ତାମିଲନାଡୁରେ ଦାଦନ ଶ୍ରମିକ ମୃତ୍ୟୁ ଘଟଣା: ୭ ଦିନ ପରେ ପହଞ୍ଚିଲା ଶବ, ଗାଁରେ ଶୋକାକୁଳ ପରିବେଶ

ଲାଞ୍ଜିଗଡ଼ : ଦାଦନ ଖଟିବାକୁ ଯାଇ ତାମିଲନାଡ଼ୁରେ ପ୍ରାଣ ହରାଇଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବେନଗାଁ ପଞ୍ଚାୟତ ଘୋଡ଼ାପୋଖରୀ ଗାଁର କୁମୁଟି ଜାଲ (୪୦)ଙ୍କ ଶବ ସାତଦିନ ପରେ ଶୁକ୍ରବାର ଗାଁରେ ପହଞ୍ଚିଛି। ଶବ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଗାଁ ମଶାଣିରେ ସତ୍କାର କରାଯାଇଥିଲା।

ପ୍ରକାଶ ଯେ, ଗାଁର ଅନ୍ୟ ଯୁବକମାନଙ୍କ ସହିତ ୩ମାସ ପୂର୍ବ‌େ କୁମୁଟି କେରଳ ରାଜ୍ୟକୁ କାମ କରିବାକୁ ଯାଇଥିଲେ। ସେଠାରୁ ଗତ ୧୬ ଦିନ ତଳେ ଆସି ତାମିଲନାଡୁ ରାଜ୍ୟର ଇରୋଡ଼ ଜିଲ୍ଲା କିଆପାରମତି ଅଞ୍ଚଳରେ ଥିବା ଗାଁର ଜଣେ ପିଲା ଦେବନ୍ତ ହରିଜନ ସହିତ ଯୋଗାଯୋଗ କରି ଦେବନ୍ତ କରୁଥିବା ଇଟାଭାଟିରେ କାମ କରୁଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ନିକଟସ୍ଥ ବଜାରକୁ ଯାଇଥିବା ସମୟରେ କାର୍‌ (ଟିଏନ୍ ୩୮ସିଟି ୦୯୫୧) ଧକ୍କାରେ ସେ ପ୍ରାଣ ହରାଇଥିଲେ। ତାମିଲନାଡୁରୁ ଶବ ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ ସମ୍ବଳ ନଥିବାରୁ ସେମାନେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କୁ ସାକ୍ଷାତ କରିଥିଲେ। ବିଡିଓ ଶ୍ରୀ ମିଶ୍ର  ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଯିବା ପାଇଁ କହିଥିଲେ। ପରିବାର ଲୋକ ଶ୍ରମ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ପ୍ରଶାସନର ସହାୟତାରେ ସେମାନେ ତାମିଲନାଡ଼ୁର ଶବ ଆଣିଥିଲେ।

ସମ୍ବନ୍ଧିତ ଖବର