ସ୍ବାସ୍ଥ୍ୟ ସଚେତନତା ଅଭାବରୁ ବଢ଼ୁଛି ଅପପୁଷ୍ଟି : ଦଶପଲ୍ଲାରେ ସର୍ବାଧିକ ଶିଶୁ ଅପପୁଷ୍ଟିର ଶିକାର

୭ ମାସରେ ୫୦ରୁ ଊର୍ଦ୍ଧ୍ୱ ଶିଶୁ ଏନ୍ଆର୍‌ସିକୁ ସ୍ଥାନାନ୍ତର, ଅପପୁଷ୍ଟିଜନୀତ ମୃତ ଶିଶୁଙ୍କୁ ତାଲିକାଭୁକ୍ତ କରାଯାଉ ନାହିଁ

ଦଶପଲ୍ଲା : ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ଦୂର କରିବା ପାଇଁ ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ମାସର ୯ ତାରିଖ ଦିନ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଦିବସ ପାଳନଠାରୁ ଆରମ୍ଭ କରି ମାସର ପ୍ରତି ଶୁକ୍ରବାର ଦିନ ଉପସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ବିଭିନ୍ନ ଗ୍ରାମରେ ସ୍ବାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ଗ୍ରାମୀଣ ସ୍ବାସ୍ଥ୍ୟ ଓ ପୃଷ୍ଟିକର ଦିବସ (ଭିଏଚ୍ଏନ୍‌ଡି) ପାଳନ କରାଯାଇଥାଏ। ଏଥିରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ସ୍ବାସ୍ଥ୍ୟ ଓ ଖାଦ୍ୟପେୟ ସମ୍ପର୍କିତ ସଚେତନତା ପ୍ରଦାନ କରାଯାଇଥାଏ। ଏସବୁ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାରଙ୍କ ସମସ୍ତ ବିଧିବ୍ୟବସ୍ଥା ସତ୍ତ୍ବେ ଦଶପଲ୍ଲା ବ୍ଲକ୍‌ରେ ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଛି ଅପପୁଷ୍ଟିଜନୀତ ଶିଶୁଙ୍କ ସଂଖ୍ୟା। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ସ୍ବାସ୍ଥ୍ୟ ସଚେତନତାର ଅଭାବକୁ ନେଇ ଏହି ସମସ୍ୟା ଦେଖାଦେଇଛି।

ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ଗତ ୩ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ତୁଳନାରେ ଦଶପଲ୍ଲା ବ୍ଲକ୍‌‌ରେ ସର୍ବାଧିକ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବେଳେ କିଛି ଶିଶୁଙ୍କ ମୃତ୍ୟୁ ମଧ୍ୟ ଘଟିଛି,। ଏ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଦୋଷ-ଦୁର୍ବଳତାକୁ ଘଂଟ ଘୋଡାଇବାକୁ ଯାଇ ମୃତ ଶିଶୁଙ୍କ ତାଲିକାକୁ ସରକାରୀ ତାଲିକାଭୁକ୍ତ କରାଯାଉନଥିବା ଜଣାପଡ଼ିଛି। ଦଶପଲ୍ଲା ବ୍ଲକ୍‌ଟି ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ଜଣାଶୁଣା ଥିବା ବେଳେ ଅଧିକାଂଶ ଗ୍ରାମ ଦୁର୍ଗମ ଅଂଚଳରେ ଅବସ୍ଥିତ। ୨୦ଟି ପଞ୍ଚାୟତ ଏବଂ ଦଶପଲ୍ଲା ଏନ୍ଏସିକୁ ମିଶାଇ ମହିଳା ଓ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଦଶପଲ୍ଲାରେ ୨୨୯ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରି ଆସୁଛି। ୧୦ ହଜାରରୁ ଊର୍ଦ୍ଧ୍ୱ ଶିଶୁ ଏହି ସବୁ କେନ୍ଦ୍ରରେ ପ୍ରତିଦିନ ପହଞ୍ଚୁଛନ୍ତି। ୨ଟି ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବିଏସକେ) ଟିମ୍ ଜିଲ୍ଲାରେ କାର୍ଯ୍ୟ କରୁଛି। ଅପପୁଷ୍ଟି ଆକ୍ରାନ୍ତ ଶିଶୁଙ୍କୁ ଲକ୍ଷ୍ୟ କଲେ ଅଧିକାଂଶ ଶିଶୁ ଆଦିବାସୀ ଅଧ୍ୟୁଷିତ ଅଂଚଳର ଚିହ୍ନଟ ହେଉଥିବା ଜଣାପଡିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଗତ ୩ ବର୍ଷର ପରିସଂଖ୍ୟାନ ଅନୁଯାୟୀ, ୨୦୧୪-୧୫ ଆର୍ଥିକ ବର୍ଷର ଫେବ୍ରୁଆରୀଠାରୁ ମାର୍ଚ୍ଚ ଅର୍ଥାତ୍ ୩ ମାସ ମଧ୍ୟରେ ଦଶପଲ୍ଲା ବ୍ଲକ୍‌ର ୨୫ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇ ଜିଲ୍ଲା ପୁଷ୍ଟି ସାଧନ କେନ୍ଦ୍ର (ଏନ୍ଆର୍‌ସି) ରେ ଭର୍ତି ହୋଇଥିଲେ। ସେହିପରି ୨୦୧୫-୧୬ରେ ୧୨୬, ୨୦୧୬-୧୭ରେ ୧୦୪, ୨୦୧୭-୧୮ରେ ୯୮ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇ ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତି ହୋଇଥିଲେ। ଚଳିତ ବର୍ଷ ଅର୍ଥାତ୍ ଗତ ଏପ୍ରିଲ ମାସଠାରୁ ଆଜି ସୁଦ୍ଧା ୭ ମାସ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଶିଶୁ ଏନ୍ଆର୍‌ସିରେ ଭର୍ତି ହୋଇ ସାରିଲେଣି। ଆର୍‌ବିଏସ୍‌କେ ଟିମ୍ ଦ୍ୱାରା ଏହି ଅପପୁଷ୍ଟି ଶିଶୁ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ ଦ୍ୱାରା ପ୍ରଚଳିତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଦଶପଲ୍ଲା ବ୍ଲକ୍‌ରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ମାତ୍ର ଗତବର୍ଷ ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଜ ଦୋଷ ଘୋଡ଼ାଇବାକୁ ଯାଇ ଜଣେ ଆର୍‌ବିଏସ୍‌କେ ଟିମ୍ ଡାକ୍ତରଙ୍କୁ ପାଖକୁ ଡକାଇ ତାଗିଦ୍ ମଧ୍ୟ କରିଥିଲେ। ତେବେ ଦଶପଲ୍ଲା ବ୍ଲକ୍‌ରେ ଆଗକୁ ଆହୁରି ଅପପୁଷ୍ଟିଜନୀତ ଶିଶୁଙ୍କ ସଂଖ୍ୟା ବଢ଼ିବା ସ୍ପଷ୍ଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ କିପରି ପଦକ୍ଷେପ ହାତକୁ ନେଉଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର