୨ କମ୍ପାନି ର‍୍ୟାପିଡ୍‌ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଚିଠି

ପୁଲିସ ମୁଖ୍ୟାଳୟରେ ରଥଯାତ୍ରା ପ୍ରସ୍ତୁତି ବୈଠକ

କଟକ: ପୁୁରୀରେ ଶ୍ରୀଜିଉଙ୍କ ରଥଯାତ୍ରାର ସୁପରିଚାଳନା ପାଇଁ ଦୁଇ କଂପାନି ର‍୍ୟାପିଡ୍‌ ଆକ୍ସନ୍‌ ଫୋସ୍‌ର୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖା ଯାଇଛି। ତା’ ସହିତ ରଥଯାତ୍ରା ସମୟରେ ମହିଳା ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। କଟକ ପୁଲିସ ମୁଖ୍ୟାଳୟରେ ରଥଯାତ୍ର ପାଇଁ ଆୟୋଜିତ ପ୍ରାକ୍‌ ପ୍ରସ୍ତୁତି ବୈଠକରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଅନ୍ୟପଟେ ପୁଲିସ ବିଭାଗ ପକ୍ଷରୁ ନୂଆ କରି ଆରମ୍ଭ ହୋଇଥିବା ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ୩ କମ୍ପାନି ରଥଯାତ୍ରାରେ ନିୟୋଜନ କରିିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଡାକ୍ତର ଶର୍ମା କହିଛନ୍ତି।

ଜୁନ ୨୮ ତାରିଖରେ ସ୍ନାନ ପୂର୍ଣ୍ଣମୀ ଆରମ୍ଭ ହେଉଥିବା ବେଳେ ଜୁଲାଇ ୧୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ଡାକ୍ତର ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣମୀଠାରୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନା ବେଶ ଏବଂ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉପକୂଳ ସୁରକ୍ଷା ବ୍ୟବସ୍ଥା, ଆକାଶ ମାର୍ଗର ସୁରକ୍ଷା ବ୍ୟବସ୍ଥା, ଫୋର୍ସ ମୁତୟନ ଏବଂ ଟ୍ରାଫିକ ନିୟନ୍ତ୍ରଣ କିଭଳି ଉପଯୁକ୍ତ ଢଂଗରେ କରାଯିବ, ସେ ନେଇ ଡିଜିିପି ଉପସ୍ଥିତ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ରଥଯାତ୍ରା ଏବଂ ବାହୁଡାରେ ରଥ ଚାରିପଟେ କଡନ୍‌ କରି ନେବାକୁ ଅଧିକ ଗୁରୁତ୍ୱ ଦିଆଯିବ। ଉଭୟ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ାରେ ପର୍ଯ୍ୟାପ୍ତ ପରିମାଣରେ ସାଦା ପୋଷାକଧାରୀ ପୁଲିସ ଅଫିସରଙ୍କୁ ଭିଡ଼ ଭିତରେ ନିୟୋଜନ କରାଯିବ। ବଡ଼ ଦାଣ୍ଡ ସମେତ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ସିସି କ୍ୟାମେରା ଖଞ୍ଜା ଯିବ। ଏହାବାଦ୍‌ ଖୁବ୍‌ ଶୀଘ୍ର ଏନ୍‌ଏସ୍‌ଜି(ନ୍ୟାସ୍‌ନାଲ ସିକ୍ୟୁରିଟି ଗାର୍ଡ)କୁ ନେଇ ଏକ ବୈଠକ ପୁଲିସ ବିଭାଗ ପକ୍ଷରୁ ଅନୁଷ୍ଠିତ ହେବ। ରଥଯାତ୍ରା ସହିତ ଜଡ଼ିତ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗକୁ ନେଇ ପୁଲିସ ମୁଖ୍ୟାଳୟରେ ଏକ ସମନ୍ଵୟ ବୈଠକ ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁଲିସ ବିଭାଗ ଅଧୀନରେ ଥିବା ସମସ୍ତ ସୁରକ୍ଷା ବାହିନୀଙ୍କୁ ନେଇ ରଥଯାତ୍ରା ପୂର୍ବରୁ ମଧ୍ୟ ଏକ ମକ୍‌ ଡ୍ରିଲ୍‌ କରାଯିବ । ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟରେ ଏସ୍‌ଏପିର ଆଇଜି ଏସ. ପଣ୍ଡା, ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଆଇଜି ଅସିତ ପାଣିଗ୍ରାହୀ, ଭିଡ଼ ନିୟନ୍ତ୍ରଣ କାର୍ଯ୍ୟରେ ଏଡିଜି ସତ୍ୟଜିତ ମହାନ୍ତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଲିସ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଏଡିଜି ସତ୍ୟଜିତ ମହାନ୍ତି, ଏଡିଜି ମନୋଜ ଛାବ୍ରା, ଏଡିଜି ସିଦ୍ଧାନ୍ତ ଷଢ଼ଙ୍ଗୀ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଅସିତ ପାଣିଗ୍ରାହୀ, ଆଇଜି ଅମିତାଭ ଠାକୁରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର