ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ରାଜସ୍ଥାନରେ ବିକ୍ରି : ୭୦ ଦିନ ପରେ ଆହ୍ଲାବାଦରୁ ଉଦ୍ଧାର
ମନମୁଣ୍ଡା : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ରୀ (୧୪)ଙ୍କୁ ଅପହରଣ କରି ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିଲା। ଘଟଣାର ୭୦ ଦିନ ପରେ ପୁଲିସ ନାବାଳିକାଙ୍କୁ ଆହ୍ଲାବାଦରୁ ଉଦ୍ଧାର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଂପୃକ୍ତ ନାବାଳିକାଙ୍କୁ କୁଆଡ଼େ ପୁରୁଣାପାଣି ଗାଁର ବିବାହିତ ସରୋଜ ସାଗର ପ୍ରେମଜାଲରେ ଫସାଇଥିଲା। ସରୋଜ ଜରିଆରେ ଡିଗି ଗାଁର ବିମଳ ସେଠୀ ସହ ନାବାଳିକାଙ୍କ ପରିଚୟ ହୋଇଥିଲା। ପରେ ବିମଳ ସହ ନାବାଳିକାଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବିମଳ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ମେ ୩୦ ତାରିଖରେ ଘରୁ ଅପହରଣ କରି ନେଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସିଣ୍ଢୋଲ ନିକଟ ମାଟୁପାଲି ଛକଠାରେ ଗୋଟିଏ ରାତି ରହି ପରଦିନ ସକାଳୁ ଆଉ ଜଣେ ଝିଅ ସହିତ ସେମାନେ ଏକ ବଲେରୋ ଗାଡ଼ିରେ ବଲାଙ୍ଗୀର ରେଳ ଷ୍ଟେସନକୁ ଯାଇଥିଲେ। ସେଠାରୁ ଟ୍ରେନ ଯୋଗେ ରାଜସ୍ଥାନର ବଳଦା ସହରକୁ ନେଇ ସେଠାରେ ଦିଲ୍ଲୀପ ସିଂ ନାମକ ଜଣେ ବ୍ୟକ୍ତିକୁ ନାବାଳିକାକୁ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି କରିଥିଲା। ବିମଳ ଘରକୁ ଫେରିବା ବେଳେ ନାବାଳିକା ବି ଘରକୁ ଫେରିବାକୁ ଜିଦ୍ ଧରିଥିଲା। ମାତ୍ର ହତ୍ୟା ଧମକ ଦେବାରୁ ସେ ଭୟରେ ସେଠାରେ ରହିଥିଲା। ବଳଦାରେ ଦିଲ୍ଲୀପ ତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା। ଜୀବନ ବଞ୍ଚାଇବାକୁ ଗତ ୩ ତାରିଖ ରାତିରେ ସେ କୌଶଳ କ୍ରମେ ସେଠାରୁ ଲୁଚି ଏକ କିମି ଦୂରରେ ଥିବା ପିଣ୍ଟୁ ଚୌହାନ ନାମକ ଜଣେ ଯୁବକଙ୍କ ସହାୟତାରେ ନାବାଳିକା ଜଣକ ତାଙ୍କ ଭାଇଙ୍କୁ ଫୋନ କରିଥିଲେ। ଏ ବିଷୟରେ ନାବାଳିକାଙ୍କ ବାପା ମନମୁଣ୍ଡା ପୁଲିସକୁ ଜଣାଇବା ପରେ ଏକ ୬ ଜଣିଆ ପୁଲିସ ଟିମ ସହିତ ୪ ତାରିଖରେ ରାଜସ୍ଥାନ ଯାଇଥିଲେ। ସେପଟେ ନାବାଳିକାଙ୍କ ଭାଇ ପିଣ୍ଟୁ ସହିତ କଥା ହୋଇ ଭଉଣୀକୁ ଭୁବନେଶ୍ବର ଆଣି ଛାଡ଼ି ଦେବାକୁ ନେହୁରା ହୋଇଥିଲେ। ଅନୁରୋଧ ରକ୍ଷା କରି ପିଣ୍ଟୁ ନାବାଳିକାକୁ ଧରି ଟ୍ରେନ୍ରେ ଭୁବନେଶ୍ବର ଆସୁଥିବା ବେଳେ ୬ ତାରିଖ ସକାଳେ ମନମୁଣ୍ଡା ପୁଲିସ ଆହ୍ଲାବାଦରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା।