ବଦନାମ ମୁଣ୍ଡାଇଲା କୋରାପୁଟ : ଅଧା ପିଲା ଫେଲ୍‌, ପାସ ହାର‌ରେ ତଳଆଡୁ ପ୍ରଥମ

କୋରାପୁଟ : କିଛି ବର୍ଷ ହେଲା ମାଟ୍ରିକ ପରୀକ୍ଷାରେ ଭଲ କରି ଆସୁଥିଲା କୋରାପୁଟ। ପଛୁଆ ଅଂଚଳରେ ଆଗୁଆ ପିଲା ଭାବେ ଗୌରବ ମୁଣ୍ଡାଉଥିଲେ ଏଠାକାର ଛାତ୍ରଛାତ୍ରୀ। ଜିଲ୍ଲାର ପାସ ହାର ରାଜ୍ୟର ହାର ସହ ପାଖାପାଖି ରହୁଥିଲା। ଏପରିକି ୨୦୧୬ରେ ପାଖାପାଖି ୯୫ ପ୍ରତିଶତ ପିଲା ଏଠାରୁ ପାସ କରି ରାଜ୍ୟବାସୀଙ୍କୁ ଚମକାଇ ଦେଇଥିଲେ। ଏଥର କିନ୍ତୁ ସ୍ଥିତି ବଦଳି ଯାଇଛି। ପାସ ହାର ଅତି ଦୟନୀୟ ଭାବେ କମି ଯାଇଛି। ଏତେ କମିଛି ଯେ, ରାଜ୍ୟର ସବୁଠାରୁ ତଳେ ରହିଛି କୋରାପୁଟ। ପୁଣି ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ଭାବେ କମି ଯାଇଛି। ୩ ବର୍ଷ ତଳେ ଜିଲ୍ଲାର ଏ-୧ ଗ୍ରେଡରେ ୩୧ ଜଣ ଛାତ୍ରଛାତ୍ରୀ ରହିଥିଲା ବେଳେ ଏଥର ଅଛନ୍ତି ମାତ୍ର ୭ଜଣ।

ମାଧୢମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ରାଜ୍ୟରେ ୭୨.୩୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। କିନ୍ତୁ କୋରାପୁଟରେ ଏହି ପାସ ହାର ରହିଛି ମାତ୍ର ୫୦.୬୧। ଅର୍ଥାତ ପାଖାପାଖି ଅଧା ଛାତ୍ରଛାତ୍ରୀ କଲେଜ ବାରଣ୍ଡା ମାଡିବାକୁ ଅଯୋଗ୍ୟ ହୋଇଛନ୍ତି। ଏତେ କମ ପାସ ହ‌ାର ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବେଳେ ଶିକ୍ଷାବିତଙ୍କ ଚିନ୍ତାରେ ପକାଇ ଦେଇଛି। ଜିଲ୍ଲାରେ ଏମିତି କଦର୍ଯ୍ୟ ଫଳାଫଳ ବହୁ ଦିନ ହେଲା ହୋଇ ନ ଥିଲା। ଗତ ଦୁଇ ବର୍ଷରେ ଜିଲ୍ଲାର ସଫଳତା ଆଖି ଦୃଶିଆ ରହିଥିଲା। ଗତ ବର୍ଷ ଜିଲ୍ଲ‌ାରେ ପାସ ହାର ୭୦.୯୯ ରହିଥିଲା ବେଳେ ୨୦୧୭ରେ ପାସ ହାର ରହିଥିଲା ୯୨.୬୩ ପ୍ରତିଶତ। କୋରାପୁଟ ଜିଲ୍ଲାରେ ୨୦୧୭ରେ ୧୩,୫୪୦ଜ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲା ବେଳେ ସେଥିରୁ ୯୨.୬୩ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏମାନଙ୍କ ମଧୢରୁ ଏ-୧ ଗ୍ରେଡରେ ୧୬ଜଣ, ଏ-୨ରେ ୩୨୭ଜଣ, ବି-୧ରେ ୧୨୮୫ଜଣ, ବି-୨ରେ ୨୮୪୪, ସି ରେ ୩୭୨୦, ଡିରେ ୩୧୫୨ ଓ ଇ ଗ୍ରେଡ୍‌ରେ ୧୧୭୨ଜଣ ପାସ୍‌ କରିଥିଲେ। ସେହିପରି ୨୦୧୬ମସିହାରେ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳରେ କୋରାପୁଟ ଜିଲ୍ଲାରେ ପାସ୍‌ ହାର ୯୪.୪୭ରହିଥିଲା। ଜିଲ୍ଲାରେ ୩୧ଜଣ ଏ-୧, ୩୦୭ଜଣ ଏ-୨, ୧୩୬୬ଜଣ ବି-୧ ଓ ୩୩୨୧ଜଣ ବି-୨ ଗ୍ରେଡ ପାଇଥିଲେ। ଲଗାତାର ଦୁଇ ବର୍ଷ ଧରି ଜିଲ୍ଲାରେ ପାସ ହାର ୯୦ପ୍ରତିଶତରୁ ଅଧିକ ରହିଥିଲା ବେଳେ ୨୦୧୮ରେ ଏହା ତଳକୁ ଖସି ଆସିଥିଲା। ଗତ ବର୍ଷ ଜିଲ୍ଲାରେ ୧୩,୭୩୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲା ବେଳେ ସେଥିରୁ ୭୦.୯୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିଲେ। ଏହି ସଫଳ ଛାତ୍ରଛାତ୍ରୀଙ୍କ ଭିତରୁ ଏ-୧ରେ ୧୨ଜଣ, ଏ-୨ରେ ୧୨୦ଜଣ, ବି-୧ରେ ୩୭୦ଜଣ, ବି-୨ରେ ୧୦୭୭, ସି ରେ ୨୧୮୫, ଡିରେ ୩୪୧୪ ଓ ଇ ଗ୍ରେଡ୍‌ରେ ୨୫୩୧ଜଣ ପାସ୍‌ କରିଥିଲେ। ୩୯୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇଥିଲେ।

ଉ‌ପରୋକ୍ତ ପରିସଂଖ୍ୟାନକୁ ଦେଖିଲେ ଜିଲ୍ଲାରେ ପାସ ହାର ଚିନ୍ତାଜନକ ଭାବେ କମି ଯାଇଥିବା ସ୍ପଷ୍ଟ ହୋଇଛି। ୨୦୧୬ରେ ପାଖାପାଖି ୯୫ ପ୍ରତିଶତ ପିଲା ପାସ କରିଥିଲା ବେଳେ ଏବେ ଏହା ୫୦ ପ୍ରତିଶତକୁ ଖସି ଆସିଛି। ‌ସେହିପରି ଏ-୧ ତାଲିକାରେ ଜିଲ୍ଲାର ପ୍ରତିନିଧିତ୍ବ କମୁଛି। ୨୦୧୬ରେ ୩୧ ଜଣ ଏ-୧ ଗ୍ରେଡ ପାଇଥିଲା ବେଳେ ୨୦୧୭ରେ ୧୬, ୨୦୧୮ରେ ୧୨ ଓ ଚଳିତବର୍ଷ ୭ ଜଣ ଏ-୧ ଗ୍ରେଡ ପାଇଛନ୍ତି। ଜିଲ୍ଲା‌ରେ ପାସ ହାର କମିବା ଓ ମେଧାବୀ ସଂଖ୍ୟା ହ୍ରାସ ହେବା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି। ତେବେ ଏଥିନେଇ ଜିଲ୍ଲା ଶିକ୍ଷା ଅଧିକା‌ରୀ ଡ. ପ୍ରମୋଦ କୁମ‌ାର ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ, ପରୀକ୍ଷା ଫଳର ସମୀକ୍ଷା କରାଯିବ। ଯେଉଁ ବିଦ୍ୟ‌ାଳୟ ଗୁଡିକରେ ଫଳ ଖରାପ ହୋଇଛି ଏବଂ ଯେଉଁଠାରେ ଶିକ୍ଷକମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ଆସନ୍ତା ବର୍ଷଠାରୁ ପରୀକ୍ଷା ଫଳ ଭଲ କରିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯିବ। ଶିକ୍ଷାବିତ, ଶିକ୍ଷକ ଓ ଶିକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର