ମହାମାରୀ ସାଜିଛି କିଡ୍‌ନି ରୋଗ : ନରସିଂହପୁର, ବଡ଼ମ୍ବା, ତିଗିରିଆରେ ଆତଙ୍କ, ମଲେଣି ହଜାରେରୁ ଅଧିକ, ୫ହଜାରରୁ ଅଧିକ ଆକ୍ରାନ୍ତ

ଡାଏଲିସିସ୍‌ ଓ ପରୀକ୍ଷଣ କେନ୍ଦ୍ର ଅଚଳ

କଟକ (ସୀମନ୍ତିକା ନନ୍ଦ): ପ୍ରତ୍ୟେକ ମୁହୂର୍ତ୍ତରେ ମୃତ୍ୟୁ ଭୟ। ଲୋକଙ୍କୁ ଘାରିଛି ‘କିଡ୍‌ନି’ ଆତଙ୍କ। କେତେ ବେଳେ କାହା ମୁଣ୍ଡ ନେବ, କାହା ସୁନା ସଂସାରକୁ ଉଜାଡି ଦେବ, ସେ ଆଶଙ୍କାରେ ଆତଙ୍କିତ କଟକ ଜିଲ୍ଲାର ତିଗିରିଆ, ବଡମ୍ବା ଓ ନରସିଂହପୁର ବ୍ଲକ୍‌ର ହଜାର ହଜାର ନିରୀହ ଲୋକ। କାହାର ଜୁଇ ଜଳୁଛି ତ କିଏ ବାନ୍ଧୁଛି କୋକେଇ। ଏଭଳି ଅଜଣା ଆତଙ୍କ ଓ ଭୟରେ ରହିଛନ୍ତି ଲୋକ। ଗତ ୧୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ କିଡ୍‌ନି ରୋଗରେ ହଜାରେରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି ଓ ୫ ହଜାର ଲୋକ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। କଟକ ଭଳି ଏକ ଆଗୁଆ ଜିଲ୍ଲାରେ ଏଭଳି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସ୍ୱାସ୍ଥ୍ୟ ବିଭାଗର ନିଘା ନ ପଡ଼ିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

ନରସିଂହପୁର ବ୍ଲକ ସଦର ମହକୁମା ଠାରୁ ମାତ୍ର ଦେଢ କିଲୋମିଟର ଦୂର ପାଇକପଡ଼ା ପାଟଣା ଦଳିତ ବସ୍ତିର ଭାନୁ ନାଏକ କିଡ୍‌ନି ରୋଗରେ ସ୍ୱାମୀଙ୍କୁ ହରାଇଲା ପରେ ଉଜୁଡ଼ି ଯାଇଛି ତାଙ୍କ ସଂସାର। ଏହି ବସ୍ତିର ସୁଭଦ୍ରା, ପେଚି, ଚୁମୁକି, ମାମି, ପୂର୍ଣ୍ଣିମା, ବିଦୁ, ଉଷା ନାଏକଙ୍କ ସମାନ ଅବସ୍ଥା। ସନ୍ତରାବଳୀ ଗ୍ରାମର ଇନ୍ଦ୍ରମଣି ଜେନା(୫୫)ଙ୍କ ପରିବାର କଥା ଦେଖିଲେ ଜଣେ ସମ୍ବେଦନଶୀଳ ମଣିଷ ଦୁଃଖରେ ମ୍ରିୟମାଣ ହେବ। ଇନ୍ଦ୍ରମଣିଙ୍କ ପରିବାର କାମଧନ୍ଦା କରି ଯାହା ପାଉଥିଲେ ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଦୁଇଦିନ ତଳେ କିଡନି ରୋଗରେ ଇନ୍ଦ୍ରମଣିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପଟେ ଏକମାତ୍ର ଭେଣ୍ଡା ପୁଅ ବୁଲୁ (୨୩) ଏବେ ମୃତ୍ୟୁ ଶଯ୍ୟାରେ। ସ୍ୱାମୀ ଇନ୍ଦ୍ରମଣୀଙ୍କୁ ହରାଇ ବିଳାସିନୀ କାନ୍ଦିବ ନା ପୁଅ ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବେ ତାହା ଭାବି ପାରୁ ନାହାନ୍ତି।

କେବଳ ବିଳାସିନୀଙ୍କ ପରିବାରର ନୁହେଁ, ବଡମ୍ବା, ନରସିଂହପୁର ଓ ତିଗିରିଆ ଅଂଚଳରେ ଏଭଳି ଅନେକ କରୁଣ ଚିତ୍ର ଦୃଷ୍ଟିକୁ ଆସିଛି। ନରସିଂହପୁର, ବଡ଼ମ୍ବା, ତିଗିରିଆ ଅଞ୍ଚଳରେ କିଡ୍‌ନି ରୋଗ କେତେ ଯେ ଜୀବନ ନେଲାଣି ତାର ସଠିକ୍‌ ହିସାବ କାହା ପାଖରେ ନାହିଁ। ସରକାରୀ ରିପୋର୍ଟ ଅନୁସାରେ କେବଳ ନରସିଂହପୁର ଅଞ୍ଚଳରେ ୧୨ ଶହରୁ ଉର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୫୦୦ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏହି ବ୍ଲକ୍‌ର ୩୬ଟି ପଞ୍ଚାୟତର ୧୬୩ଟି ଗ୍ରାମରେ ଏହି ରୋଗ ଦେଖାଦେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ, କାହିଁକି ଏହି ରୋଗ ବ୍ୟାପୁଛି ତାହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିଲେ ମଧ୍ୟ ପାଣି ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ଅପରିଷ୍କାର ପାଣି ବ୍ୟବହାର କରୁଛନ୍ତି। ଖୋଲା କୂଅ କିମ୍ବା ଲୌହ ଅଂଶ ବାହାରୁଥିବା ନଳକୂଅ ହିଁ ପାନୀୟ ଜଳର ମୁଖ୍ୟ ଉତ୍ସ। ତେବେ, ସଠିକ୍‌ ଭାବେ ପରୀକ୍ଷା ହୋଇନଥିବାରୁ ନିର୍ଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ଅନ୍ୟପକ୍ଷରେ, କିଡ୍‌ନି ରୋଗର ଗବେଷଣା ପାଇଁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ତିଗିରିଆ ଠାରେ ତିଆରି ହୋଇଛି ମଡେଲ ରୁରାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର। ଦେଢବର୍ଷ ହେଲା ନିର୍ମାଣ କାମ ସରିଲାଣି। ହେଲେ ଆଜି ପଯ୍ୟର୍ନ୍ତ ଏହି କେନ୍ଦ୍ର କାଯ୍ୟର୍କ୍ଷମ ହୋଇପାରୁନି। କିଡ୍‌ନି ରୋଗର ପରୀକ୍ଷଣ, ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ଏହି କେନ୍ଦ୍ର ଖୋଲିଥିଲେ ତାହା କେବେ କେବେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶ୍ନ ଉଠିଛି।

ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବା ଓ ନରସିଂହପୁର ଡାଏଲିସସ୍‌ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର