ଅବସରକାଳୀନ ଭତ୍ତା ଦାବିରେ ଓ୍ଵାର୍ଡ, ପଞ୍ଚାୟତ ଓ ଜିଲ୍ଲା ପରିଷଦ ସଭ୍ୟ ସଂଘର ବୈଠକ

ଭୁବନେଶ୍ୱର : ଅବସରକାଳୀନ ଭତ୍ତା ଦାବିରେ ଓ୍ଵାର୍ଡ ମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମେମ୍ବର୍ସ ସଂଘର ଏକ ବୈଠକ ୟୁନିଟ୍‌-୯  ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଓ୍ଵାର୍ଡ, ପଞ୍ଚାୟତ ଓ ଜିଲ୍ଲା ପରିଷଦ ପ୍ରତିନିଧିମାନଙ୍କ ଅବସରକାଳୀନ ଭତ୍ତା ସର୍ବନିମ୍ନ ୫ହଜାର ଟଙ୍କା ପ୍ରଦାନ କରିବା ପାଇଁ ସଂଘ ଦାବି କରିଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟମାନଙ୍କରେ ଓ୍ଵାର୍ଡ ମେମ୍ବରଙ୍କ ମାସିିକ ଭତ୍ତା ୩ହଜାର ଟଙ୍କା, ନାଏବ ସରପଞ୍ଚଙ୍କ ୪ହଜାର ଟଙ୍କା, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟଙ୍କ ୫ହଜର  ଟଙ୍କା ଏବଂ  ଜିଲ୍ଲା ପରିଷଦ ସଭ୍ୟଙ୍କ ୧୦ ହଜର ଟଙ୍କା ମାସିକ ଭତ୍ତା ରହିଥିବା ବେଳେ ଓଡ଼ିଶାରେ ଯଥାକ୍ରମେ ମାସିକ ଭତ୍ତା ୨୪୦ ଟଙ୍କା, ୭୦୦ଟଙ୍କା, ୧୮୨୦ଟଙ୍କା, ୧୮୨୦ ଟଙ୍କା ଓ ୨୮୮୦ଟଙ୍କା ରହିଛି। ଯାହାକି ସବୁ ରାଜ୍ୟ ତୁଳନାରେ ସର୍ବନିମ୍ନ। ତେଣୁ ଅବସରକାଳୀନ ଭତ୍ତା ପାଇଁ ସଂଘର ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପଞ୍ଚାୟତ ସଚିବଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ବୋଲି ବୈଠକରେ ସ୍ଥିର କରାଯାଇଛି।  ସଂଘର ସଭାପତି ଫରୁଦ୍‌ ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ  ରାଜ୍ୟ ମୁଖ୍ୟ ସଂଯୋଜକ ସତ୍ୟନାରାୟଣ ଅଗ୍ରଓ୍ଵାଲ, ସାଧାରଣ ସମ୍ପାଦକ ନରସିଂହ କାମୁଡ଼ି, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାଏକ ପ୍ରମୁଖଙ୍କ ସମେତ ରାଜ୍ୟର ୨୦ଟି ଜିଲ୍ଲାରୁ ଆସିଥିବା ଓ୍ଵାର୍ଡ ମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର