ଦୋଷ ମାନିବାକୁ ଚାପ ପକାଉଥିଲା ପୁଲିସ

କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ସଂପର୍କୀୟ ଭାଇର ବୟାନ

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ଅଟକ ରଖିଥିବା ସଂପର୍କୀୟ ଭାଇ ଗାଁରେ ପହଞ୍ଚିଛନ୍ତି। ପୁଲିସ ହେପାଜତରେ ପ୍ରାୟ ସପ୍ତାହେ ରହିବା ପରେ ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ପୁଲିସ ତାଙ୍କୁ ବିନା କାରଣରେ ଏତେ ଦିନ ଅଟକାଇ ରଖିଥିଲା। ଦୋଷ ମାନିଯିବାକୁ ବିଭିନ୍ନ ସମୟରେ ଚାପ ପକାଉଥିଲା। କିନ୍ତୁ କିଛି ପ୍ରମାଣ ନ ପାଇବାରୁ ତାଙ୍କୁ ଛାଡ଼ି ଦେଇଛି। ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

କୁନ୍ଦୁଲି ଅଂଚଳ ମୂଷାଗୁଡା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀ ଗତ ୧୦ତାରିଖ ପୂର୍ବାହ୍ନରେ ଫଟୋ ଉଠାଇ କୁନ୍ଦୁଲିରୁ ଫେରୁଥିବା ସମୟରେ ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ। ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଯାଇଥିଲା। ଏଥିନେଇ ପଟାଙ୍ଗୀ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଓ କ୍ରାଇମ ବ୍ରାଂଚ ଏହାର ଛାନଭିନ୍‌ ଚଳାଇଛନ୍ତି। ଏହି ମାମଲାରେ କାହାର ହାତ ରହିଛି ତାହାର କିଛି ପ୍ରମାଣ ପୁଲିସ ହାତରେ ଲାଗିନି। ଅପରପକ୍ଷରେ ପୀଡିତାଙ୍କ କିଛି ସଂପର୍କୀୟଙ୍କୁ ପୁଲିସ ପଚରାଉଚୁରା କରିଛି। ବିଭିନ୍ନ ସମୟରେ ୪ଜଣ ସଂପର୍କୀୟ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ସଂପର୍କୀୟ ଭାଇଙ୍କୁ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା। ଏପରିକି ତାଙ୍କୁ ଭୁବନେଶ୍ୱର ନେଇ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ଘଟଣା ସଂପର୍କରେ ତାଙ୍କୁ ପୁଲିସ ପକ୍ଷରୁ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବା ସହ ଦୁଷ୍କର୍ମର ଖିଅ ବାହାର କରିବାକୁ ଚେଷ୍ଟା କରିଥିଲା ପୁଲିସ। ବହୁ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କୁ ମାରାଥନ ଜେରା କରିଥିଲେ। ଏଥିରୁ କ’ଣ ସୁରାକ ମିଳିଛି, ତାହା ସ୍ପଷ୍ଟ କରିନି ପୁଲିସ।

ଅପରପକ୍ଷରେ ଯୁବକଙ୍କୁ ଗତକାଲି ସନ୍ଧ୍ୟାରେ ପୁଲିସ ଛାଡି ଦେଇଥିଲା। କୁନ୍ଦୁଲି ହାଟପଦା ପର୍ଯ୍ୟନ୍ତ ତାଙ୍କୁ ନେବା ପରେ ସେଠାରୁ ଏକ ଅଟୋ କରି ନିଜ ଗାଁ ମୂଷାଗୁଡ଼ାକୁ ପଠାଇ ଦେଇଥିଲା। ଗାଁରେ ପହଞ୍ଚିବା ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସଂପର୍କୀୟ ଭାଇ। ସେ କହିଛନ୍ତି ଯେ, ଗତ ଶୁକ୍ରବାର ଦିନ ପୁଲିସ ତାଙ୍କୁ ନେଇ ପଚରାଉଚୁରା କରିଥିଲା। ସନ୍ଧ୍ୟାରେ ଛାଡ଼ି ଦେଇଥିଲା। ଏହା ପରେ ରବିବାର ଦିନ ପୁଣି ତାଙ୍କୁ ଉଠାଇ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ରଖିଥିଲା। ସେଠାରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ପଚରାଉଚୁରା କରିଥିଲେ। ପରେ ତାଙ୍କୁ ଭୁବନେଶ୍ୱର ନିଆଯାଇ ପରୀକ୍ଷା କରାଯାଇଥିଲା। ସେଠାରୁ ଆଣିବା ପରେ ଗତକାଲି କୁନ୍ଦୁଲି ହାଟପଦାରେ ଛାଡ଼ି ଦେଇଥିଲେ। ଏହି ସମୟ ଭିତରେ ପୁଲିସ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ପଚରାଉଚୁରା କରାଯାଇ ସତ ମାନି ଯିବାକୁ ଚାପ ପକା ଯାଉଥିଲା। ଏପରିକି ନାବାଳିକାଙ୍କ ସହ ଦୁଷ୍କର୍ମ ସମୟରେ କେତେ ଜଣ ଥିଲେ, ସେମାନଙ୍କ ନାଁ କ’ଣ ଆଦି ପଚାରିଥିଲେ। କିନ୍ତୁ ସେ କିଛି ଜାଣି ନ ଥିବା କହିଥିଲେ। ତେବେ ଜେଲ୍‌ ହେଇଯିବ, ଫାଶୀ ହେଇଯିବ ଆଦି କହିବାରୁ ସେ ଡରିଯାଇ ମିଛ କହି ଦେଇଥିଲେ। ପରେ ତାଙ୍କୁ ପୀଡିତାଙ୍କ ପାଖକୁ ନେବା ସହ ଗାଁକୁ ନେଇ ପଚରାଉଚୁରା କରିଥିଲେ। ତେବେ ତାଙ୍କୁ ପୁଲିସ ପକ୍ଷରୁ ମାଡ଼ ମରାଯାଇନାହିଁ ବୋଲି ସେ କହିଛନ୍ତି।

ପୁଲିସ ତାଙ୍କୁ ଏତେ ଦିନ ଧରି ଅଟକ ରଖି ପଚରାଉଚୁରା କରିଥିବାରୁ ତାଙ୍କ ପରିବାରର ମାନ ସମ୍ମାନ ହାନି ହୋଇଛି। ଏହାକୁ ପୁଲିସ ଫେରାଇ ପାରିବ ନାହିଁ। ତେଣୁ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଅପରପକ୍ଷରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପୀଡିତାଙ୍କ ଚିକିତ୍ସା ଜାରି ରହିଛି। ସେ ଏବେ ସୁସ୍ଥ ହେଉଥିବା ଜଣାପଡ଼ିଛି। କିନ୍ତୁ ତାଙ୍କୁ କେବେ ଡାକ୍ତରଖାନାରୁ ଘରକୁ ପଠାଯିବ ସେଥିନେଇ କୌଣସି ସୂଚନା ଦିଆଯାଇ ପାରିନାହିଁ। ସେହିପରି ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କେତେ ବାଟ ଆଗେଇଲା ସେଥିନେଇ ପୁଲିସ କିଛି ସୂଚନା ଦେଉନାହିଁ।

ସମ୍ବନ୍ଧିତ ଖବର