ମୟୂରଭଞ୍ଜର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଫେରିପାଇବେ ଟଙ୍କା

୩୮୩ କ୍ଷୁଦ୍ର ଜମାକାରୀ ଚିହ୍ନଟ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଆସିଛି

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନେ ଖୁବ୍‌ଶୀଘ୍ର ସେମାନଙ୍କର ଟଙ୍କା ଫେରି ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ କ୍ଷୁଦ୍ର ଜମାକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟଙ୍କା ଫେରାଇ ଦିଆଯିବ ବୋଲି ପ୍ରଶାସନ ଜଣାଇଛି। ଜିଲ୍ଲାରେ ମୋଟ ୩୮୩ ଜଣ କ୍ଷୁଦ୍ର ଜମାକାରୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। କ୍ଷୁଦ୍ର ଜମାକାରୀଙ୍କ ସମ୍ପର୍କରେ ଚୂଡାନ୍ତ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ପଠାଇବାକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କର ଟଙ୍କା ଫେରେଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଆସିଛି ବୋଲି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜମାକାରୀମାନେ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କୁ ସେମାନଙ୍କ ଜମା ତଥ୍ୟ ପ୍ରଦାନ କରିବେ। ଜମାକାରୀମାନେ ନିଜର ସମସ୍ତ କାଗଜପତ୍ର ଏବଂ ବଣ୍ଡ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ଜରିଆରେ ଉପସ୍ଥାପନ କରି ନିଜ ନିଜର ଜମା ଟଙ୍କା ଫେରସ୍ତ ପାଇପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାରେ ରୋଜ୍‌ ଭ୍ୟାଲି, ଗ୍ରୀନ୍‌ ରେ, ନବ ଦିଗନ୍ତ, ସିସୋର୍‌ ଭଳି ଚିଟ୍‌ଫଣ୍ଡ ସଂସ୍ଥାରେ ବହୁ ସଂଖ୍ୟାରେ ସାଧାରଣ ଲୋକ ଟଙ୍କା ଜମା କରିଥିଲେ। ମାତ୍ର ସେମାନଙ୍କ ଟଙ୍କା ଫେରସ୍ତ ପାଇବା ଆଶା ମଉଳି ଯାଇଥିଲା। ଏହାକୁ ନେଇ ବହୁ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ହେବା ପରେ ଶେଷରେ ସରକାର ପ୍ରାଥମିକ ପର୍ଯ୍ୟାୟରେ କ୍ଷୁଦ୍ର ଜମାକାରୀମାନଙ୍କୁ ଟଙ୍କା ଫେରାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର