ଜଷ୍ଟିସ୍ ଏମ୍‌.ଏମ୍‌.ଦାସ କମିସନ୍‌ : ୬ ମାସ କାର୍ଯ୍ୟକାଳ ବଢ଼ିଲା

କଟକ : ଚିଟ୍‌ଫଣ୍ତ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ହୋଇଛି। କମିସନଙ୍କ କାର୍ଯ୍ୟକାଳ ୨୦୧୯, ଫେବ୍ରୁଆରି ୫ରୁ ୬ ମାସ ପାଇଁ ବୃଦ୍ଧି କରାଯିବା ସ˚ପର୍କରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୮, ଅଗଷ୍ଟ ୪ରେ ସରିଥିବା ବେଳେ ସରକାର ୨୦୧୮, ଜୁଲାଇ ୩୧ରେ ବିଜ୍ଞପ୍ତି ପ୍ରକାଶ କରି ଏହାକୁ ଆଉ ୬ ମାସ ବୃଦ୍ଧି କରିଥିଲେ। ସୂଚନା ଯୋଗ୍ୟ ଯେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୮, ଫେବ୍ରୁଆରି ୪ରେ ପୂରିବାକୁ ଯାଉଥିଲା। ତଦନ୍ତ ପ୍ରକ୍ରିୟା ସରି ନଥିବା ବେଳେ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖା ଯାଇଥିଲା। ଏହା ପରେ ଗୃହ ବିଭାଗ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିବା ଜଣାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଚିଟ୍‌ଫଣ୍ତ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର‌୍‌.କେ.ପାତ୍ରଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖ ଦିନ ତଦନ୍ତ ଦାୟିତ୍ବ ଅର୍ପଣ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିିରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସ˚କ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିବା ବେଳେ ଇତିମଧୢରେ କ୍ଷୁଦ୍ର ଜମାକରୀଙ୍କ ପ୍ରସ˚ଗରେ ସରକାରଙ୍କୁ ୫ଟି ଅନ୍ତରୀଣ ରିପୋର୍ଟ କମିସନ୍‌ ପ୍ରଦାନ କରି ସାରିଛନ୍ତି। ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ଚାଲିଥିବା ବେଳେ ଚଳିତ ମାସରେ ଷଷ୍ଠ ଅନ୍ତରୀଣ ରିପୋର୍ଟ ଦେବେ କମିସନ। ଏ ନେଇ କମିସନଙ୍କ ରିପୋର୍ଟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର