‘ନିଜ ଅପାରଗତା ଲୁଚାଇବାକୁ ବିଜେଡି ନାଟକ କରୁଛି’

ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମ ପାଇଁ ବିଜେଡି ଗତକାଲି ରଣନୀତି ପ୍ରସ୍ତୁତ କଲା ପରେ ଆଜି ବିଜେପି ତାହାର ଜବାବ ଦେଇଛି। ରାଜ୍ୟର ସ୍ୱାର୍ଥ ରକ୍ଷା ନୁହେଁ, ବରଂ ନିଜ ଅପାରଗତା ଲୁଚାଇବାକୁ ନବୀନ ସରକାର ମହାନଦୀ ମାମଲାଙ୍କୁ ପ୍ରସଙ୍ଗ କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ବର୍ଷା ଦିନ ଜଳକୁ ସଂରକ୍ଷଣ କରି ଖରା ଦିନେ ଆବଶ୍ୟକ ବେଳେ ଉକ୍ତ ଜଳକୁ ବ୍ୟବହାର କରିବା ପାଇଁ ବନ୍ଧବାଡ଼ ନିର୍ମାଣ କରାଯାଇଥାଏ। କିନ୍ତୁ ରାଜ୍ୟ ସରକାର ଏ ଦିଗରେ କ’ଣ କରୁଛନ୍ତି, ତାହାର ସ୍ପଷ୍ଟ ଉତ୍ତର ଦେବା ଆବଶ୍ୟକ।

ଶ୍ରୀ ଶର୍ମା କହିଛନ୍ତି, ମହାନଦୀର ସମୁଦାୟ ଜଳରୁ ୫୩ ପ୍ରତିଶତ ଅର୍ଥାତ ୨୫,୯୪୦ ମିଲିୟନ୍‌ କ୍ୟୁବିକ୍‌ ମିଟର ଜଳ ସମୁଦ୍ରକୁ ବୋହିଯାଉଛି। ଜଳସେଚନ ପାଇଁ ମାତ୍ର ୨୨ ପ୍ରତିଶତ ଜଳ ବ୍ୟବହାର କରାଯାଉଛି। ବଳକା ପାଣିର ଠିକ୍‌ ବ୍ୟବହାର ପାଇଁ ରାଜ୍ୟ ସରକାର ଗତ ୧୮ ବର୍ଷରେ କ’ଣ କରିଛନ୍ତି, ତାହାର ଉତ୍ତର ଦିଅନ୍ତୁ। ସେହିପରି ବ୍ରାହ୍ମଣୀର ସମୁଦାୟ ଜଳରୁ ୫୬ ପ୍ରତିଶତ ସମୁଦ୍ରକୁ ଚାଲିଯାଉଥିଲା ବେଳେ ୧୫ ପ୍ରତିଶତ ଜଳସେଚନ ପାଇଁ ବ୍ୟବହାର ହୋଇପାରୁଛି। ସେହିପରି ବୈତରଣୀର ସମୁଦାୟ ଜଳରୁ ୪୧ ପ୍ରତିଶତ ସମୁଦ୍ରକୁ ଯାଉଥିଲା ବେଳେ ଜଳସେଚନ ପାଇଁ ବ୍ୟବହାର ହେଉଛି ୩୬ ପ୍ରତିଶତ। ଋଷିକୁଲ୍ୟାର ସମୁଦାୟ ଜଳରୁ ୨୬%, ବଂଶଧାରର ୬୩%, ବୁଢ଼ାବଳଙ୍ଗର ୬୬%. କୋଲାବର ୫୩%, ଇନ୍ଦ୍ରାବତୀର ୪୬%, ନାଗାବଳୀର ୭୦% ଓ ସୁବର୍ଣ୍ଣରେଖାର ୬୩% ଜଳ ସମୁଦ୍ରକୁ ବୋହିଯାଉଛି। ବିଜେପି ପକ୍ଷରୁ ଆହୁରି କୁହାଯାଇଛି, ରାଜ୍ୟରେ ଏବେ ମାତ୍ର ୪୪ଟି ଜଳସେଚନ ପ୍ରକଳ୍ପ ସ୍ଥାପିତ ହୋଇଛି। ୧୫୪ଟି ବହୁମୁଖୀ ଜଳପ୍ରକଳ୍ପର ଯୋଜନା ହୋଇ ୧୨୬ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି ଓ ୨୮ଟି ପ୍ରକଳ୍ପ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। ନୂଆ ବନ୍ଧବାଡ଼ ନିର୍ମାଣ ନ କରି ଓ ପୁରୁଣା ପ୍ରକଳ୍ପଗୁଡ଼ିକୁ ନ ସାରି ବିଜେଡି ସୁଆଙ୍ଗ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର