ପଥର ଖାଦାନରେ ବିସ୍ଫୋରଣ: ଶ୍ରମିକ ମୃତ, ଠିକାଦାର ଆହତ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରଣକଟା ଗାଁ ନିକଟରେ ଥିବା ଏକ ପଥର ଖାଦାନରେ ବିସ୍ଫୋରଣ ବେଳେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାଁ ସୁରେଶ କିଷାନ(୫୫)। ବିସ୍ଫୋରଣରେ ଜଣେ ଠିକାଦାର ରାମବିଲାସ ରୋହିଦାସ ମଧ୍ୟ ଆହତ ହୋଇଛନ୍ତି। ଶନିବାର ଅପରାହ୍‌ଣରେ ଏହି ଘଟଣା ନେଇ ୩ ଜଣଙ୍କ ନାଁରେ ବ୍ରଜରାଜନଗର ଥାନାରେ ଏତଲା ଦିଆଯାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ପୁଲିସ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ଅନୁସନ୍ଧାନ କରିଛନ୍ତି।

ପ୍ରଥମରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା। ବଜ୍ରପାତ ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ପରେ ସତ କଥା ପ୍ରଘଟ ହୋଇଥିଲା। ଏନେଇ ଶନିବାର ରାତି ୧୦ଟା ପରେ ଗାନ୍ଧୀ ଛକ ଫାଣ୍ଡିକୁ ସୂଚନା ଦିଆଯାଇଥିଲା। ବ୍ରଜରାଜନଗର ଆଇଆଇସି ବିଶ୍ୱାମିତ୍ର ହରିପାଲ ପ୍ରାଥମିକ ତଦନ୍ତ କଲା ପରେ ସୁରେଶ କିଷାନଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତ ଶ୍ରମିକଙ୍କ ବଡ଼ ପୁଅ କୈଳାସଙ୍କ ଅଭିଯୋଗକୁ ଭିତ୍ତି କରି ଖାଦାନ ଲିଜ୍‌ଧାରୀ ପିନି ବାବୁ, ଆଶିଷ ସାଏ, ଠିକାଦାର ରାମବିଲାସ ରୋହିଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର