୨୦୨୩ ପର୍ଯ୍ୟନ୍ତ ସମନ୍ଵିତ ଉପକୂଳ ପ୍ରକଳ୍ପ ସଂପ୍ରସାରିତ : ୩୦୮ କୋଟିର ପର୍ଯ୍ୟାୟ-୨ ପ୍ରକଳ୍ପକୁ ମଞ୍ଜୁରି

0 27

ଭୁବନେଶ୍ୱର : ୨୦୧୦ରୁ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଛି ସମନ୍ଵିତ ଉପକୂଳ ଅଞ୍ଚଳ ପରିଚାଳନା ପ୍ରକଳ୍ପ (ଆଇସିଜେଡ୍‌ଏମ୍‌ପି)। ଚଳିତ ବର୍ଷ ଡିସେମ୍ବର ଶେଷରେ ଏହାର କାର୍ଯ୍ୟକାଳ ସରିବ। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ ଦେଇଛିି। ବିଶ୍ୱବ୍ୟାଙ୍କ ସହାୟତାରେ ଚାଲିଥିବା ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ୩୦୮ କୋଟି ମଧ୍ୟ ମଞ୍ଜୁର ହୋଇଛି। ଫଳରେ ଅନିଶ୍ଚିତତତା ମଧ୍ୟରେ ଗତି କରୁଥିବା ଏହି ପ୍ରକଳ୍ପର ରାସ୍ତା ଫିଟିଯାଇଛି, ଯାହାଫଳରେ ଆଗାମୀ ୨୦୨୩ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଜାରି ରହିବ।

ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରଙ୍କ ସୂଚନା ଅନୁଯାୟୀ ଆଇସିଜେଡ୍‌ଏମ୍‌ପିର ୨ୟ ପର୍ଯ୍ୟାୟ ସମ୍ପ୍ରସାରିତ ହୋଇଥିବା ନେଇ କେନ୍ଦ୍ର ମନ୍ତ୍ରାଳୟରୁ ସବୁଜ ସଙ୍କେତ ମିଳିଛି। ଏହି ସମନ୍ଵିତ ଉପକୂଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ଦେଶର ପଶ୍ଚିମବଙ୍ଗ, ଗୁଜୁରାଟ୍‌ ଓ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ତେବେ ୨ୟ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଦେଶର ସମସ୍ତ ସମୁଦ୍ର କୂଳବର୍ତୀ ରାଜ୍ୟଗୁଡ଼ିକୁ ସମ୍ପ୍ରସାରିତ ହେବ। ଏଥିପାଇଁ ଜାତୀୟ ଉପକୂଳ ମିସନ ଗଠନ ହେବ ବୋଲି ସ୍ଥିର ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ ପ୍ରାରମ୍ଭିକ ପ୍ରକଳ୍ପ ପ୍ରସ୍ତାବ ଦେଇଛି। ରାଜ୍ୟ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି ଚାଲିଛି। ଏହା ଖୁବଶୀଘ୍ର କେନ୍ଦ୍ର ପରିବେଶ ଓ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟକୁ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୪୮୦ କି.ମି. ଦୀର୍ଘ ଉପକୂଳ ମଧ୍ୟରୁ ପ୍ରାୟ ୧୮୦ କି.ମି. ପରିମିତ ଉପକୂଳ ଅଞ୍ଚଳରେ କାର୍ଯ୍ୟ ହୋଇଛି। ୨୦୧୦ ସେପ୍ଟେମ୍ବର ମାସରୁ ରାଜ୍ୟରେ ଆଇସିଜେଡ୍‌ଏମ୍‌ପି କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପର ପ୍ରକଳ୍ପ ଅଟକଳ ୨୨୭.୬୪ କୋଟି ଟଙ୍କା ଥିଲା। କିନ୍ତୁ ପ୍ରକଳ୍ପର ଆବଶ୍ୟକତା ଦୃଷ୍ଟିରୁ ପ୍ରକଳ୍ପକୁ ୨୦୧୮ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଫଳରେ ପ୍ରକଳ୍ପ ଅଟକଳ ୩୩୪.୮୬ କୋଟିକୁ ବୃଦ୍ଧି ପାଇଛି। ତେବେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାନ୍ଵୟନ ଦୃଷ୍ଟିରୁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଗ୍ରଣୀ ବୋଲି ରାଜ୍ୟରେ ଚାଲିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରି ମତ ଦେଇଥିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ସୂଚନାନୁସାରେ ଦ୍ୱିତୀୟ ପର୍ଯାୟରେ ପ୍ରସ୍ତାବିତ ପ୍ରସ୍ତାବଗୁଡ଼ିକ ମଧ୍ୟରେ ଅବଶିଷ୍ଟ ୩୦୦ କି.ମି. ଉପକୂଳ ଅଞ୍ଚଳରେ କାର୍ଯ୍ୟ କରାଯିବ। ଏଥିପାଇଁ ବ୍ରହ୍ମପୁର ନିକଟ ରାମାୟାପଟ୍ଟନମ୍‌ ଓ ରାଜନଗରରୁ ଗୋପାଳପୁର ପର୍ଯ୍ୟନ୍ତ ଉପକୂଳରେ ସମୁଦ୍ର ଅନୁପ୍ରବେଶକୁ ପ୍ରତିହତ କରିବା ନିମନ୍ତେ ମାଟି-ପଥର ବନ୍ଧ କରାଯିବାର ପ୍ରସ୍ତାବ ରହିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଚିଲିକାରେ ପଡ଼ୁଥିବା ଦୟା, ମକରା, ଲୁଣା ନଦୀଗୁଡ଼ିକ ସହିତ ଗୋବରୀ ନଦୀ ଖନନ କରି ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପ୍ରସ୍ତାବ ରହିଛି। ସେହିପରି ଉପକୂଳରେ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ପୁରୀ ଓ ଗୋପାଳପୁରରେ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ, ଚିଲିକା ଉପକୂଳ ଗ୍ରାମର ଲୋକମାନଙ୍କୁ ଜୀବନ ଓ ଜୀବିକା ମାନରେ ଉନ୍ନତି ଆଦି ପ୍ରସ୍ତାବ ଅନ୍ତର୍ଗତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.