଦ୍ବାରା ପ୍ରଭାବିତ ହୋଇଛି। ଗୁଣପୁର ବ୍ଲକର ଗାଦିଆଖଳା ଗ୍ରାମର ୪ ପରିବାରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପାଣି କମିବା ପରେ ଉକ୍ତ ପରିବାର ନିଜ ଘରକୁ ଫେରି ଆସିଛନ୍ତି। ବିଷମକଟକ ବ୍ଲକର ପୁଟ୍ରାଗଡ ନାଳରେ ଜଳସ୍ତର ବୃଦ୍ଧି ପାଇବା ପରେ ହରିଜନ ସାହିର ୫୦ ପରିବାରକୁ ସ୍ଥାନାନ୍ତର କରାଯାଇଛି।

କନ୍ଧମାଳରେ ଦୁଇଟି ରାସ୍ତା ଓ ଦୁଇଟି ଛୋଟ ପୋଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକ୍‌ର କିଛି ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ତୁମୁଡ଼ିବନ୍ଧ ବ୍ଲକ୍‌ର ମୁଣ୍ଡିମସ୍କ ଗ୍ରାମର ଗୋଟିଏ ପରିବାରର ବାପା-ପୁଅ ଦୀନବନ୍ଧୁ ମାଝୀ ଓ ପୁରେନ୍ଦ୍ର ମାଝୀ ନିଖୋଜ ହୋଇଯାଇଛନ୍ତି। ଗଜପତି ଜିଲ୍ଲାରେ କାଶୀନଗର ବ୍ଲକ୍‌ ଓ ଏନ୍ଏସିରେ ପାଣି ପଶିବା ଯୋଗୁ ୩୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କାଶୀନଗର-କିଡିଗାଁ ରାସ୍ତାର ୩ ଫୁଟ ଉପରକୁ ଜଳ ପ୍ରବାହିତ ହେଉଥିବାରୁ ଯୋଗା‌େଯାଗ ବିଚ୍ଛିନ୍ନ ହୋଇପଡ଼ିଛି। କଳାହାଣ୍ଡି ଜିଲ୍ଲାର କାଲାମପୁର ଓ ଲାଞ୍ଜିଗଡ଼ ବ୍ଲକ୍‌ର ୧୦୫ ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯାଇଛି। କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ରାସ୍ତା ବୁଡ଼ିଯାଇଥିବାର ସୂଚନା ମିଳିଛି।

ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଓ କଳାହାଣ୍ଡିରେ ଜଣେ ଲେଖାଏ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ଆଜି ଚିଠି ଲେଖି ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ, ପଲିଥିନ୍ ଆଦି ମହଜୁଦ୍ ରଖିବାକୁ କୁହାଯାଇଛି। ସ୍ବାସ୍ଥ୍ୟସେବାକୁ ତଦାରଖ କରିବା ଲାଗି ଜନସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ଆଜି ବନ୍ୟା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପରିଦର୍ଶନ ପାଇଁ ନିର୍ଦେଶ ଦିଆଯାଇଛି। ୭ ଜିଲ୍ଲାକୁ ୧୪ଜଣ ସ୍ବାସ୍ଥ୍ୟ ଅଧିକାରୀ ପରିଦର୍ଶନ କରିବା ସହିତ ପରିସ୍ଥିତି ସଂପର୍କରେ ସୂଚନା ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର