କେମିତି ରାୟପୁରର ଏ ଗଳିରୁ ସେ ଗଳି ଘୁରି ବୁଲି କୋରିଅର ସଂସ୍ଥା ଖୋଜୁଥିଲା ପୁଞ୍ଜିଲାଲ? ତାର ପ୍ରମାଣ ଖୋଜି ବୁଲୁଛି କ୍ରାଇମବ୍ରାଞ୍ଚ

କଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲକୁ ମାରାଥନ୍‌ ଜେରା ଚଳାଇଥିବା କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।

ପ୍ରତିଶୋଧର ନିଆଁରେ ଜଳୁଥିବା ପୁଞ୍ଜିଲାଲ୍‌ ହତ୍ୟାର ନକ୍ସା ପ୍ରସ୍ତୁତ କରିବା ପରେ ତାକୁ ଚୂଡାନ୍ତ ରୂପ ଦେବା ପାଇଁ ଏକ ରିସ୍କାରେ ବସି ରାୟପୁରର ଏଗଳିରୁ ସେଗଳି ଘୁରି ବୁଲୁଥିଲା। ନିଜ ପରିଚୟକୁ ଗୋପନ ରଖି, ମୃତ୍ୟୁର ପାର୍ସଲ ପଠାଇବା ପାଇଁ ପୁଞ୍ଜିଲାଲ୍‌ ପହଞ୍ଚି ଯାଉଥିଲା ଗୋଟିଏ ପରେ ଗୋଟିଏ କୋରିୟର ସଂସ୍ଥାରେ। ଆଉ ଏହିଭଳି ଭାବେ ପୂରା ରାୟପୁର ସହରରେ ଘୁରି ବୁଲୁଥିଲା ମୃତ୍ୟୁର ସୌଦାଗର। ନିଜକୁ ପରଦା ଆଢୁଆଳରେ ରଖି ଘଟଣାକୁ ଚୁଡାନ୍ତ ରୂପ ଦେବାକୁ ଚାହୁଁଥିବା ପୁଞ୍ଜିଲାଲ୍‌ କୌଣସି ରିକ୍ସ ନେବାକୁ ଚାହୁଁନଥିଲା। ଆଉ ଏଥିପାଇଁ କରିଥିଲା ଭରପୁର ପ୍ରୟାସ। ଖାସକରି ଫିଲ୍ମ ଦୃଶ୍ୟମ ଚଳଚ୍ଚିତ୍ର ଭଳି କୌଣସି ପ୍ରମାଣ ରଖିବାକୁ ଚାହୁଁନଥିଲା ପୁଞ୍ଜିଲାଲ।

ପାର୍ସଲ ବୋମାଟିକୁ ପ୍ରସ୍ତୁତ କରି ରାୟପୁର ଯିବା ପରେ ଏହାକୁ କୋରିଅରରେ ପଠାଇବା ନେଇ ନୂଆ କୌଶଳ ଅବଲମ୍ବନ କରିଥିଲା। ଟ୍ରେନରୁ ଓହ୍ଲାଇବା ପରେ ପ୍ରଥମେ ରିକ୍ସାରେ କିଛି ବାଟ ଯାଇଥିଲା। ଏହାପରେ ଅଟୋ ରିକ୍ସାରେ ଯାଇଥିଲା କୋରିଅର ସଂସ୍ଥା। ତେବେ ନିଜେ କୋରିଅର୍‌ ସଂସ୍ଥାକୁ ନଯାଇ ଅଟୋବାଲା ହାତରେ ପଠାଇଥିଲା ପାର୍ସଲ ବୋମା। ଏବେ ସେହି ଅଟୋ ଓ ରିକ୍ସା ଚାଳକକୁ ଖୋଜିବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍‌।

ପୁଞ୍ଜିଲାଲ୍‌ ଯେତେବେଳେ ରିକ୍ସା ନେଇ ଗୋଟିଏ କୋରିୟର ସଂସ୍ଥାରୁ ଆଉ ଗୋଟିଏ କୋରିୟର ସଂସ୍ଥାକୁ ବୁଲୁଥିଲା, ସେହି ସମୟର ସିସିଟିଭି ଭିଜୁଆଲକୁ ଖୋଜି ବୁଲୁଛି କ୍ରାଇମବ୍ରାଂଚ୍‌ । କୌଣସି ସ୍ଥାନରେ ସରକାରୀ କିମ୍ବା ବ୍ୟକ୍ତିଗତ ଭାବେ ଲାଗିଥିବା ସିସିଟିଭି ଏହି ଦୃଶ୍ୟକୁ କଏଦ କରିଛି କି ? ଏହା ବ୍ୟତୀତ ପୁଞ୍ଜିଲାଲ୍‌ ବ୍ୟବହାର କରୁଥିବା ଲାପଟପ୍‌ ଓ ମୋବାଇଲରୁ ଉଡିଯାଇଥିବା ଡାଟାର ପୁନରୁର୍ଦ୍ଧାର ପାଇଁ ଗାନ୍ଧୀନଗର ଏବଂ ହାଇଦ୍ରାବାଦ ଫରେସନସିକ୍‌ ଲ୍ୟାବକୁ ପଠାଯିବ। ସେହିପରି କୋରିୟର ସଂସ୍ଥାର ସିସିଟିଭି ହାର୍ଡଡିସ୍କକୁ ଇସ୍ରାଏଲ୍‌ ପଠାଇବ କ୍ରାଇମବ୍ରାଂଚ୍‌। ମୃତ୍ୟୁର ସୌଦାଗର ପୁଞ୍ଜିଲାଲକୁ କଠୋରରୁ ଅତି କଠୋର ଶାସ୍ତି ଦେବା ପାଇଁ କ୍ରାଇମବ୍ରାଞ୍ଚ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ଥରେ ରିମାଣ୍ଡ ପାଇଁ ଆବେଦନ କରିବ।

ସମ୍ବନ୍ଧିତ ଖବର