ଓଡ଼ିଶାରେ ଗଡ଼ିବ ‘ମେମୁ’ ଟ୍ରେନ୍‌ : ଭଦ୍ରକରୁ ଯିବ ବ୍ରହ୍ମପୁୁର, ୪ଟି ଗ୍ର୍ରିନ୍‌ କରିଡର୍‌

ଭୁବନେଶ୍ୱର : ଓଡ଼ିଶାରେ ଗଡ଼ିବ ‘ମେମୁ’(ମେନ୍‌ଲାଇନ୍‌ ଇଞ୍ଜିନ୍‌ ମଲ୍ଟିପଲ୍‌ ୟୁନିଟ୍‌) ଟ୍ରେନ୍‌। ଭଦ୍ରକ ଓ ବ୍ରହ୍ମପୁର ମଧ୍ୟରେ ଏହି ଟ୍ରେନ୍‌ ଚାଲିବ। ଟ୍ରେନ୍‌ର ଉଭୟ ପାର୍ଶ୍ୱରେ ଇଞ୍ଜିନ୍‌ ରହିଛି। ତେଣୁ ଇଞ୍ଜିନ୍‌ ବଦଳାଇବାକୁ ପଡ଼ିବ ନାହିଁ। ଦ୍ରୁତ ଗତିରେ ଚାଲିବାକୁ ଥିବା ଏହି ଟ୍ରେନ୍‌ ଦ୍ୱାରା ଯାତ୍ରୀମାନେ କମ୍‌ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ। ‘ମେମୁ’ ଟ୍ରେନ୍‌ରେ ତିନୋଟି ରାକ୍ସ, ପ୍ରତି ରାକ୍ସରେ ୧୨ଟି କୋଚ୍‌ ଓ ପ୍ରତି କୋଚ୍‌ରେ ତିନୋଟି ୟୁନିଟ୍‌ ରହିଛି। ୧୨ କୋଚ ବିଶିଷ୍ଟ ରାକ୍ସରେ ୧୩୨୦ଜଣ ଲୋକ ବସିପାରିବେ। ପ୍ରତି କୋଚ୍‌ରେ ୧୧୦ ଜଣ ଯାତ୍ରୀ ବସିପାରିବେ। କୋଚ୍‌ରେ ଛିଡ଼ା ହୋଇ ଯିବା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି। ପ୍ରତି କୋଚ୍‌ରେ ଦୁଇଟି ଲେଖାଏଁ ଟଏଲେଟ୍‌ ସୁବିଧା ରହିଥିବା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂ ସୂଚନା ଦେଇଛନ୍ତି।

ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ ସମସ୍ତ ରେଳ ଷ୍ଟେସନଗୁଡ଼ିକରେ ଥିବା ପ୍ଲାଟଫର୍ମର ତଳ ଭାଗକୁ କଂକ୍ରିଟ୍‌ କରାଯିବ। କୌଣସି ପ୍ଲାଟଫର୍ମରେ ମାଟି ଦେଖାଯିବ ନାହିଁ। ପାଣି ଜମିବ ନାହିଁ। ସେହିପରି ରାଜ୍ୟରେ ୪ଟି ଗ୍ରିନ୍‌ କଡିକର୍‌ ସେକ୍ସନ କରାଯିବ। ଏଥିରେ କଟକରୁ ପାରାଦ୍ୱୀପ, ଜଖପୁରାରୁ ନୟାଗଡ଼, ଖୋର୍ଧାରୋଡ୍‌ରୁ ନୟାଗଡ଼ ଟାଉନ୍‌ ଓ କୋଟାଭାଲସାରୁ କୋରାପୁଟକୁ କରିଡରରେ ସାମିଲ ହୋଇଛି। ୨୦୧୮ ଜୁନ୍‌ ସୁଦ୍ଧା ଅର୍ଥାତ୍‌ ରଥଯାତ୍ରା ପୂର୍ବରୁ ଭୁବନେଶ୍ୱର ଓ ଭଦ୍ରକ ରେଳଷ୍ଟେସନ୍‌ରେ ୬ ମିଟର ଓସାର ବିଶିଷ୍ଟ ଫୁଟ୍‌ ଓଭରବ୍ରିଜ୍‌ କାର୍ଯ୍ୟକ୍ଷମ ହେବ। କଟକ ଓ ଭିଜୟନଗରମ୍‌ରେ ମଧ୍ୟ କରିବାକୁ ପ୍ରସ୍ତାବ ମଞ୍ଜୁର ହୋଇଛି।

ପୂର୍ବତଟ ରେଳପଥ ଅଧୀନରେ ଇତି ମଧ୍ୟରେ ୭୫ କି.ମି. ରେଳ ଲାଇନ୍‌ର ଦୋହରୀକରଣ ଶେଷ ହୋଇଛି। ୧୭ କି.ମି. ନୂଆ ରେଳ ଲାଇନ୍‌, ୮ଟି ଆରଓବି, ୧୬ଟି ଆରୟୁବି କାର୍ଯ୍ୟ କରାଯାଇଛି। ୩୨ଟି ଇଲେକ୍‌ଟ୍ରୋନିକ୍ସ ଇଣ୍ଟରଲକିଂ, ୨ ପ୍ୟାନେଲ୍‌ ଇଣ୍ଟରଲକିଂ, ୧୮ ଏଲ୍‌ସି ଗେଟ୍‌ ଇଣ୍ଟରଲକିଂ, ୭ଟି ଆଇବିଏସ୍‌, ୩ଟି ଲଙ୍ଗ୍‌ ହଲ୍‌ ଲପ୍ସ, ୧୦.୫ ଆରକେଏମ୍‌ରେ ସ୍ୱୟଂଚାଳିତ ସିଗନାଲିଂ ବ୍ୟବସ୍ଥା କରାଯାଇଛି। ୧୧ଟି ସ୍ଥାନରେ ଓ୍ଵାଟର ଭେଣ୍ଡିଂ ମେସିନ୍‌ ଲାଗିଛି। ୬ଟି ଷ୍ଟେସନରେ ଟ୍ରେନ୍‌ ଇଣ୍ଡିକେସନ୍‌ ବୋର୍ଡ ଲଗାଯାଇଥିବା ବେଳେ ଢେଙ୍କାନାଳ, ଅନୁଗୁଳ, ଇଚ୍ଛାପୁରମ୍‌ ଓ ଛତ୍ରପୁରଠାରେ କୋଚ୍‌ ଇଣ୍ଡିକେସନ ବୋର୍ଡ, ୬ଟି ଷ୍ଟେସନରେ ଅଟୋମେଟିକ୍‌ ଆନାଉନ୍ସମେଣ୍ଟ ସିଷ୍ଟମ, ୧୪ଟି ଷ୍ଟେସନରେ ନୂଆ ଫୁଟ୍‌ ଓଭରବ୍ରିଜ୍‌ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଇଛି।

ଶ୍ରୀ ସିଂହଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ପୂର୍ବତଟ ରେଳପଥକୁ ୭ ହଜାର କୋଟି ଟଙ୍କା ମିଳିଛି। ଗତବର୍ଷ ପୂର୍ବତଟ ରେଳପଥକୁ ୫୨୦୦ କୋଟି ମିଳିଥିଲା। ସେଥିରୁ ୩୩୦୦ କୋଟି ଖର୍ଚ୍ଚ କରାଯାଇଛି। ସେହିପରି ଖୋର୍ଧା-ବଲାଙ୍ଗୀର ରେଳପଥ ମଧ୍ୟରେ ଥିବା ମହିପୁର-ନୂଆଗାଁ ୪ କି.ମି. ରେଳପଥ ଜଙ୍ଗଲ ଭିତରେ ପଡ଼ୁଥିବାରୁ ନିର୍ମାଣ ବିଳମ୍ବ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ ୪ ବର୍ଷ ହେଲା ଲଗାତାର ଭାବେ ୧୫୦ ମାଟ୍ରିକ ଟନ୍‌ରୁ ଅଧିକ ମାଲ୍‌ ପରିବହନ କରି ପୂର୍ବତଟ ରେଳପଥ ରେକର୍ଡ କରିଛି।

ସମ୍ବନ୍ଧିତ ଖବର