୧୭ରୁ ବଢ଼ିବ ତାତି

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ତାତି ଟିକିଏ କମିଛି। ତଥାପି ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ସାଧାରଣ ଲେକେ। ପୂର୍ବାହ୍ନ ହେବା କ୍ଷଣି ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ତା’ ସାଙ୍ଗକୁ ତାପମାତ୍ରା ବି ୪୦ ଡିଗ୍ରି ନିକଟରେ ରହୁଛି। ଉପକୂଳରେ ତାତି ୩୮ ଡିଗ୍ରି ଛୁଇଁ ନ ଥିଲେ ବି ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଚାଲିଛି। ୧୬ ତାରିଖ ଯାଏ ଏଭଳି ଜାରି ରହିବ। ୧୭ ତାରିଖଠାରୁ ପୁଣିଥରେ ତାତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କାଳବୈଶାଖୀ ପ୍ରଭାବ ବି ଜାରି ରହିଛି। ଗତ ୨୪ ଘଣ୍ଟାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ମଧ୍ୟ ହୋଇଛି। ବାଲେଶ୍ୱରରେ ୨ ମି.ମି. ବର୍ଷା ହୋଇଥିବା ବେଳେ ଚାନ୍ଦବାଲି, ଝାରସୁଗୁଡ଼ା, କେନ୍ଦୁଝର, ଗୋପାଳପୁର, ଭୁବନେଶ୍ୱର, ପାରାଦ୍ୱୀପ, ପୁରୀରେ ହାଲକା ବର୍ଷା ହୋଇଛି। ୧୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଧା, କଟକ, ପୁରୀ, ଜଗତ୍‌ସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହୁଛି। ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। ୧୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ।

ଅନ୍ୟପକ୍ଷରେ ଆଜି ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସୋନପୁରରେ ୪୩.୨, ତାଳଚେର ଓ ଟିଟିଲାଗଡ଼ରେ ୪୨, ହୀରାକୁଦରେ ୪୧.୬, ସମ୍ବଲପୁରରେ ୪୧.୪, ଝାରସୁଗୁଡ଼ାରେ ୪୧, ଅନୁଗୁଳରେ ୪୦.୧, ସୁନ୍ଦରଗଡ଼ରେ ୪୦ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର