ଯାଜପୁର: ଭାଲୁ ଆକ୍ରମଣରେ ଜଣେ ମୃତ; ଜଣେ ଆହତ

ଯାଜପୁର: ରବିବାର ପ୍ରତ୍ୟୁଷରେ ସାତରଙ୍ଗା ପଞ୍ଚାୟତ ଅନ୍ତର୍ଗତ ପଛିକୋଟ ଜଙ୍ଗଲ ଘେରା ଗାଁ ଭାଲୁକୁଡ଼ିର ଜଣେ ଲୋକ ଭାଲୁ ଆକ୍ରମଣରେ ନିହତ ହେବା ସହ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।

୬୫ ବର୍ଷିୟ ମୃତ ଲୋକଙ୍କ ନାଁ କାମ ହେସା। ୩୨ ବର୍ଷିୟ ଆହତଙ୍କ ନାଁ ଶୁକୁରା ମୁଣ୍ଡା।

ଉଭୟ ଆଜି ଭୋର୍‌ରୁ ଶୌଚ ହେବା ନିମନ୍ତେ ଗାଁ ବାହାରକୁ ଯାଇଥିବା ବେଳେ ଗୋଟାଏ ଭାଲୁ କାମ ହେସାଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଭାଲୁ କବଳରୁ ରକ୍ଷା କରିବାକୁ ଯାଇ ଶୁକୁରା ଆହତ ହୋଇଛନ୍ତି।

ଚିକିତ୍ସା ପାଇଁ ଗୁରୁତର ଆହତ ଶୁକୁରାଙ୍କୁ ପ୍ରଥମେ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଭାଲୁ ଆକ୍ରମଣ ଘଟଣା ପରେ ପରେ ମୃତାହତଙ୍କ ପାଇଁ କ୍ଷତିପୂରଣ ଏବଂ ଗ୍ରାମବାସୀଙ୍କ ସୁରକ୍ଷା ଦାବି କରି ସ୍ଥାନୀୟ ଅଞ୍ଚଳରେ ଲୋକେ ଉତ୍ତେଜିତ ହୋଇ ପଡ଼ିଛନ୍ତି। ଖବର ପାଇ କୋରେଇ ପୁଲିସ ସହ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରାଉଛନ୍ତି।

ଏ ଯାବତ୍‌ ଗାଁ’ ଆଖପାଖରେ ଥିବା ସେ ହିଂସ୍ର ଭାଲୁକୁ ଘନ ଜଙ୍ଗଲକୁ ଘଉଡ଼ାଇ ନେବା ପାଇଁ ଯାଜପୁର ରୋଡ୍‌ ରେଞ୍ଜ୍‌ ଏବଂ ଟମକା ରେଞ୍ଜର ବନ କର୍ମଚାରୀମାନେ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର