ମାଲକାନାଗିରି : ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଉଦଘାଟନର ଦୁଇଦିନ ପରେ ମାଓବାଦୀମାନେ ପ୍ରଜାମେଳି କରି ପୁଲିସ ଓ ପ୍ରଶାସନକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରି ମାଓବାଦୀମାନେ ଏହି ସେତୁକୁ ବିରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ସରକାର ସ୍ୱାଭିମାନ ଅଂଚଳର ବିକାଶ ପାଇଁ ନୁହେଁ ବରଂ ଖଣି ଲୁଟିବାକୁ ଗୁରୁପ୍ରିୟା ଗଢିଛନ୍ତି। ଗୁରୁପ୍ରିୟାକୁ ମାଓବାଦୀଙ୍କ ବିରୋଧ ପରେ ସେତୁ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜୋରଦାର ହୋଇଛି କମ୍ବିଂ।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରିର ରାଲଗେଡାର କୋରକୋଣ୍ଡା ଅଞ୍ଚଳରେ ପ୍ରଜାମେଳି କରିଛି ଲାଲବାହୀନି। ଏଥିରେ ବିଭିନ୍ନ ଗ୍ରାମରୁ ହଜାର ହଜାର ମହିଳା ଓ ପୁରୁଷ ନବନିର୍ମିତ ସହିଦ ସ୍ତମ୍ଭ ନିକଟରେ ଏକତ୍ରିତ ହୋଇ ନିହତ ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଡାକରାରେ ଶହ ଶହ ଗ୍ରାମବାସୀ ସାମିଲ ହୋଇଥିଲେ ପ୍ରଜାମେଳିରେ। ଯେଉଁଥିରେ ସରକାରଙ୍କ ଗୁରୁପ୍ରିୟା ସେତୁ ନିର୍ମାଣକୁ ବିରୋଧ କରାଯାଇଛି। ଆଦିବାସୀଙ୍କ ବିକାଶ ପାଇଁ ନୁହେଁ ବରଂ ଖଣି ଖଦାନ ଲୁଟ୍ ପାଇଁ ସରକାର ଗୁରୁପ୍ରିୟା ଗଢିଛନ୍ତି ବୋଲି କହିଛନ୍ତି ମାଓ ନେତା।
ବିଚ୍ଛିନ୍ନାଂଚଳରୁ ସ୍ୱାଭିମାନ ଅଞ୍ଚଳ। ଆଦିବାସୀ ଇଲାକାର ୧୫୧ଟି ଗାଁକୁ ଯୋଡିଛି ସଂପର୍କର ସେତୁ ଗୁରୁପ୍ରିୟା। ଅପହଞ୍ଚ ଇଲାକାରେ ପହଁଚିଛି ପ୍ରଶାସନ। ହେଲେ ଆଦିବାସୀଙ୍କ ବିକାଶର ଏହି ସେତୁକୁ ବିରୋଧ କରିଛନ୍ତି ନକ୍ସଲ। ତେବେ ମାଓବାଦୀଙ୍କ ଏଭଳି ବିରୋଧ ପଛରେ ରହିଛି ସରକାରଙ୍କ ମାଓ ବିରୋଧୀ ଗ୍ରୀନହଂଟ୍ ଅପରେସନର ଭୟ।