ସ୍ବର୍ଣ୍ଣ ମନ୍ଦିର ପରିଚାଳନା କମିଟି ପ୍ରତିନିଧିଦଳ ପୁରୀରେ, ମଙ୍ଗୁ ମଠ ସ୍ଥିତି ଦେଖି ଖୁସି ହେଲେ

ପୁରୀ: ପୁରୀରେ ଥିବା ଶିଖ ସଂପ୍ରଦାୟଙ୍କ ପ୍ରସିଦ୍ଧ ଐତିହ୍ୟ ମଙ୍ଗୁ ମଠ ଭାଙ୍ଗିବା ଘଟଣା ସୋସିଆଲ୍‌ ମିଡିଆରେ ପ୍ରଚାର ହେବା ପରେ ଆଜି ଏହାର ବାସ୍ତବ ସ୍ଥିତି ପରଖିବା ପାଇଁ ପଞ୍ଜାବ ଅମୃତସର ସ୍ବର୍ଣ୍ଣ ମନ୍ଦିରରୁ ଏକ ତିନିଜଣିଆ ପ୍ରତିନିଧିଦଳ ପୁରୀରେ ପହଞ୍ଚିଛନ୍ତି। ଓଡ଼ିଶାର ସତ୍‌ପାଲ ସିଂହଙ୍କ ନେତୃତ୍ବରେ ସ୍ବର୍ଣ୍ଣମନ୍ଦିର ପରିଚାଳନା କମିଟି ସଦସ୍ୟ ଗୁରୁମିତ୍‌ ସିଂହ, ସର୍ଦ୍ଦାର ହରଜପ୍‌ ସିଂହ, ସକତର୍‌ ସିଂହ ପ୍ରମୁଖ ମଙ୍ଗୁ ମଠ ମହନ୍ତଙ୍କୁ ଭେଟି ବର୍ତ୍ତମାନର ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ‌ତେବେ ମଠ ଭାଙ୍ଗି ଯାଇଥିବା ନେଇ ପଞ୍ଜାବ ଓ ଶିଖ୍ ସଂପ୍ରଦାୟଙ୍କ ମଧ୍ୟରେ ଯେଉଁ ଖବର ପ୍ରଚାର ହେଉଛି ସେଥିରେ କୌଣସି ସତ୍ୟତା ନ ଥିବା ଏହି ପ୍ରତିନିଧିମାନେ କହିଛନ୍ତି।

ମଠ ସ୍ଥିତି ଅନୁଧ୍ୟାନ ପରେ ଗୁରୁମିତ୍‌ ସିଂହ ଓ ସତ୍‌ପାଲ ସିଂହ ଗଣମାଧ୍ୟମକୁ କହିଛନ୍ତି, ମଙ୍ଗୁ ମଠ ଓ ଏହାର ‌ଐତିହ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ଏ ସଂପର୍କରେ ‌ସେମାନେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭଙ୍ଗା ହୋଇଥିବା ମଠ, ମନ୍ଦିରକୁ ସୁରକ୍ଷିତ ରଖାଯାଇଛି। ପ୍ରଶାସନ କେବଳ ଜବରଦଖଲ, ଅସୁରକ୍ଷିତ କୋଠା ଓ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ଘର ଭାଙ୍ଗୁଥିବା କହିଛି। ଏ ନେଇ ପଞ୍ଜାବ‌ରେ ଯେଉଁପ୍ରକାର ଚର୍ଚ୍ଚା ହେଉଛି ତାର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ବୋଲି ଶ୍ରୀ ସିଂହ କହିଥିଲେ। ଆଜି ଏହି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ସହିତ ପ୍ରତିନିଧିଦଳର ଆଲୋଚନା କାର୍ଯ୍ୟକ୍ରମ ରହିଥିଲା। ତେବେ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀରେ ଅନୁପସ୍ଥିତ ଥିବା ଯୋଗୁଁ ସେମ‌ାନେ ଭୁବନେଶ୍ବରରେ ଆଲୋଚନା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର