ନବରଙ୍ଗପୁର: କୋଡିଙ୍ଗା ଥାନା ପୁଲିସ ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ କୋଷଗୁମୁଣ୍ଡା ଥାନା ଇନ୍ସପେକ୍ଟର ପୁଷ୍ପେନ୍ଦୁ ସାଗରଙ୍କୁ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ନିଲମ୍ବିତ କରିଛନ୍ତି। କୋଷଗୁମୁଣ୍ଡା ଥାନାର ଇନ୍ସପେକ୍ଟର କୋଡିଙ୍ଗା ଥାନାର ଅତିରିକ୍ତ ଦାୟିତ୍ବରେ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି କୋଷଗୁମୁଣ୍ଡା ଥାନା ଇନ୍ସପେକ୍ଟର ପୁଷ୍ପେନ୍ଦୁ ସାଗର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଅଭିଯୁକ୍ତଙ୍କ ମୃତ୍ୟୁ ପଛର କାରଣ ନେଇ ଖୋଲତାଡ କରିବା ପରେ ଏଥିରେ କୋଷଗୁମୁଣ୍ଡା ଥାନା ଇନ୍ସପେକ୍ଟର ପୁଷ୍ପେନ୍ଦୁ ସାଗର ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, କୋଡିଙ୍ଗା ଥାନା ଦାୟିତ୍ବରେ ଥିବା ଇନ୍ସପେକ୍ଟର ପୁଷ୍ପେନ୍ଦୁ ସାଗର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ତେବେ ଏହି ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଥାନାରେ ଶୋଚନୀୟ ହୋଇ ପଡ଼ିଥିଲା। ଫଳରେ ତାଙ୍କୁ କୋଷଗୁମୁଣ୍ଡା ଓ ପରେ ନବରଙ୍ଗପୁର ମେଡିକାଲରୁ ବିଶାଖାପାଟନମ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା। ବିଶାଖାପାଟନମ୍ ହସ୍ପିଟାଲ ନେଉଥିବା ସମୟରେ ଉକ୍ତ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଲୋକମାନଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରିଥିଲେ। ଅନେକ ସମୟ ଧରି ଥାନା ଘେରାଉ କରିବା ସହ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ତେବେ ଏହି ଘଟଣାର ଉଚିତ ତଦନ୍ତ ପାଇଁ ଚାପ ପଡ଼ିବା ପରେ ଖୋଲତାଡ ଆରମ୍ଭ ହୋଇଥିଲା। ଉକ୍ତ ଅଭିଯୁକ୍ତର ମୃତ୍ୟୁ ପଛରେ କୋଷଗୁମୁଣ୍ଡା ଥାନା ଇନ୍ସପେକ୍ଟର ପୁଷ୍ପେନ୍ଦୁ ସାଗର ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି।