ଅଗ୍ନିଗର୍ଭରୁ ନାତୁଣୀକୁ ଉଦ୍ଧାର କଲେ ଜେଜେମା’

କଳାବାଡ଼ିଆ : ଘରେ ନିଆଁ ଲାଗି ହୁ ହୁ ଜଳୁଥିବା ବେଳେ ସାହସ ଦେଖାଇଛନ୍ତି ଜେଜେମା’। ନିଜ ଜୀବନକୁ ବାଜି ଲଗାଇ ୩ ମାସର ଶିଶୁକୁ ଅଗ୍ନିବଳୟରୁ ଉଦ୍ଧାର କରିଛନ୍ତି। ଏହି ଘଟଣାଟି ସମଗ୍ର ମୟୂରଭଂଜ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମସ୍ତେ ଜେଜେମା’ଙ୍କୁ ଧନ୍ୟଧନ୍ୟ କହିଛନ୍ତି। ଘଟଣା ଘଟିଛି ବାଙ୍ଗିରିପୋଷି ତହସିଲ ଅନ୍ତର୍ଗତ ଶୀତଳଦହ ଗ୍ରାମରେ। ଏହି ଗ୍ରାମର ଥବଳ ହେମ୍ବ୍ରମ ଓ ତାଙ୍କ ପୁଅ ରଘୁନାଥଙ୍କ ୫ ବଖରା ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ସୋମବାର, ସମୟ ପାଖାପାଖି ଦିନ ୧୨ଟା। ପରିବାରର ସଦସ୍ୟମାନେ ବିଲକୁ କାମ କରିବାକୁ ଯାଇଥିବାବେଳେ ଘରେ କେବଳ ୩ ମାସର ଶିଶୁଟି ‌ନିଘୋଡ଼ ନିଦରେ ଶୋଇଥାଏ। ଶିଶୁର ଯତ୍ନ ନେଉଥିବା ଜେଜେମା’ କିଛି ସମୟ ପୂର୍ବରୁ ଶିଶୁକୁ ଶୁଆଇ ଦେଇ ବାହାରକୁ ଚାଲି ଯାଇଥାନ୍ତି। କେହି ଜାଣିବା ପୂର୍ବରୁ ହଠାତ୍‌ ଘର ଉପରେ ନିଆଁ ଦେଖାଦେଲା। ଗ୍ରାମବାସୀ ପ୍ରାଣପଣେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଘେରରେ ରହିଯାଇଥିଲା ୩ ମାସର ଶିଶୁ। କେହି ସାହସ କରି ନଥିବା ବେଳେ ଜେଜେମା’ ଚିପି ପଶିଯାଇଥିଲେ ଘର ଭିତରକୁ। ଆଉ ନିରାପଦରେ ଉଦ୍ଧାର କରି ଆଣିଥିଲେ ଶିଶୁକନ୍ୟାକୁ।

ସମ୍ବନ୍ଧିତ ଖବର