ମନସୁନ ଟ୍ରାପ ଜାରି ରହିଥିବାରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରରୁ ଉତ୍ତର-ପୂର୍ବ ଦିଗକୁ ମନସୁନ ଟ୍ରାପ ଜାରି ରହିଥିବାରୁ ଏହା ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାଜାରି ରହିଛି । ଏହି ବର୍ଷା ଆହୁରି ୨ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।


ଦେଓଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡା ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।

ପାଣିପାଗ କେନ୍ଦ୍ର ରେକର୍ଡ ଅନୁଯାୟୀ ଗତକାଲି ଯାଜପୁରରେ ୨୩ ମିମି ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୨୧, ଭଦ୍ରକରେ ୧୯, କେନ୍ଦୁଝରରେ୧୭, ଭଦ୍ରକରେ ୧୫, ଜଗତସିଂହପୁରରେ ୧୪, ଢ଼େଙ୍କାନାଳରେ ୧୩, କଟକରେ ୧୧, ପୁରୀରେ ୬ ଓ ସୋନପୁରରେ ୬ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।

ସେପଟେ ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଜେଲ ପାଚେରୀ । ଯାଜପୁର ଉପକାରାଗାର ପାଚେରୀ ଭୁଷୁଡ଼ିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ତେବାସୀ । ଗତକାଲି ସାରାରାତି ବର୍ଷା ଲାଗି ରହିବା ଫଳରେ ବିଳମ୍ବିତ ରାତିରେ ଜେଲର ବାହାର ପାଚେରୀ ଭୁଷୁଡ଼ି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ କୌଣସି ଅନ୍ତେବାସୀ ବାହାରକୁ ଯାଇ ନଥିବାରୁ କେହି ଆହତ ହୋଇନାହଁନ୍ତି ।

ସମ୍ବନ୍ଧିତ ଖବର