ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ମଦମୁକ୍ତ ଅଭିଯାନ ଆରମ୍ଭ : ୧୪୭ ବିଧାନସଭା କ୍ଷେତ୍ରରେ ହେବ ଦସ୍ତଖତ ସଂଗ୍ରହ

ଗାନ୍ଧୀ ଜୟନ୍ତୀରୁ ବର୍ଷ ବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ବ୍ରହ୍ମପୁର : ମଦମୁକ୍ତ ଓଡ଼ିଶା ଗଠନ ପାଇଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଅଣ୍ଟା ଭିଡ଼ିଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଂଜିଳିକାଟୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ୧ମାସ ଧରି ଚାଲିବ। ଏହି ଅବସରରେ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଅଭିଯାନର କର୍ମକର୍ତ୍ତା ଦସ୍ତଖତ ସଂଗ୍ରହ କରିବେ। ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଆବାହକ ତଥା ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ଏହା କହିଛନ୍ତି। ଶ୍ରୀ ନାୟକ କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରେ ମଦକୁ ନିଷିଦ୍ଧ କରାଯାଇଛି। ଓଡ଼ିଶାରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବହୁବାର ଦାବି ହୋଇଛି। ନିଶା ନିବାରଣ ପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ପ୍ରଣୟନ ହୋଇଛି। ହେଲେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଏ ଦିଗରେ ଆଗେଇ ଆସିଛି। ରାଜ୍ୟର ସମସ୍ତ ବିଧାୟକ ଜନପ୍ରତିନିଧି ହିସାବରେ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସାଧାରଣ ଜନତାଙ୍କ ପକ୍ଷରୁ ବିଧାନସଭାରେ ଦାବି ଉପସ୍ଥାପନ କରନ୍ତୁ ବୋଲି କୁହାଯାଇଛି। ଏହି ଦସ୍ତଖତ ଅଭିଯାନ ଜରିଆରେ ବିଧାୟକମାନଙ୍କୁ ଏ ଦିଗରେ ସଚେତନ କରାଯିବ। ଏଥିସହିତ, ସଂଗୃହୀତ ଦସ୍ତଖତ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁପ୍ତେଶ୍ୱର ଷଡ଼ଙ୍ଗୀ, ବିଭୁପ୍ରସାଦ ସାହୁ, କାହ୍ନଚରଣ ବେହେରା, ଏମ୍‌. ତ୍ରିପାଠୀ, ଅର୍ଜୁନ ସାମନ୍ତରାୟ, ବିଜୟ ସ୍ୱାଇଁ, ଖଗେଶ୍ୱର ବଳ, ପି. ଆଚାର୍ଯ୍ୟ, ବନ୍ଦିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର