ଜଣକରେ ଚାଲିଛି ଓଡ଼ିଶା ଲଳିତ କଳା ଏକାଡେମି

ଭୁବନେଶ୍ବର : ଧର୍ମପଦ ପୁରସ୍କାର ଅଡ଼ୁଆ ତୁଟିପାରୁନି। ରାଜ୍ୟ ପୁରସ୍କାର ଦିଆଯାଇ ପାରିନି। ୨୦୧୬ ମସିହା ପରଠୁ ରାଜ୍ୟପାଳ କି ମୁଖ୍ୟମନ୍ତ୍ରୀ ଟ୍ରଫି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରୁନି। ସମସ୍ୟାର ଏହି ତାଲିକା ଲମ୍ବି ଚାଲିଥିବା ବେଳେ ଓଡ଼ିଶା ଲଳିତ କଳା ଏକାଡେମି ଧୀରେଧୀରେ କର୍ମଚାରୀ ଶୂନ୍ୟ ହୋଇଯାଉଛି। ବିଡ଼ମ୍ବନା ଏହି ଯେ, ଦିନେ ୧୧ ଜଣ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ଏହି ଏକାଡେମି ଏବେ ଜଣଙ୍କ ହାତରେ ନ୍ୟସ୍ତ। ଫଳରେ ପ୍ରାୟ ୨ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ ହୋଇନପାରି ପଡ଼ି ରହିଛି। ଏପ୍ରିଲ୍‌ ମାସରୁ ଏକାଡେମିର ସଚିବ ପଦରୁ ମାନସ ଜେନା ଯିବା ପରଠୁ କୌଣସି କାର୍ଯ୍ୟକ୍ରମଟିଏ ମଧ୍ୟ ଏକାଡେମି ଆୟୋଜନ କରିପାରିନାହିଁ।

ସବୁଠୁ ବଡ଼ କଥା ହେଉଛି ବିନା କାରଣ ଦର୍ଶାଇ ଏକାଡେମିର ବରିଷ୍ଠ ସହକାରୀ ସୁଶାନ୍ତ କୁମାର ସ୍ବାଇଁଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଶ୍ରୀ ସ୍ବାଇଁ କହିଛନ୍ତି, ନିଲମ୍ବନ ପତ୍ରରେ କୌଣସି କାରଣ ଦର୍ଶାଯାଇନଥିଲେ ହେଁ ସୂଚନା ଅଧିକାର ଆଇନ୍‌ରେ ସୂଚନା ମାଗିବାରୁ ଏପରି କରାଯାଇଛି। ଏଥିପାଇଁ ମତେ ଆଗରୁ ଧମକ ଦିଆଯାଇଥିବାରୁ ଏଇ କାରଣ ନେଇ ମୁଁ ଆକ୍ରୋଶର ଶିକାର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ୫ଟି ଆରମ୍ଭ ହୋଇଥିବା ବେଳେ ମନଇଚ୍ଛା କର୍ମଚାରୀଙ୍କୁ କୌଣସି କାରଣ ନ ଦର୍ଶାଇ ନିଲମ୍ବନ କରିବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି।

୧୧ ଜଣ କର୍ମଚାରୀଙ୍କୁ ନେଇ ଚାଲି ଆସିଥିବା ଏକାଡେମିର ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ହେବାରୁ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଗଲା ନାହିଁ। ଯେଉଁମାନେ ଅବସର ନେଲେ ସେମାନଙ୍କ ସ୍ଥାନ ବି ପୂରଣ କରାଗଲା ନାହିଁ। ଫଳରେ ଅଫିସ ସିନା ଖୋଲାଯାଉଛି, ହେଲେ କାମ କରିବାକୁ କେହିନାହାନ୍ତି। ସେକ୍ସନ ଅଫିସର, ଅର୍ଥ ପରାମର୍ଶଦାତା, ଆକାଉଣ୍ଟ୍‌ସ, ବରିଷ୍ଠ ସହାୟକ, କନିଷ୍ଠ ସହାୟକ, ଏକାଡେମିର ସୂଚନା ଅଧିକାରୀ ଭଳି ସମସ୍ତ ଦାୟିତ୍ବ ପ୍ରସନ୍ନ ମିଶ୍ରଙ୍କ ଉପରେ ନ୍ୟସ୍ତ। ତାଙ୍କ ବ୍ୟତୀତ ଜଣେ ପିଅନଙ୍କୁ ନେଇ ଚାଲିଛି ଏହି ଏକାଡେମି। ଫଳରେ କାର୍ଯ୍ୟକ୍ରମ ଅନେକାଂଶରେ ପ୍ରଭାବିତ ହୋଇଛି। ଅଥଚ ନା ଏହାକୁ ସରକାର ଗୁରୁତ୍ବର ସହ ନେଉଛନ୍ତି ନା ଏନେଇ ପ୍ରଶାସକମାନେ କୌଣସି ପଦକ୍ଷେପ ନେଉଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଥିବା ମ‌ନସ୍ବିନୀ ସାହୁ ଏକାଡେମିର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ନେଇଥିଲେ ହେଁ ଏକାଡେମିର ସଚିବ ପ୍ରକୋଷ୍ଠରେ ସବୁବେଳେ ତାଲା ଝୁଲୁଛି।

କର୍ମଚାରୀ ନଥିବାରୁ ଏକାଡେମିର କାର୍ଯ୍ୟକ୍ରମ ଉପରେ ଏହାର ପ୍ରଭାବ ଜଳଜଳ ବାରି ହେଉଛି। କିଛି ବର୍ଷ ହେବ ଆଦିବାସୀ କଳା ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ପ୍ରସାର ଓ ଉନ୍ନତି ପାଇଁ ଆସୁଥିବା ପାଖାପାଖି ୯୮ଲକ୍ଷ ଟଙ୍କା ଖର୍ଚ ନହୋଇ ପଡ଼ି ରହିଛି। ମାତ୍ର ୨ ଥର ଏହି ଉଦ୍ଦେଶ୍ୟରେ ହିଁ ଅର୍ଥ ଖର୍ଚ ହୋଇପାରିଛି। ସେହିଭଳି ୧୯୬୨ରୁ ଏକାଡେମି ଆରମ୍ଭ ହୋଇଥିଲେ ହେଁ ଏଯାବତ ୫୮ ବର୍ଷ ମଧ୍ୟରୁ ୩୮ଥର ରାଜ୍ୟ ପୁରସ୍କାର ଦିଆଯାଇପାରିଛି। ବାସ୍ତବରେ ଏକାଡେମି ପ୍ରତି ସଂସ୍କୃତି ବିଭାଗର ବାସ୍ତବ ଦୃଷ୍ଟିଭଙ୍ଗୀ କ’ଣ ତାହା ବୁଝାପଡ଼ିନାହିଁ। ବେଶ କିଛି ବର୍ଷ ଧରି କର୍ମଚାରୀ ନିଯୁକ୍ତି କରିବାକୁ ଘୋଷଣା କରିବାରେ ସରକାର ଉଣା କରିନାହାନ୍ତି। ମାତ୍ର କିଛି ବର୍ଷ ହେବ ସ୍ଥିତି ଏମିତି ଯେ, କେବେ ଏହି ଏକାଡେମି ପଦଶୂନ୍ୟ ହୋଇଯିବ ତାହା କହିହେବ ନାହିଁ।

ସମ୍ବନ୍ଧିତ ଖବର