ପୁରୀ: ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା। ଏହି ଟଙ୍କା ୬.୨୬ % ସୁଧ ହାରରେ ରହିବ । ଦୁଇ ବ୍ୟାଙ୍କରେ ଜମା ଟଙ୍କାର ୫୦% ଲେଖାଁ ଅଂଶଧନ ଜମା ରହିବ। ପୂର୍ବରୁ ଟେଣ୍ଡର କରାଯାଇ ୟୁନିୟନ ବ୍ୟାଙ୍କରେ ୫.୭୫% ସୁଧରେ ଟଙ୍କା ଜମା ରଖିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସୁଧ ହାର କମିବାରୁ ପୁଣି ଓପନ ଟେଣ୍ଡର କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନ ଦଫାରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ମହାପ୍ରଭୁଙ୍କ ପାଣ୍ଠିରୁ ସ୍ଥାୟୀ ଜମାରେ ୫୪୫ କୋଟି ଟଙ୍କା ଓ ଫେକ୍ସିଫିକସ ଆକାଉଣ୍ଟରେ ୪୭ କୋଟି ଟଙ୍କା ରଖାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟରେ ସବୁତକ ଟଙ୍କା କେବଳ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା।
ୟେସ୍ ବ୍ୟାଙ୍କରୁ ଗତ ୨୦ ତାରିଖରେ ୩୯୭ କୋଟି ୨୩ଲକ୍ଷ ୨୭ ହଜାର ୬୩୬ ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାରେ ଶ୍ରୀଜଗନ୍ନାଥ ଟେମ୍ପୁଲ କର୍ପସ ପାଣ୍ଠି ନାମରେ ଥିବା ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ମୂଳ ଜମା ୩୮୯ କୋଟି ଟଙ୍କାର ସହିତ ଶେଷ ତ୍ରୈମାସିକ ସୁଧ ମୋଟ ୮ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ସମସ୍ତ ସୁଧ ଦିଆଯାଇଥିଲା। ବ୍ୟାଙ୍କରେ ଜମା ଥିବା ଅବଶିଷ୍ଟ ୧୫୬ କୋଟି ଟଙ୍କା ଆସନ୍ତା ୩୦ ତାରିଖରେ ଅବଧି ପୂରିବା ( ମାଚ୍ୟୁରିଟି) ପରେ ମିଳିବ ।