ଦିଲ୍ଲୀ ଏମସ୍‌ ଛାଡ଼ି ଗାଁକୁ ଫେରିବେ କନ୍ଧମାଳର ଜଗା-କାଳିଆ!

ନୂଆଦିଲ୍ଲୀ: ଓଡ଼ିଶାର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଛାଡି ନିଜ ଭିଟାମାଟି ମିଲୁପଡ଼ା ଫେରିିପାରନ୍ତି। ଜଗା-କାଳିଆଙ୍କ ବାପା-ମା’ଙ୍କ କହିବା ଅନୁସାରେ ଘରେ ତାଙ୍କର ଆଉ ୨ ସନ୍ତାନ ଅଛନ୍ତି। ପ୍ରାୟ ଦେଢ଼ ବର୍ଷ ହେବ ସେମାନେ ନିଜର ଅନ୍ୟ ୨ ସନ୍ତାନକୁ ଦେଖି ନାହାନ୍ତି। ତେଣୁ ସେମାନେ ଦିଲ୍ଲୀ ଛାଡି ନିଜ ଗାଁ ଫେରିବାକୁ ଚାହାନ୍ତି। ମାତ୍ର ଦିଲ୍ଲୀ ଏମସ୍‌ ଛାଡ଼ିବାକୁ ହେଲେ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅନୁମତି ଦରକାର ଥିବାରୁ ସେମାନେ ଆସି ପାରୁ ନାହାନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଗା-କାଳିଆର ବାପା ଭୂୟା କହଁର ଦିଲ୍ଲୀ ଛାଡ଼ି ଘରକୁ ଆସିବା ପାଇଁ ରାଜ୍ୟ ସରକାରଙ୍କୁ କିଛି ଦିନ ତଳେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଜଗା କାଳିଆଙ୍କୁ ସରକାରୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଉ।

ସୂଚନାଯୋଗ୍ୟ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ବ୍ୟାପକ ଉନ୍ନତି ଆସିଛି। ଉଭୟ ଶିଶୁ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ସୁସ୍ଥ ଅନୁଭବ କରୁଛନ୍ତି। ଜଗା ହସ୍ପିଟାଲରେ ବେଡରୁ ଉଠି ବାହାରେ ବୁଲାବୁଲି କରୁଛି। କିଛି ଦିନ ତଳେ ସେ ପ୍ରଥମ ଥର ପାଇଁ ଏମ୍ସ ବାହାରକୁ ଯାଇ ଇଣ୍ଡିଆ ଗେଟ ବୁଲିଥିଲା। ସେହିପରି କାଳିଆର ସ୍ୱାସ୍ଥ୍ୟଗତ ଉନ୍ନତି ହୋଇଥିବା ପରିଲକ୍ଷିତ ହେଉଛି। କାଳିଆ ତରଳ ଖାଦ୍ୟ ଖାଉଛି।

ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଅକ୍ଟୋବରରେ ଏମ୍ସ ଡାକ୍ତର ଟିମ ୨୧ ଘଣ୍ଟା ସର୍ଜରୀ କରିବା ପରେ ଜଗା-କାଳିଆଙ୍କୁ ଅଲଗା କରିଥିଲେ। ଏକଦା ଯୋଡ଼ାମୁଣ୍ଡ ଜଗା-କାଳିଆଙ୍କ ସଫଳ ଅପରେସନ ପାଇଁ ଦେଶବାସୀ ଚିନ୍ତା କରିଥିଲେ। ଓଡ଼ିଶାରେ ଅନେକ ସାମାଜିକ ସଂଗଠନ ପକ୍ଷରୁ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିରରେ ଦୀପ ଜାଳିଥିଲେ।

ସମ୍ବନ୍ଧିତ ଖବର