କୋଣାର୍କ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲା : ପରବର୍ତ୍ତୀ ଶୁଣାଣି ୨୫ରେ

କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ରେ ହେବ। ଏହି ମାମଲାରେ ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଥିବା ବେଳେ ଆବେଦନକାରୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିିଜବାବ ଦାଖଲ କରିବେ।

ଉ‌େଲ୍ଲଖ ଯୋଗ୍ୟ ଯେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ୨୦୧୮, ନଭେମ୍ବର ୨୭ରେ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର କର୍ତ୍ତୃପକ୍ଷ କୋଣାର୍କ ମନ୍ଦିରର ଉପଯୁକ୍ତ ଯତ୍ନ ନେଉ ନାହାନ୍ତି। ଏହି ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ଓ କଣ ‌ଯୋଜନା ରହିଛି ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏଏସଆଇ ମହାନିର୍ଦ୍ଦେଶକ ଉଷା ଶର୍ମାଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ନୂଆଦିଲ୍ଲୀସ୍ଥିତି ଏଏସଆଇ ମୁଖ୍ୟାଳୟରେ କୋଣାର୍କ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପ୍ରସଂଗକୁ ନେଇ ୨୦୧୯, ଫେବ୍ରୁଆରି ୧୨ରେ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଢାଞ୍ଚାକୁ ମଜବୁତ ଓ ସମର୍ଥନ ଦେବା ପ୍ରସଂଗରେ ସଂଶୋଧିତ ପ୍ରସ୍ତାବ ଦେବା ସିହିତ ଏ ସଂପର୍କିତ ସଂପୂର୍ଣ୍ଣ ଡିଜାଇନ ଓ ଡ୍ରଇଂ ବିକଳ୍ପ ସହିତ ୩ ମାସ ଭିତରେ ଦାଖଲ ପାଇଁ ସିବିଆରଆଇକୁ କୁହାଯାଇଛି। କୋଣାର୍କ ମନ୍ଦିରରେ ପରିସରରେ ବର୍ତ୍ତମାନର ଡ୍ରେନେଜ ବ୍ୟବସ୍ଥାର ଯାଞ୍ଚ କରିବା ସହ ଏଥିରେ ଯଦି ଉନ୍ନତି ଆବଶ୍ୟକ ଥାଏ ତେବେ ପରାମର୍ଶ ଦେବା ସହିତ ସବିଶେଷ ଡିଜାଇନ୍ ରିପୋର୍ଟ ଓ ଡ୍ରଇଂ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦାଖଲ ପାଇଁ ସିବିଆରଆଇକୁ କୁହାଯାଇଥିଲା। ମନ୍ଦିରର ଲେଜର ସ୍କାନିଂ ଉପରେ ବୈଠକରେ ଗୁରୁତ୍ବା‌ରୋପ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ ଓ ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସୂଚନା ଯୋଗ୍ୟ ଯେ ପୂର୍ବରୁ ୨୦୧୬ରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦ’ର ୨୦୧୮, ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଆବେଦନକାରୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡି ସାନି ପିଟିସନ୍ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର