ସରକାରୀ କୋଠା ଭୂତକୋଠି : ୫ କୋଟିର କୋଠା ୩ ବର୍ଷ ହେଲା ଖାଲି

କଟକ : ୬ ମହଲା ବିଶିଷ୍ଟ କୋଠାରେ ତିଆରି ହୋଇଥିଲା ୧୫ଟି କ୍ୱାର୍ଟର। ଖର୍ଚ୍ଚ ହୋଇଥିଲା ୫ କୋଟିରୁ ଅଧିକ ଟଙ୍କା। ଯୋଜନା ଥିଲା, ବଦଳି ହୋଇ କଟକ ଆସୁଥିବା ବରିଷ୍ଠ ସରକାରୀ ଅଧିକାରୀମାନେ ତୁରନ୍ତ ସେଠାରେ ରହି ନିଜର ଡ୍ୟୁଟି କରିପାରିବେ। କିନ୍ତୁ ମହାନଦୀ ରିଂ ବନ୍ଧ ପାର୍ଶ୍ୱରେ ନିର୍ମିତ ଏହି ୬ ମହଲା ଅତ୍ୟାଧୁନିକ ସରକାରୀ କୋଠା ୨୦୧୫ରୁ ସଂପୂର୍ଣ୍ଣ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଏଠି ଏବେ ଅସାମାଜିକଙ୍କ ଆଡ଼ା ଜମୁଛି। କୋଠାରେ ଲାଗିଥିବା ବିଭିନ୍ନ ମୂଲ୍ୟବାନ ଉପକରଣ ଚୋରି ହେବାରେ ଲାଗିଛି। କିନ୍ତୁ ପ୍ରଶାସନ ଏଥିପ୍ରତି ସଂପୂର୍ଣ୍ଣ ଭାବେ ଆଖିବୁଜି ଦେଇଛି।

ସୂଚନା ଅନୁଯାୟୀ, ଦେଓରଞ୍ଜନ କୁମାର ସିଂ କଟକର ଜିଲ୍ଲାପାଳ ଥିବାବେଳେ ୨୦୦୩ ମସିହାରେ ଏହି କୋଠାର ଶିଳନ୍ୟାସ କରାଯାଇଥିଲା। କଟକକୁ ବଦଳି ହୋଇ ଆସୁଥିବା ବିଭିନ୍ନ ଓଏଏସ୍‌ ଅଧିକାରୀଙ୍କ ପାଇଁ କ୍ୱାର୍ଟର ଯୋଗାଇଦେବା ଲକ୍ଷ୍ୟରେ ଏହି କୋଠା ନିର୍ମାଣ ହୋଇଥିଲା। ପୂର୍ବରୁ ବରିଷ୍ଠ ଓଏଏସ ଅଧିକାରୀମାନେ ହଠାତ୍‌ କଟକ ବଦଳି ହୋଇ ଆସିଲେ ସର୍କିଟ ହାଉସ୍‌ରେ ରହୁଥିଲେ । କିନ୍ତୁ ସେମାନଙ୍କୁ ତୁରନ୍ତ କ୍ୱାର୍ଟର ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏଠାରେ ୧୫ରୁ ଅଧିକ ଘର ଥିବା ଏହି ୬ ମହଲା କୋଠା ନିର୍ମାଣ କରିଥିଲା। ୨୦୦୭ରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ସେହିି ସମୟରେ କଟକରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରସରକାର ଅନୁମତି ପ୍ରଦାନ କରିଥିଲେ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ପ୍ରତିବନ୍ଧକ ଦେଖାଦେଇଥିଲା।

ଏହି ଅନିଶ୍ଚିତତା ଦୂର ପାଇଁ ତତ୍‌କ୍ଷଣାତ୍‌ ଘର ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ପ୍ରଶାସନ ସ୍ୱଳ୍ପ ଭଡ଼ାରେ ଏହି କୋଠାକୁ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦେଇଥିଲେ। ସେହି କୋଠାରେ ବିଶ୍ୱବିଦ୍ୟାଳୟ ୮ ବର୍ଷ କାର୍ଯ୍ୟ କରିବା ପରେ ୨୦୧୫ରେ ନରାଜସ୍ଥିତ ସ୍ଥାୟୀ କ୍ୟାମ୍ପସକୁ ସ୍ଥାନାନ୍ତର ହୋଇଥିଲା। କିନ୍ତୁ ତା’ ପରଠାରୁ ଏହି ଅତ୍ୟାଧୁନିକ କୋଠା ଏକପ୍ରକାର ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଅନେକ ସମୟରେ ସେଠାରେ ଅସାମାଜିଙ୍କ ଆଡ୍ଡା ଜମୁଛି। କ୍ୟାଣ୍ଟନ୍‌ମେଣ୍ଟ୍‌ ଥାନା ପୁଲିସ ସେଠାରେ ତିନି ଜଣ ହୋମଗାର୍ଡଙ୍କୁ ଜଗାଇଥିଲେ ବି କେଠା ଭିତରୁ ସବୁ ମୂଲ୍ୟବାନ ଉପକରଣ ଗାଏବ ହୋଇଯାଇଥିବା ଅଭିଯୋଗ ହେଉଛି। ୫ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ଏହି କୋଠାକୁ ଏଭଳି ଅବସ୍ଥାରେ ପକାଇ ରଖିବାର ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର