ସଂପ୍ରସାରଣ କାମ ଚାଲୁ ରହିଥିବାରୁ ଗୋପାଳପୁର ବନ୍ଦରରେ ପ୍ରବେଶ ପାଇଁ ଜାହଜକୁ ଅନୁମତି ମିଳିଲା ନାହିଁ

ଭୁବନେଶ୍ବର : ଗୋପାଳପୁର ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାରୁ ଏଠାକୁ ଏକ ପର୍ଯ୍ୟଟକ ଜାହାଜ ଆସିବା ସମ୍ଭବପର ହୋଇପାରିନାହିଁ । ଏଥି ସହିତ ଏହି ବନ୍ଦରଟି ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ନିର୍ମାଣ ହୋଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ ଗୋପାଳପୁର ବନ୍ଦରରେ ଏବେ ବଡ ଧରଣର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ୧୦୦୦ରୁ ଅଧିକ ଶ୍ରମିକ ଦିନରାତି କାମରେ ଲାଗିଛନ୍ତି । ଉଭୟ ଜଳାଶୟ ଭିତରେ ଓ ବାହାରେ କାର୍ଯ୍ୟ ଜାରି ରହିଛି ।
ସେହିଥିପାଇଁ ଗୋପାଳପୁର ବନ୍ଦର ପରିସରରେ ନିଜର ଯାତ୍ରୀବାହୀ ଜାହାଜକୁ ଲଗାଇବାପାଇଁ ଅନୁରୋଧ କରିଥିବା ଜେ.ଏମ୍.ବକ୍ସି ଟ୍ରାଭେଲ କମ୍ପାନୀକୁ ବନ୍ଦର କର୍ତ୍ତୃପକ୍ଷ ସୁରକ୍ଷା ଦୃଷ୍ଟିରୁ ଅନୁମତି ପ୍ରଦାନ କରିନାହାନ୍ତି ।
ଯଦିଓ ଟ୍ରାଭେଲ ସଂସ୍ଥା ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ତଥାପି ଉଭୟ ବନ୍ଦର ଓ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ନିର୍ମାଣକାର୍ଯ୍ୟ ପରିସର ମଧ୍ୟରେ ଯାତ୍ରୀବାହୀ ଜାହାଜ ଲଙ୍ଗର ପକାଇବାକୁ ଅନୁମତି ଦିଆଯାଇନାହିଁ । କାରଣ ବିଶାଳ ଯାତ୍ରୀବାହୀ ଜାହାଜକୁ ଏଠାରେ ଜଳାବତରଣ ପାଇଁ ଅନୁମତି ଦେବାର ସୁବିଧା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ କିମ୍ବା ପଣ୍ୟ କାରବାର ପାଇଁ ଉଦ୍ଦିଷ୍ଟ ଏହି ବନ୍ଦରରେ ବର୍ତ୍ତମାନ ସେଭଳି କୌଣସି ବ୍ୟବସ୍ଥା ନାହିଁ ।
ଏପରିକି କୌଣସି ଜାହାଜରୁ କର୍ମଚାରୀମାନେ ବନ୍ଦର ମଧ୍ୟକୁ ଆସିବାପାଇଁ ଆବଶ୍ୟକ ପଡୁଥିବା ସର୍ବନିମ୍ନ ଇମିଗ୍ରେସନ ବ୍ୟବସ୍ଥା ବି ଏଠାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ତେଣୁ କୌଣସି ସ୍ଥିତିରେ ଯାତ୍ରୀବାହୀ ଜାହାଜ ଏଠାରେ ଲାଗିପାରିବନାହିଁ ବୋଲି ଜଣାଯାଇଛି । ଏ ସଂକ୍ରାନ୍ତରେ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଭାରତ ସରକାର ମଧ୍ୟ ଭଲଭାବେ ଅବଗତ ଅଛନ୍ତି ।

ସମ୍ବନ୍ଧିତ ଖବର