ଟିଟୋ ଲିଙ୍କ୍‌: କେନ୍ଦ୍ରାପଡ଼ାରେ ଭିଜିଲାନ୍ସ ଟିମ୍‌, ତତ୍କାଳୀନ ଥାନାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଛାନ୍‌ଭିନ୍‌

କେନ୍ଦ୍ରାପଡ଼ା : ଭିଜିଲାନ୍ସ ଟିମ୍‌ ଆଜି ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଲିଙ୍କ୍‌ରେ ଥିବା କେନ୍ଦ୍ରାପଡ଼ା ଟାଉନ୍‌ ଥାନାର ପୂର୍ବତନ ଇନ୍ସପେକ୍ଟର ସଂଜୀବ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଛାନ୍‌ଭିନ୍‌ କରିଛନ୍ତି। ଡିଏସ୍‌ପି ତନୁଜା ଦାସଙ୍କ ନେତୃତ୍ୱରେ ଇନ୍‌ସପେକ୍ଟର ବ୍ରଜ କିଶୋର ସାହୁ ଓ ସହଯୋଗୀ କେନ୍ଦ୍ରାପଡ଼ାର ବିଭିନ୍ନ ବ୍ୟାଙ୍କ ବୁଲି କେଉଁଠି ଆକାଉଣ୍ଟ୍‌ ରହିଛି ସେ ନେଇ ଛାନ୍‌ଭିନ୍‌ କରିଥିଲେ। ଏ ପର୍ଯ୍ୟନ୍ତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରେ ତାଙ୍କର ୧ ଲକ୍ଷ ୭ ହଜାର ଟଙ୍କା ଜମାଥିବା ସାମ୍ନାକୁ ଆସିଥିବା ବେଳେ ଅନ୍ୟ କୌଣସି ବ୍ୟାଙ୍କ୍‌ ସମ୍ପର୍କରେ କିଛି ସୁରାକ୍‌ ମିଳିନାହିଁ। ଟିଟୋ ସହଯୋଗରେ ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ାରେ କେତେକ ମୂଲ୍ୟବାନ ଜମି ହାତେଇଥିବା ନେଇ ସୁରାକ୍‌ ମିଳିିଥିବାରୁ ଭିଜିଲାନ୍ସ ଟିମ୍‌ ତହସିଲ ଅଫିସ, ଜିଲ୍ଲା ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟ, ଜମି କାରବାରରେ ଥିବା ବିଏନ୍‌ ଏଣ୍ଟରପ୍ରାଇଜରସ୍‌୍‌ ଓ ଅନ୍ୟ କେତେକ ରିଏଲ ଇଷ୍ଟେଟ୍‌ ସଂସ୍ଥାଠାରୁ ତଥ୍ୟ ଜାଣିବାକୁ ଚେଷ୍ଟା କରିଛନ୍ତି। ମୋଟ ୧୧ଟି ବ୍ୟାଙ୍କରୁ ତଥ୍ୟ ସଂଗ୍ରହ କରିବାକୁ ଭିଜିଲାନ୍ସ ଟିମ୍‌ ଅନୁମତି ମାଗିଥିବା ବେଳେ ବର୍ତମାନ ସୁଦ୍ଧା ୭ଟି ବ୍ୟାଙ୍କରେ ଯାଂଚ କରିଛନ୍ତି। ବାକି ଥିବା ବ୍ୟାଙ୍କ୍‌ଗୁଡ଼ିକରୁ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଇନ୍‌ସପେକ୍ଟର ମହାନ୍ତି ଜଟଣୀ ଥାନା ଆଇଆଇସି ଭାବେ ୫୦ ହଜାର ଟଙ୍କା ଲାଞ୍ଚ ନେଇ କିଛିଦିନ ତଳେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଭିଜିଲାନ୍ସ ତଦନ୍ତ ବେଳେ ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ଦେଢ଼ କୋଟିରୁ ଅଧିକ ବୋଲି ଜଣାପଡ଼ିିଥିଲା। କେନ୍ଦ୍ରାପଡ଼ା ଟାଉନ୍‌ ଥାନା ଆଇଆଇସି ଥିବା ବେଳେ ସେ ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ଆସିଥିଲେ। ଟିଟୋ ଅନୁଗ୍ରହରୁ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ। ଟିଟୋ ଭାଇ ସପୋ ଗିରଫ ହେବା ସମୟରେ ଏ ସମ୍ପର୍କରେ ସୂଚନା ଦେଇଥିଲା। ତେବେ, ସେ ଦେଇଥିବା ଭିଡ଼ିଓ ଭାଇରାଲ ହେବା ପରେ ବି ପୁଲିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ହେଲେ, ଟିଟୋ ଗିରଫ ହେବା ପରେ ସପୋର ଏହି ଭିଡ଼ିଓ ପୁଣି ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର