ଚାଷକୁ ବିପଦ : ୭ରୁ ୧୦ ଯାଏଁ ବର୍ଷିବ

ଭୁବନେଶ୍ୱର : ଉତ୍ତର ସୁମାତ୍ରା ଉପକୂଳ ଏବଂ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଦକ୍ଷିଣ ଆରବ ସାଗର ଏବଂ ଭାରତ ସାଗର ଉପରେ ରହିଛି। ଏହା ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଘନୀଭୂତ ହେବ। ୪୮ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇପାରେ। ଏହା ବାତ୍ୟାର ରୂପ ନେବ କି ନାହିଁ ସ୍ପଷ୍ଟ ହୋଇ ନଥିଲେ ହେଁ ଏହା ପ୍ରଭାବରେ ଉତ୍ତର ତାମିଲନାଡ଼ୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗର ଏଭଳି ସୂଚନା ଚାଷୀଙ୍କୁ ଡ଼ରାଇ ଦେଲାଣି। ଏବେ ଦକ୍ଷିଣ ଓ ଉପକୂଳ ଓ଼ଡ଼ିଶାରେ ଧାନ ପାଚିଗଲାଣି ଓ କାଟିବା ସମୟ ଉପନୀତ। ଦୁଇ ସପ୍ତାହ ତଳେ ହୋଇଥିବା ବର୍ଷାରୁ ବର୍ତିଯାଇଥିବା ଚାଷ ଏବେ ଏଥିରୁ ମୁକୁଳିପାରିବ କି ନାହିଁ, ସେ ଚିନ୍ତା ଚାଷୀକୁ ବିଚଳିତ କରିଦେଲାଣି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଏହି ଲଘୁଚାପଟି ସ୍ଥଳଭାଗରୁ ବହୁତ ଦୂରରେ ଥିବାରୁ ଏନେଇ ଏବେ ସ୍ପଷ୍ଟ ଚିତ୍ର ମିଳିନି। ଏହା ଏବେ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଦିଗରେ ମୁହାଁଇଥିବାରୁ ଆସନ୍ତା ୩ରୁ ୪ଦିନ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ। ଏହା ପ୍ରଭାବରେ ଓଡ଼ିଶାରେ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ହେବାର ସମ୍ଭାବନା ଅଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ୭ ଓ ୮ତାରିଖରେ ବର୍ଷା ହେବ। କିନ୍ତୁ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କଟକ ଆଦି ଜିଲ୍ଲା ଏବଂ ଏହା ସଂଲଗ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୬୦କିମି ରହିପାରେ। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିଲେ ହେଁ ଏହା ବାତ୍ୟାର ରୂପ ନେବ କି ନାହିଁ ୬ ତାରିଖ ବେଳକୁ ସ୍ପଷ୍ଟ ହେବ। ଏବେ ଧାନ ଅମଳ ସମୟ ହୋଇଥିବାରୁ ରାଜ୍ୟରେ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ଯେଉଁ ଯେଉଁ ଅଞ୍ଚଳରେ ବର୍ଷାର ସମ୍ଭାବନା ଅଛି ସେଠାରେ ଯେପରି ଚାଷୀ ବର୍ଷା ପୂର୍ବରୁ ଧାନ କାଟିବ, ସୁରକ୍ଷିତ ସ୍ଥାନରେ କିମ୍ବା ମଣ୍ଡିରେ ରଖିବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। କୌଣସି ପରିସ୍ଥିତିରେ ବି ଯେପରି ଧାନ ଫସଲ ନଷ୍ଟ ନହେବ ସେନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ କୁହାଯାଇଛି।

ଅପରପକ୍ଷେ ୪୮ଘଣ୍ଟା ମଧ୍ୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ର ଉପକୂଳ ଛୁଇଁବାକୁ ଥିବା ଓଖି ପ୍ରଭାବରେ ରାଜ୍ୟରେ ଶୀତ ଲହରି ବହୁଛି। ଏହା ପ୍ରଭାବରେ ଆସନ୍ତା ୨୪ଘଣ୍ଟା ରାଜ୍ୟରେ ପ୍ରବଳ ଶୀତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ଆସନ୍ତା ୫ତାରିଖରୁ କମ୍‌ ଶୀତ ଅନୁଭୂତ ହେବ। ବର୍ଷା ପରେ ଆସନ୍ତା ୧୨ତାରିଖରୁ ପୁଣି ଶୀତ ପଡ଼ିବ ବୋଲି କୁହାଯାଇଛି।

ଆଜି କେନ୍ଦୁଝର ଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୩ଡିଗ୍ରି ରହିଛି। ଏହାବାଦ୍‌ ଫୁଲବାଣୀରେ ୮.୪, ଦାରିଙ୍ଗବାଡିରେ ୯, ହୀରାକୁଦରେ ୯.୩, ଅନୁଗୁଳରେ ୧୧, ଭୁବନେଶ୍ୱରରେ ୧୨.୮, ସୁନ୍ଦରଗଡ଼ରେ ୧୩, ସମ୍ବଲପୁରରେ ୧୦.୮, କୋରାପୁଟରେ ୧୦.୫, ସୋନପୁରରେ ୧୧.୬, କଟକରେ ୧୨.୮ଡିଗ୍ରି ପାରଦ ରେକର୍ଡ ହୋଇଛି। ରାଜ୍ୟର ସମସ୍ତ ସ୍ଥାନରେ ରାତିର ତାପମାତ୍ରା ୧୬ଡିଗ୍ରି ତଳେ ରହିଛି।

ସମ୍ବନ୍ଧିତ ଖବର