ଶ୍ରୀମନ୍ଦିର ରୋଷଘରେ ଅଦା ଚଡ଼କ, ଦିନକୁ ଲୋଡ଼ା ୧୫ କ୍ବିଣ୍ଟାଲ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ମହାପ୍ରସାଦ ବା ଅବଢ଼ା ପ୍ରସ୍ତୁତି‌ରେ ଅଦା ମୁଖ୍ୟ ଉପାଦାନ। ଅଦା ବିନା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରସାଦ ପରିକଳ୍ପନା କରାଯାଇପାରିବ ନାହିଁ। ଖେଚୁଡ଼ି, ଡାଲି, ଡାଲ୍‌ମା, ବେସର ସବୁଥିରେ ଅଦା ଆବଶ୍ୟକ। ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରତିଦିନ ୧୦ରୁ ୧୫ କୁଇଣ୍ଟାଲ ଅଦାର ଆବଶ୍ୟକ ପଡିଥାଏ। ତେବେ ଦର ବୃଦ୍ଧି ଯୋଗୁ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଆବଶ୍ୟକ ଅଦା ପକାଇବା ସହଜ ହେଉନାହିଁ। ଖେଚୁଡିରେ ‌ଯେତିକି ପରିମାଣରେ ଅଦା ଦିଆଯାଉଥିଲା ଏବେ ତାର ପରିମାଣ କମାଇ ଦିଆଯାଇଛି। ଅଦା ଦରରେ ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ ମହାପ୍ରଭୁଙ୍କ ଅମୃତ ଭୋଗ ଦେବାକୁ ସେବକ ବାଧ୍ୟ ହେଉଛନ୍ତି। ଉଚ୍ଚା ଦର ଯୋଗୁ ସୁଆରମାନେ ଅଳ୍ପ ଅଦାରେ ରୋଷ ପ୍ରସ୍ତୁତି କରୁଛନ୍ତି। ଅଦା ଦର ମଝିରେ ୨୫୦ରୁ ୩୦୦ ଟଙ୍କା ବି ଥିଲା। ଏବେ ଦର ୨୦୦ ଟଙ୍କା ରହିଛି। ଏତେ ଟଙ୍କାରେ ଅଦା କିଣି ମହାପ୍ରସାଦ ପ୍ରସ୍ତୁତି କରିବା କଷ୍ଟକର ହେଉଥିବାରୁ ଶ୍ରୀମନ୍ଦିରରେ ରୋଷ ପାଇଁ ରିହାତି ମୂଲ୍ୟରେ ଅଦା ଯୋଗାଇ ଦେବାକୁ ଦାବି ହୋଇଛି। ଏ ସଂପର୍କରେ ସୁଆର ନିଯୋଗ ତଥା ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କୁ କହିଛନ୍ତି, ଅଦା ବିନା ମହାପ୍ରଭୁଙ୍କ ପ୍ରସାଦ କଥା ଚିନ୍ତା କରାଯାଇ ପାରିବନାହିଁ। ଅଦା ଦର ବଢିଲେ ସୁଆରଙ୍କୁ କଷ୍ଟ। ମୂଲ୍ୟବୃଦ୍ଧି ସତ୍ତ୍ବେ ପ୍ରସାଦରେ ଅଦା ଭାଗ କମ କରାଯାଉନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର