ବିଦେଶିନୀ ଠକିନେଲେ: ରେଳବାଇ ଅଧିକାରୀଙ୍କର ୭ ଲକ୍ଷ ଚଳୁ

କଟକ: ଫେସ୍‌ବୁକ୍‌ରେ ବନ୍ଧୁତ୍ୱ କରି ଇଂଲଣ୍ଡର ଯୁବତୀ ରେଳବାଇ ଅଧିକାରୀଙ୍କଠାରୁ ୭ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସଂପୃକ୍ତ ଅଧିକାରୀ ଜଣକ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପ୍ରାୟ ବର୍ଷେ ତଳେ ଫେସ୍‌ବୁକ୍‌ ଜରିଆରେ ଇଂଲଣ୍ଡର ଯୁବତୀଙ୍କ ସହ ଉକ୍ତ ରେଳବାଇ ଅଧିକାରୀଙ୍କ ସଂପର୍କ ଗଢି ଉଠିଥିଲା। ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଚାଟିଂ ହେଉଥିବାବେଳେ ଫୋନ୍‌ରେ ମଧ୍ୟ କଥାବାର୍ତ୍ତା ହେଉଥିଲେ। ପ୍ରଥମେ ସେ କର୍କଟ ଓ ମଧୁମେହ ରୋଗ ଭଲ ହେବା ପାଇଁ ହର୍ବାଲ ପାଉଡର୍‌ ଯୋଗାଇ ୩ଲକ୍ଷ ୬୯ହଜାର ଟଙ୍କା ଠକି ନେଇଥିଲେ। ଯୁବତୀ ଦେଇଥିବା ଠିକଣାରେ ଅଧିକାରୀଜଣକ ପହଞ୍ଚିବା ପରେ ପାଉଡରର ନମୁନା ମାଗିଥିଲେ। କିନ୍ତୁ ଦୋକାନୀ ନମୁନା ନଦେଇ ସିଧାସଳଖ ପ୍ୟାକେଟ କିଣିବାକୁ କହିଥିଲେ। ତେଣୁ ମୁଲଚାଲ କରିବା ପରେ ୩ଲକ୍ଷ ୬୯ହଜାର ଟଙ୍କାରେ ଦୁଇଟି ପ୍ୟାକେଟ କିଣିଥିଲେ। ପରେ ପ୍ୟାକେଟ୍‌ ଭିତରେ ମାଟିଗୁଣ୍ଡ ପଶିଥିବା ଜାଣିବାକୁ ପାଇଥିଲେ। ତେଣୁ ପ୍ୟାକେଟ ଫେରାଇବାକୁ ଉକ୍ତ ଦୋକାନ ପାଖକୁ ଯିବା ପରେ ସେଠାରୁ ଦୋକାନର ପତ୍ତା ମିଳିନଥିଲା। କିଛି ଦିନ ପରେ ଜଣେ ଯୁବତୀ ନିଜକୁ ମୁମ୍ବାଇର କଷ୍ଟମ ଅଧିକାରୀ ପରିଚୟ ଦେଇ ରେଳବାଇ ଅଧିକାରୀଙ୍କୁ ଫୋନ୍‌ କରିଥିଲେ। ବିଦେଶରୁ ସୁନା ଓ ନଗଦ ଟଙ୍କା ପାର୍ସଲରେ ଆସିଥିବା ସୂଚନା ଦେବା ପରେ କଷ୍ଟମ ଡ୍ୟୁଟି ବାବଦକୁ ୩୭ ହଜାର ଟଙ୍କା ଅନ୍‌ଲାଇନ୍‌ରେ ଦାଖଲ କରିବାକୁ କୁହାଯାଇଥିଲା। ହେଲେ ବିଦେଶ ଟଙ୍କା ଆସିଥିବା ମାମଲାରେ ରେଳବାଇ ଅଧିକାରୀ ଫସିଯିବା ସମ୍ଭାବନା ଥିବା କହି ଉକ୍ତ କଷ୍ଟମ ଅଧିକାରୀ ଜଣକ ମାମଲାକୁ ରଫାଦଫା କରିବା ପାଇଁ ଆଉ ୧ଲକ୍ଷ ୪୫ ହଜାର ଟଙ୍କା ମାଗିଥିଲା। ଏହାକୁ ମଧ୍ୟ ସେ ଦାଖଲ କରିଥିଲେ। ଇତିମଧ୍ୟରେ ଠକେଇର ଶିକାର ହୋଇଥିବା ସନ୍ଦେହ ହେବାରୁ ଫେସ୍‌ବୁକ୍‌ ଯାଞ୍ଚ କରିଥିଲେ। ଫେସ୍‌ବୁକ୍‌ରେ ଇଂଲଣ୍ଡ ଯୁବତୀ ଜଣକ ତାଙ୍କୁ ବ୍ଲକ୍‌ କରିଥିଲାବେଳେ ମୋବାଇଲ୍‌ ନମ୍ବର ମଧ୍ୟ ଲାଗିନଥିଲା। ଠକାମିରେ ପଡ଼ିଥିବା ନିଶ୍ଚିତ ହେବାରୁ ବୁଧବାର ରେଳବାଇ ଅଧିକାରୀ ଜଣକ ସାଇବର ସେଲ୍‌ରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର