ବଡ଼ ଆଇଏଏସ୍ ଅଦଳବଦଳ ଚିନ୍ତା : ଏ ମାସ ୩ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା ଅଧିକାରୀଙ୍କ ଅବସର

କେନ୍ଦ୍ରକୁ ଯିବା ପାଇଁ ତୁହିନକାନ୍ତ ଓ ଗିରୀଶ ଆଗ୍ରହୀ, ପରବର୍ତୀ ଉନ୍ନୟନ କମିସନର ନେଇ କଳ୍ପନାଜଳ୍ପନା, ୮୮,୮୯ ବ୍ୟାଚ୍ ଅଫିସରଙ୍କୁ ପଦୋନ୍ନତି ସୁଯୋଗ

ଭୁବନେଶ୍ବର : କିଏ ହେବେ ପରବର୍ତୀ ଉନ୍ନୟନ କମିସନର? ନିର୍ବାଚନ ବର୍ଷରେ ସରକାର ପୁଣି କିଛି ଅଧିକାରୀଙ୍କୁ ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ଦେବେ କି? କାହାକୁ ମିଳିବ ଲାଭଜନକ ପଦବି। ଆଉ କେଉଁ ସଚିବ ଗୁରୁତ୍ବପୂର୍ଣ୍ଣ ବିଭାଗ ହରାଇବେ?

ଏମିତି କିଛି ପ୍ରଶ୍ନକୁ ନେଇ ଏବେ ରାଜ୍ୟ ସଚିବାଳୟ, ପ୍ରଶାସନିକ କରିଡରରେ ଘମାେଘାଟ ଆଲୋଚନା ଚାଲିଛି। ଉନ୍ନୟନ କମିସନର ଆର୍ ବାଲକ୍ରିଷ୍ଣନଙ୍କ ସମେତ ତିନି ତିନି ଜଣ ମୁଖ୍ୟ ସଚିବ ପାହ୍ୟାର ଅଫିସର ଏହି ମାସରେ ଅବସର ନେଉଥିବା ପରିେପ୍ରକ୍ଷୀେର ଏବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ଏହି ଚର୍ଚ୍ଚା ଆହୁରି ଜୋର ଧରିବାର କାରଣ ହେଉଛି, ମୁଖ୍ୟସଚିବ ପାହ୍ୟାର ଅଧିକାରୀ ତୁହିନକାନ୍ତ ପାେଣ୍ଡଙ୍କ ସମେତ ଆଉ କିଛି ଅଧିକାରୀ କେନ୍ଦ୍ରୀୟ ଡେପୁେଟସନରେ ଯିବା ପାଇଁ ଆେବଦନ କରିଛନ୍ତି। ଫଳରେ ମାସ ଶେଷ ବେଳକୁ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳେ ହବା ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ।

୧୯୮୪ ବ୍ୟାଚର ଆଇଏଏସ୍ ଅଫିସର ତଥା ଉନ୍ନୟନ କମିସନର ଆର୍ ବାଲକ୍ରିଷ୍ଣନ୍ ଚଳିତ ମାସରେ ଅବସର ନେଉଛନ୍ତି। ୧୯୮୫ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର ଓ ସେହି ବ୍ୟାଚର ବିପିନ କୁମାର ସାେକ୍ସନା ମଧ୍ୟ ଚଳିତମାସରେ ଅବସର ନେବେ। ଉଭୟ ମୁଖ୍ୟଶାସନ ସଚିବ ପାହ୍ୟାର ଅଧିକାରୀ। ଅର୍ଥାତ୍ ତିନିଟି ତିନିଟି ମୁଖ୍ୟସଚିବ ପାହ୍ୟାର ପଦବି ଏକାସାଙ୍ଗରେ ଖାଲି ହେବ।

ମୁଖ୍ୟଶାସନ ସଚିବଙ୍କ ପରେ ରାଜ୍ୟ ପ୍ରଶାସନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଥିବା ଉନ୍ନୟନ କମିସନର ପଦବିରେ କାହାକୁ ନିଯୁକ୍ତି ଦିଆଯିବ, ସେ ନେଇ ଚର୍ଚ୍ଚା ଜୋର ଧରିଲାଣି। ବରିଷ୍ଠତା ଭିିତ୍ତିରେ ବିଚାର କଲେ ଅତିରିକ୍ତ କୃଷି ଉତ୍ପାଦନ କମିସନର ଗଗନ ବିହାରୀ ଧଳ ଏହି ପଦ ପାଇବା କଥା। କିନ୍ତୁ ଆଗକୁ ନିର୍ବାଚନ ଥିବା କାରଣରୁ ଶ୍ରୀ ଧଳଙ୍କୁ ଯେ ଏହି ଗୁରୁତ୍ବପୂର୍ଣ୍ଣ ପଦବି ମିଳିବ, ସେ ଆଶା କମ୍। ତାଙ୍କ ଛଡା ଆଉ କିଛି ବରିଷ୍ଠ ଅଧିକାରୀଙ୍କ ନାମକୁ େନଇ ମଧ୍ୟ ସରକାର ବିଚାର ଆେଲାଚନା ଚଳାଇଥିବା ଖବର ମିଳିଛି। ସ୍ବରାଷ୍ଟ୍ର ବା ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାର ଅଧିକାରୀ ଅସିତ କୁମାର ତ୍ରିପାଠୀ ଏହି ତାଲିକାର ଆଗରେ ଅଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଦୁଇ ବରିଷ୍ଠ ଅଧିକାରୀ ଲକ୍ଷ୍ମୀ ନାରାୟଣ ଗୁପ୍ତା ଓ ସୁେରଶ ଚନ୍ଦ୍ର ମହାପାତ୍ରଙ୍କ ନାମକୁ ନେଇ ସରକାର ବିଚାର କରୁଛନ୍ତି।

ଅନ୍ୟପକ୍ଷରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ପୁଣି ଥରେ କେନ୍ଦ୍ରୀୟ ଡେପୁେଟସନରେ ଯିବା ଲାଗି ଆଗ୍ରହ ଦେଖାଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାେର, ସେ ଏ ନେଇ ରାଜ୍ୟ ସରକାରଙ୍କୁ ଆବେଦନ କରିସାରିେଲଣି। ସେହିଭଳି ଗିରୀଶ ଏସ୍ ଏନ୍ ମଧ୍ୟ କେନ୍ଦ୍ରକୁ ଯିବା ଲାଗି ଚାହିଁଛନ୍ତି।

ତିନି ଜଣ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ଅବସର ନେବେ ଓ ଜଣେ ସେହି ପାହ୍ୟାର ଅଧିକାରୀ କେନ୍ଦ୍ରକୁ ଗଲେ, ୪ଟି ପଦବି ଖାଲି ହେବ। ସ୍ବାଭାବିକ ଭାବେ ୧୯୮୮ ବ୍ୟାଚ୍ ଆଇଏଏସଙ୍କ ପଦୋନ୍ନତି ବାଟ ଖୋଲିବ। ଅର୍ଥାତ୍ ଏହି ବ୍ୟାଚର ଅଧିକାରୀଙ୍କୁ ରାଜ୍ୟ ସରକାର ତୁରନ୍ତ ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ଦେଇପାରନ୍ତି। ତାହା ହେଲେ, ବରିଷ୍ଠ ପ୍ରଶାସକ ତଥା ପ୍ରମୁଖ ଶାସନ ସଚିବ ପାହ୍ୟାରେ ଥିବା ସି ଜେ ବେଣୁେଗାପାଳ ଓ ପ୍ରଦୀପ କୁମାର ମହାପାତ୍ରଙ୍କୁ ମୁଖ୍ୟଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିପାରେ। ସେହି ବ୍ୟାଚର ଅନ୍ୟ ଜଣେ ଅଧିକାରୀ ପରାଗ ଗୁପ୍ତା କେନ୍ଦ୍ରୀୟ ଡେପୁେଟସନରେ ଅଛନ୍ତି। ଏଣୁ ସରକାର ଚାହିଁଲେ ୧୯୮୯ ବ୍ୟାଚକୁ ମଧ୍ୟ ଏହି ପାହ୍ୟାକୁ ଟାଣି ଆଣିପାରନ୍ତି। ଏମିତି ହେଲେ ଏହି ବ୍ୟାଚର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ଜେନା, ମୋନା ଶର୍ମା ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ପାଇବେ। ଏମାନଙ୍କ ତଳେ ଥିବା ଏହି ବ୍ୟାଚର ଅନ୍ୟ ତିନି ଜଣ ଅଫିସରଙ୍କ ମଧ୍ୟରୁ ବିେନାଦ କୁମାରଙ୍କ ଦୁର୍ନୀତି ଅଡୁଆ ଜାଲରେ ଛନ୍ଦି ହୋଇଥିବା ବେଳେ ସିଟିଏମ୍ ସୁଗୁଣା ଅବସର ନେଇସାରିଛନ୍ତି ଓ ଦେବେନ୍ଦ୍ର ନାଥ ଗୁପ୍ତା ‌ସ୍ବଚ୍ଛାକୃତ ଅବସର ନେଇଛନ୍ତି। ଏଣୁ ୧୯୮୯ ବ୍ୟାଚକୁ ସରକାର ସୁେଯାଗ ଦେବା ସମ୍ଭାବନା ଅଧିକ।

ଏସବୁ କାରଣରୁ ଚଳିତମାସ ଶେଷରେ ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ଲାଗି ସୁେଯାଗ ସୃଷ୍ଟି ହୋଇଛି। ଏମିତିେର ବି ଦେଓରଂଜନ ସିଂହ ଦୀର୍ଘ ଦିନ ଧରି ପଞ୍ଚାୟତିରାଜ ବିଭାଗ ଦାୟିତ୍ବରେ ଅଛନ୍ତି। ଶକ୍ତି ବିଭାଗ ସଚିବ ପଦବି ସହିତ ଅନ୍ୟ ସବୁ ଶାଖା ରହିଛି ହେମନ୍ତ ଶର୍ମାଙ୍କ ହାତରେ। ତାଙ୍କ ହାତରେ ଲୋକସଂପର୍କ ବିଭାଗ ବି ରହିଛି। ସେହିଭଳି ଦୀର୍ଘ ଦିନ ଧରି ନଗର ଉନ୍ନୟନ ବିଭାଗ ଦାୟିତ୍ବରେ ଜି ମାଥିଭାତନନ ଅଛନ୍ତି। ଏଣୁ ଏସବୁକୁ ନେଇ ସରକାର ବଡ଼ ବଦଳି କରିବାକୁ ଯେ‌ାଜନା ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର