ରାଜ୍ୟରେ ବଢ଼ୁଛି ଗଞ୍ଜେଇ ଚାଷ : ବର୍ଷକରେ ୬୭୩ କ୍ବିଣ୍ଟାଲ ଜବତ, ୭ ଜିଲ୍ଲାରେ ବେପାର ପାଲଟିଛି

ଭୁବନେଶ୍ବର : ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ପାଉଛି ଗଞ୍ଜେଇ ଚାଷ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ଗଞ୍ଜେଇ ଚାଷ କେତେକ ଚାଷୀଙ୍କ ବେଉସାରେ ପରିଣତ ହୋଇଛି। ରାଜ୍ୟ ବାହାରର କେତେକ ଅସାଧୁ ବ୍ୟବସାୟୀ ଓ ମାଓବାଦୀମାନେ ମଧ୍ୟ ଏହି ବେଆଇନ ଚାଷରେ ସଂପୃକ୍ତ ରହି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ରାଜ୍ୟରେ ଚାଲୁଥିବା ଗଞ୍ଜେଇ ଚାଷ ଓ କାରବାର ସମ୍ପର୍କରେ ଏଭଳି ତଥ୍ୟ ଉପସ୍ଥାପନ କରିଛି କ୍ରାଇମ୍‌ ବ୍ରାଞ୍ଚ। ଆଜି ଭୁବନେଶ୍ବରଠାରେ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଓ ଏସଟିଏଫ୍ ପକ୍ଷରୁ ଆୟୋଜିତ ‘ନିଶାଦ୍ରବ୍ୟ ଚୋରାଚାଲାଣ’ ସମ୍ପର୍କିତ ଏକ କର୍ମଶାଳାରେ ପ୍ରଦାନ କରାଯାଇଥିବା ତଥ୍ୟ ରାଜ୍ୟବ୍ୟାପୀ ହଟଚମଟ ସୃଷ୍ଟି କରିଛି।

କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଜବତରେ ମଧ୍ୟ ରେକର୍ଡ ହୋଇଛି। ରେକର୍ଡ ସଂଖ୍ୟକ ଚୋରା ଗଞ୍ଜେଇ ବେପାରୀ ଗିରଫ ହୋଇଛନ୍ତି। ଗଞ୍ଜେଇ ମଧ୍ୟ କ୍ବିଣ୍ଟାଲ କ୍ବିଣ୍ଟାଲ ଜବତ ହୋଇଛି। ବିଗତ ୨/୩ ବର୍ଷରେ କେବେ ବି ଏତେ ପରିମାଣରେ ଗଞ୍ଜେଇ ଜବତ ହୋଇନଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୪୬୩୨ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ୨୦୧୭ରେ ୩୫୯୯ ଏକର, ୨୦୧୬ରେ ୨୪୫୭ ଏକର, ୨୦୧୫ରେ ୩୯୩୩ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରିଥିଲା ପୁଲିସ। ସେହିପରି ଚଳିତ ବର୍ଷ ୪୩୫ଟି ମାମଲା ରୁଜୁ କରାଯାଇ ୬୬୮ ଜଣଙ୍କୁ ଗିରଫ କରାଯାଇଥିବା ବେ‌ଳେ ୬୭୩ କ୍ବିଣ୍ଟାଲ ଗଞ୍ଜେଇ, ୧୧୫ଟି ଗାଡ଼ି, ୧୨ ଲକ୍ଷ ଟଙ୍କା ଜବତ ହୋଇଛି। ୨୦୧୭ ମସିହାରେ ପୁଲିସ ୫୭୧ଟି ମାମଲା ରୁଜୁ କରି ୫୪୮ ଜଣଙ୍କୁ ଗିରଫ କରିଥିବା ବେଳେ ୩୦୪ କ୍ବିଣ୍ଟାଲ ଗଞ୍ଜେଇ,୧୩୮ଟି ଗାଡ଼ି, ୨.୩୧ ଲକ୍ଷ ଟଙ୍କା ଜବତ କରିଥିଲା। ସେହିପରି ୨୦୧୬ ମସିହାରେ ପୁଲିସ ୫୧୭ଟି ମାମଲା ରୁଜୁ କରି ୫୦୨ ଜଣଙ୍କୁ ଗିରଫ କରିଥିବା ବେଳେ ୪୨୮ କ୍ବିଣ୍ଟାଲ ଗଞ୍ଜେଇ, ୧୧୬ଟି ଗାଡ଼ି, ୩.୦୮ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ସବୁ ଗଞ୍ଜେଇ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରୁ ଜବତ ହୋଇଛି। ଗଜପତି, କନ୍ଧମାଳ, ଓ ବୌଦ୍ଧ ଜିଲ୍ଲାରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ମତ କିନ୍ତୁ ଭିନ୍ନ। ସେ କହିଛନ୍ତି, ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ରୋକ୍‌ ଲଗାଇବାକୁ ଗତ ବର୍ଷଠାରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଯେଉଁ ସବୁ ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଛି, ସେହି ଜିଲ୍ଲା ଏସ୍‌ପିମାନଙ୍କୁ ସତର୍କ ରହିବାକୁ କୁହାଯିବା ସହ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ନିର୍ଦ୍ଦେଶ ହୋଇଛି। ଏହାଛଡ଼ା ଯେଉଁ ବେପାରୀମାନେ ଗଞ୍ଜେଇ ଚାଲାଣ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ କୁହାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ, ଅବକାରୀ, ନାର୍କୋଟିକ୍ସ ବିଭାଗ ସହ ପୁଲିସ ମିଶି ପଦକ୍ଷେପ ଗ୍ରହଣ କରୁଛି। ଏହି କାରଣରୁ ଏବେ ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଗଞ୍ଜେଇ ଚାଷ ଅହେତୁକ ଭାବେ ହ୍ରାସ ପାଇଛି ବୋଲି ଡିଜି ଶର୍ମା କହିଛନ୍ତି। ତେବେ ମାଲାକାନଗିରି, କୋରାପୁଟ ଭଳି କେତେକ ମାଓ ଅଧ୍ୟୁଷିତ ଜିଲ୍ଲାରେ ଗଞ୍ଜେଇ ଚା‌ଷ ବହୁଳ ପରିମାଣ‌ ହେଉଥିବା ନେଇ ଖବର ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପୁଲିସ ସେ ସବୁକୁ ନଷ୍ଟ କରିବା କଷ୍ଟକର ବ୍ୟାପାର ହୋଇପଡ଼ୁଛି।

କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଏସଟିଏଫ୍ ଆଇଜି ଯତୀନ୍ଦ୍ର କୋଏଲ, ଇଓଡବ୍ଲ୍ୟୁ ଡିଆଇଜି ନିଖିଲ କାନୋଡ଼ିଆ, ଅବକାରୀ, ନାର୍କୋଟିକ୍ସ, ରାଜସ୍ବ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର