ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟରେ ମଣିଶଙ୍କର ଆୟାର : ‘ସର୍ଜିକାଲ ଷ୍ଟ୍ରାଇକ୍‌ ଯୋଗୁଁ ଯବାନଙ୍କ ମୁଣ୍ଡ ଗଡ଼ୁଛି’

କଟକ : କାଶ୍ମୀର ସମସ୍ୟାର ସମାଧାନ ଯୁଦ୍ଧରେ ହୋଇପାରିବନି। ଏଥିପାଇଁ ନିରନ୍ତର ଆଲୋଚନା ହେବା ଉଚିତ୍‌। ଆଲୋଚନା ମାଧ୍ୟମରେ ବିଳମ୍ବରେ ହେଲେ ବି ଯେକୌଣସି ବିବାଦର ସମାଧାନ ହୋଇପାରିବ। ଏଥିପାଇଁ ଜଣେ ଜ୍ଞାନୀଗୁଣି ନେତାଙ୍କର ଆବଶ୍ୟକତା ରହୁଛି। ରାଜନୈତିକ ବ୍ୟକ୍ତିମାନେ ଭଲ ମଧ୍ୟସ୍ଥି ହୋଇପାରନ୍ତି। ତେଣୁ ସେମାନେ ଯୁଦ୍ଧ ପାଇଁ ମନ ଦେବା ଅପେକ୍ଷା ଶାନ୍ତ ବାତାବରଣ ଭିତରେ କିପରି ବର୍ଷବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ କରିହେବ, ତାହା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟାର କହିଛନ୍ତି। ନରାଜସ୍ଥିତ ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟରେ ଭାରତ ଓ ପାକିସ୍ତାନ ସଂପର୍କ ସଂକ୍ରାନ୍ତରେ ଆୟୋଜିତ ଏକ ଆଲୋଚନାରେ ମୁଖ୍ୟ ବକ୍ତାଭାବେ ଶ୍ରୀ ଆୟାର ଯୋଗ ଦେଇଥିଲେ।

ଏକାଡେମିକ ବ୍ଲକ୍‌ ସେମିନାର ହଲ୍‌ରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ପାକିସ୍ଥାନ ନିଜକୁ ସବୁବେଳେ ମୁସଲିମ୍‌ ଦେଶ ବୋଲି କହିଆସୁଛି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାରତରେ ସର୍ବାଧିକ ମୁସଲିମ୍‌ ଅଛନ୍ତି। ଭାରତର ଧର୍ମନିରପେକ୍ଷତା ଯୋଗୁଁ ଏଠାରେ ବିଭିନ୍ନ ଧର୍ମର ଲୋକ ବସବାସ କରୁଛନ୍ତି। ପାକିସ୍ଥାନ, ଭାରତଠାରୁ ଅଲଗା ହୋଇଗଲେ ବି ଏହି ଦୁଇ ଦେଶର ମୂଳ ଏକ। ଯଦି ଭାରତରେ କୌଣସି ସିନେମାରେ ସଲ୍‌ମାନ ଖାନ, ଅମିର ଖାନ୍‌ କିମ୍ବା ଶାହରୁଖ ଖାନ୍‌ ଅଭିନୟ କରୁଛନ୍ତି, ତାହାକୁ ପାକିସ୍ତାନର ଲୋକମାନେ ପସନ୍ଦ କରୁଛନ୍ତି। କେବଳ କାଶ୍ମୀର ଭଳି କିଛି ସମସ୍ୟା ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହୁଛି। କିନ୍ତୁ ଥଣ୍ଡା ମୁଣ୍ଡରେ ଭାବିବା ପରିବର୍ତ୍ତେ ଉତ୍ତେଜିତ ହୋଇ ସର୍ଜିକାଲ ଷ୍ଟ୍ରାଇକ୍‌ କରିଦେଲେ ଫଳ ଓଲଟା ମିଳୁଛି। ଭାରତୀୟ ସେନା ଯବାନଙ୍କ ମୁଣ୍ଡ ଗଡୁଛି। ଯଦି କଂଗ୍ରେସ ସରକାର ଶାସନରେ ଥା’ନ୍ତା, ଏଭଳି ଆମ ଯବାନଙ୍କ ଜୀବନ ଯାଉ ନଥାନ୍ତା। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ସବୁବେଳେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ ବୋଲି ଶ୍ରୀ ଆୟାର କହିଛନ୍ତି।

ନିକଟରେ ପାକିସ୍ତାନରେ ଯେତେବେଳେ ନିର୍ବାଚନ ପ୍ରଚାର ହୋଇଥିଲା, ସେତେବେଳେ ସେମାନେ ଭାରତ ସଂକ୍ରାନ୍ତରେ କେହି ପଦଟିଏ ବି କହିନଥିଲେ। ନିଜନିଜ ଭିତରେ ଥିବା ଦୋଷତ୍ରୁଟିକୁ ବଖାଣୁଥିଲେ ବି, ଭାରତକୁ ବଦନାମ୍‌ କରାଯାଇନଥିଲା। କିନ୍ତୁ ଆମ ଦେଶରେ ନିର୍ବାଚନ ପ୍ରଚାର ବେଳ ଆସିଗଲେ ପାକିସ୍ତାନ ବିଷୟକୁ ପ୍ରଧାନ୍ୟ ଦିଆଯାଉଛି। ତେଣୁ ଏସବୁକୁ ଦେଖିଲେ ଉଭୟ ଦେଶ ଶାନ୍ତିପ୍ରିୟ ଭଳି ମନେ ହେଉଥିବା ସେ କହିଛନ୍ତି। ଆଲୋଚନା ଶେଷରେ ଶ୍ରୀ ଆୟାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର