ଭୁବନେଶ୍ୱରକୁ ଉଠିଯିବ ରେଳବାଇ ଆଇଜି ଅଫିସ

ପୁଣି ପୁଲିସ ବିଭାଗର ସ୍ଥାନାନ୍ତର ଯୋଜନା

କଟକ : ଏସ୍‌ଏପି(ସ୍ପେଶାଲ ଆର୍ମ ପୁଲିସ) ଅଫିସ ପରେ ଏବେ ପୁଲିସ ବିଭାଗର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଫିସକୁ ରାଜଧାନୀ ଭୁବନେଶ୍ୱରକୁ ଉଠାଇ ନେବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି। ବକ୍ସିବଜାର ପୁଲିସ ମୁଖ୍ୟାଳୟ ପରିସରରେ ଥିବା ରେଳବାଇ ଆଇଜିଙ୍କ କାର୍ଯ୍ୟଳୟ ସ୍ଥାନାନ୍ତର କରାଯିବାକୁ ସମସ୍ତ ଯୋଜନା ଶେଷ ହୋଇଥିବା ବେଳେ ଅଫିସ ସ୍ଥାନାନ୍ତର ବିରୋଧରେ ସ୍ୱର ତୀବ୍ର ହୋଇଥିବାରୁ ଏହାକୁ ଯଥାସମ୍ଭବ ଶେଷ ପର୍ଯ୍ୟନ୍ତ ଗୋପନୀୟ ରଖିବାକୁ ଉଦ୍ୟମ କରାଯାଉଛି।

ଭୁବନେଶ୍ୱର କଳ୍ପନା ଛକରେ ଥିବା କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଓ ସ୍ପେଶାଲ ଟାସ୍କ ଫୋର୍ସ ଏବଂ ବକ୍ସିବଜାରରେ ଥିବା ଏସ୍‌ଏପିଙ୍କ ନୂଆ କାର୍ଯ୍ୟାଳୟ ଅକ୍ଟୋବର ୨୫ ତାରିଖରେ ୟୁନିଟ୍‌-୫ରେ ଉଦ୍‌ଘାଟିତ ହୋଇଥିଲା । ସେବେଠୁ ପୁଲିସ ବିଭାଗର ତିନିଟି ଗୁରୁତ୍ୱପୂର୍ଣ୍ଣ ଶାଖା ସ୍ଥାନାନ୍ତର କରାଯାଇଥିଲା । କଟକରେ ଏସ୍‌ଏପିଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିଥିଲେ । କିନ୍ତୁ ଏବେ ବକ୍ସିବଜାର ରେଳବାଇ ଆଇଜିଙ୍କ କାର୍ଯ୍ୟାଳୟ କଳ୍ପନା ଛକରେ ପୁରୁଣା ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ରେଳବାଇ ଆଇଜିଙ୍କ କାର୍ଯ୍ୟାଳୟ ୧୦ ବର୍ଷ ତଳେ ପ୍ରଥମେ କଲେଜ ଛକସ୍ଥିତ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଚାଲୁଥିଲା। କିନ୍ତୁ ସେଠି ବର୍ଷା ପାଣି ପଶିବାରୁ ଉକ୍ତ କାର୍ଯ୍ୟାଳୟକୁ ପୁଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସେଠି ଏବେ ଜଣେ ଆଇଜି ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଅଧୀନରେ ପାଖାପାଖି ୨୫ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଆଇଜିଙ୍କ ଅଧୀନରେ ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଇନ୍‌ସ୍ପେକ୍ଟରଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ରହିଛନ୍ତି । ଏଠି ଆଇଜିଙ୍କ ଗୋପନୀୟ ବିଭାଗ, ଅପରାଧ ନଥି ବିଭାଗ, ଆକାଉଣ୍ଟ ସେକ୍ସନ ଏବଂ ଡାକ ବିଭାଗ କାର୍ଯ୍ୟ କରୁଛି । ପୁଲିସ ମୁଖ୍ୟାଳୟ ସଂପ୍ରସାରଣ କରିବା ଉଦ୍ଦେଶ୍ୟରେ ରେଳବାଇ ଆଇଜିଙ୍କ କାର୍ଯ୍ୟାଳୟକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବାକୁ କସରତ ଆରମ୍ଭ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତ୍ତମାନର ବିରୋଧାଭାଷକୁ ଦୃଷ୍ଟିରେ ରଖି ସାଧାରଣରେ କାର୍ଯ୍ୟାଳୟ ସ୍ଥାନାନ୍ତର ଖବର ଯେଭଳି ପ୍ରକାଶ ନହୁଏ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ କୌଣସି ସୂଚନା ନଦେବାକୁ ଅଲିଖିତ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ କଟକରେ ଥିବା ଭେଟନାରି ଓ ଫିସରି ନିର୍ଦ୍ଦେଶାଳୟକୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ହୋଇଥିବା ନିଷ୍ପତ୍ତି ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ କଟକ ବଞ୍ଚାଅ କମିଟିର ଆବାହକ ବରଦାପ୍ରସନ୍ନ ପଟ୍ଟନାୟକଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହାର ସ୍ଥାନାନ୍ତର ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ସରକାରଙ୍କୁ ନୋଟିସ୍‌ ଜାରି କରିଥିଲେ। ପୂର୍ବରୁ ପୁଲିସ ମୁଖ୍ୟାଳୟରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇ ସାରିଥିବା ବେଳେ ଏହି ପ୍ରକ୍ରିୟାରେ ଏବେ ରେଳବାଇ ଆଇଜିଙ୍କ ଅଫିସ ଉଠାଇ ନେବାକୁ ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର