ଲିଜ୍ ବାହାର ସ୍ଥାନରୁ ବ୍ୟାପକ ବାଲି ଉଠା : ଛତିଶଗଡ଼ ବୁହା ଚାଲିଛି, ମାଫିଆଙ୍କ ଆକ୍ରମଣ ପରେ ଚଢ଼ଉ ପାଇଁ ଡରୁଛନ୍ତି ଅଧିକାରୀ!
ସୁନ୍ଦରଗଡ଼ : ବାଲି ଚୋରା ଚାଲାଣକୁ ବରଦାସ୍ତ କରାଯିବ ନାହିଁ। ବେଆଇନ ଭାବେ କୌଣସି କ୍ଷେତ୍ରରୁ ଆଞ୍ଜୁଳାଏ ବାଲି ମଧ୍ୟ ଉଠାଣ ହୋଇପାରିବ ନାହିଁ। ବାଲି ମାଫିଆମାନଙ୍କୁ ସାବାଡ଼ କରାଯିବ। ଜିଲ୍ଲାପାଳଙ୍କ ଦ୍ବାରା ଗଠିତ ଏକ ଟିମ୍ ବାଲି ଚୋରା ଚାଲାଣ ରୋକିବା ପାଇଁ ନିୟମିତ ତଦାରଖ କରିବା ସହ ଚଢ଼ଉ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏପରିକି ଟେଣ୍ଡରପ୍ରାପ୍ତ ଠିକାଦାର ଯଦି ନିୟମ ବହିର୍ଭୁତ କାର୍ଯ୍ୟ କରନ୍ତି ତେବେ ତାଙ୍କ ନିଲାମ ମଧ୍ୟ ବାତିଲ କରାଯିବ। ଗତ ଏପ୍ରିଲ ୨୬ରେ ରାଜସ୍ବ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଏଭଳି ମାର୍ଗଦର୍ଶିକା ଜାରି କରି ଜିଲ୍ଲାପାଳମାନଙ୍କୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସୁନ୍ଦରଗଡ଼ରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଏଠାରେ ମାର୍ଗଦର୍ଶିକାର ସଠିକ ଅନୁପାଳନ ହେଉ ନଥିବା ବେଳେ ବାଲିମାଫିଆମାନଙ୍କୁ ସାବାଡ଼ କରିବା ଦୂରେ ଥାଉ, ଓଲଟା ସରକାରୀ ଅଧିକାରୀମାନଙ୍କୁ ବାଲିମାଫିଆମାନେ ଜବତ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ତହସିଲ କ୍ଷେତ୍ର ଇବ୍ନଦୀକୁ ଉଦାହରଣ ଭାବେ ନିଆଯାଇପାରେ। ସେଠାରେ ଏବେ ବାଲିମାଫିଆଙ୍କ ରାଜ ଚାଲିଛି। ଲିଜ୍ ବାହାର ସ୍ଥାନରୁ ଟ୍ରକ ଓ ଟ୍ରାକ୍ଟର ଯୋଗେ ଟନ୍ ଟନ୍ ବାଲି ଉଠାଇ ପଡ଼ୋଶୀ ଛତିଶଗଡ଼ ଚାଲାଣ କରୁଛନ୍ତି। ନିର୍ଭୟରେ ବାଲି ଚୋରା ଚାଲାଣ କରୁଥିବା ଏହି ମାଫିଆମାନଙ୍କୁ ଧରିବାକୁ ରାଜସ୍ବ ବିଭାଗ ଅଧିକାରୀମାନେ ଡରୁଛନ୍ତି। କାରଣ ମାଫିଆମାନେ ଅଧିକାରୀମାନଙ୍କୁ ଧମକଚମକ ଦେବା ସହ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। ଗତ ମାର୍ଚ୍ଚ ୨୦ରେ ଛତିଶଗଡ଼ ସୀମାନ୍ତ ଇବ୍ ନଦୀ ତେଲିଯୋର ଉପରମୁଣ୍ଡ ପଠାରେ ବାଲି ଚୋରି ରୋକିବାକୁ ଯାଇଥିବା ବାଲିଶଙ୍କରା ରାଜସ୍ବ ନିରୀକ୍ଷକ ସିଦ୍ଧାର୍ଥ ମହାନ୍ତି ବାଲି ଚୋରଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ବାଲି ଚାଲାଣକାରୀ ଓ ତାଙ୍କ ସହଯୋଗୀ ଶ୍ରୀ ମହାନ୍ତିଙ୍କୁ ମାଡ଼ ମାରିବା ସହ ସରକାରୀ କାଗଜପତ୍ର ଛଡ଼ାଇ ନେଇଥିଲେ। ଏହା ପରେ ତଳସରା ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ମାମଲା ରୁଜୁ କରିଥିଲେ ବି ଅଭିଯୁକ୍ତକୁ ଗିରଫ କରି ନଥିଲା। ଅପରାଧିକ କାର୍ଯ୍ୟ ରୋକିବାକୁ ଯାଇଥିବା ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ପିଟ କରି କାଗଜପତ୍ର ଛଡ଼ାଇନେବା ଭଳି ଗମ୍ଭୀର ଘଟଣାରେ ପୁଲିସ ନିଷ୍କ୍ରିୟ ଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଏ ଘଟଣା ପ୍ରତି ବିଶେଷ ଗୁରୁତ୍ବ ଦେଇ ନଥିବା ଅଭିଯୋଗ ହୋଇଥିଲା। ଏହି ଅସହଯୋଗ ଅଧିକାରୀମାନଙ୍କ ମନୋବଳ ଭାଙ୍ଗି ଦେଇଥିଲା। ସେପଟେ ଆଇନକୁ ଉପହାସ ଭଳି ଅଭିଯୁକ୍ତ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ନେଇ ଆସିଲେ। ଏବେ ପୁଣି ବାଲି ଚାଲାଣ ଆରମ୍ଭ ହୋଇଛି। ମାଫିଆମାନେ ଇବ୍ନଦୀରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ହେଲେ ଆକ୍ରମଣ ଭୟରେ ରାଜସ୍ବ ଅଧିକାରୀ ଆଉ ଚୋରା ଚାଲାଣ ରୋକିବାକୁ ପ୍ରୟ ଯାଉ ନାହାନ୍ତି। ଗୋଟିଏ ପଟେ ବିଭାଗୀୟ ସଚିବ ବାଲିଚୋରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ଓ ଅନ୍ୟପଟେ ଚଢ଼ଉର ନେତୃତ୍ବ ନେଉଥିବା ଅଧିକାରୀଙ୍କୁ ଆକ୍ରମଣ ପରେ ମଧ୍ୟ ପୁଲିସ, ପ୍ରଶାସନ ନିରବ ରହିବା ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଯଦି କୌଣସି ଠାରେ ବେଆଇନ ବାଲି ଉଠାଣ ହେବାର ସନ୍ଧାନ ମିଳିଲା ତେବେ ସେ କ୍ଷେତ୍ରରେ ଜିଲ୍ଲାପାଳଙ୍କ ଦ୍ବାରା ଗଠିତ ଟିମ୍ ଏମଏମଡିଆର ଆଇନ ୧୯୫୨ ଓ ନିୟମ ୫୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜିଲ୍ଲା ପ୍ରଶାସନ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଯନ୍ତ୍ରପାତି ଜବତ କରିବେ। ଏହା ସହ ବାଲି ଚୋରି ରୋକିବା ପାଇଁ ସଇରାତର ସ୍ଥାନେ ସ୍ଥାନେ ଅସ୍ଥାୟୀ ଚେକ୍ଗେଟ୍ ରହିବ। ଯେଉଁ ସ୍ଥାନରୁ ଚୋରି ଅଭିଯୋଗ ଆସିବ ୭୨ ଘଣ୍ଟା ମଧ୍ୟରେ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାର୍ଗଦର୍ଶିକା ଜାରି କରାଯାଇଛି।