କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ!

କୋରାପୁଟ/ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ପୀଡ଼ିିତା ସୁସ୍ଥ ହେବା ପରେ ଆଜି ଜୟପୁର ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିଷ୍ପତ୍ତି ଅନୁଯାୟୀ, କୋରାପୁଟର ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ତାଙ୍କୁ ରଖାଯାଇଛି। ଅପରପକ୍ଷରେ ଗତକାଲି ରାତିରେ ପୀଡ଼ିତା ଡାକ୍ତରଖାନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏହାକୁ ଖଣ୍ଡନ କରିଛନ୍ତି।

ଜୟପୁର ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ସେ ମେଡିକାଲ ଉପର ମହଲାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପ୍ରଚାର ହୋଇଥିଲା। ପୀଡ଼ିତାଙ୍କ ପରିବାର ମଧ୍ୟ ଏଭଳି ଅଭିଯୋଗ ଆଣିଥିଲେ। ଫଳରେ ଆଜି ଜୟପୁର ମେଡିକାଲ ପରିସରରେ ପହଞ୍ଚିଥିଲେ ବୈପାରିପୁଡ଼ା ଥାନା, ଜୟପୁର ଟାଉନ୍‌ ଏବଂ ସଦର ଥାନା, କୋରାପୁଟ ଟାଉନ୍‌ ଥାନା, କୋଟପାଡ଼ ଥାନାର ଅଧିକାରୀମାନେ। ଏସ୍‌ଡିପିଓ ଏବଂ ଏଏସ୍‌ପି ମଧ୍ୟ ପହଞ୍ଚି ସ୍ଥିତି ପରଖିଥିଲେ।

ଅନ୍ୟପକ୍ଷରେ ପୀଡ଼ିତା ସୁସ୍ଥ ହୋଇଥିବାରୁ ତାଙ୍କୁ କେଉଁଠିକି ନିଆଯିବ ଆଜି ଏକ ବିଷମ ସମସ୍ୟା ସୃଷ୍ଟି ହୋଇଥିଲା। ପୀଡ଼ିତା ନିଜେ ଘରକୁ ଯିବା ପାଇଁ ଜିଦ୍‌ କରିଥିଲା ବେଳେ ତାଙ୍କ ପରିବାର ଘରକୁ ନେବା ପାଇଁ ମନା କରି ଦେଇଥିଲେ। ଘରକୁ ଗଲେ ତାଙ୍କୁ ନାନା ଆକ୍ଷେପ ଶୁଣିବାର ଆଶଙ୍କା ରହିଥିବା ପ୍ରକାଶ କରିଥିଲେ। ପରିବାର ବାସନ୍ଦ ହେବା ଆଶଙ୍କା ମଧ୍ୟ କରିଥିଲେ। ଏହାକୁ ନେଇ ଜୟପୁର ମେଡିକାଲ ପରିସରରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ପରେ ଶିଶୁ ମଙ୍ଗଳ କମିଟିର ନିଷ୍ପତ୍ତି ଅନୁଯାୟୀ, କୋରାପୁଟ ଉପକଣ୍ଠ ଡୁମୁରୀପୁଟ ଅଂଚଳରେ ଥିବା ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ତାଙ୍କୁ ରଖାଯାଇଛି। ଏହି କେନ୍ଦ୍ର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର