ଚିନ୍ତା ବଢ଼ାଇଲାଣି ମାଟି ପ୍ରଦୂଷଣ

0 338

କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ମୟୂରଭଞ୍ଜରେ ଲୌହ ପ୍ରଦୂଷଣ ଉତ୍କଟ
ଚିନ୍ତାରେ କୋରାପୁଟ, ବଲାଙ୍ଗୀର, କଳାହଣ୍ଡିର ବକ୍ସାଇଟ୍‌ ପ୍ରଦୂଷଣ
ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ାର ମାଟି ପାଇଁ କୋଇଲା କାଳ

ଭୁବନେଶ୍ବର : ଖଣି ଖନନ ଓ ଶିଳ୍ପାୟନ ଏବେ ଓଡ଼ିଶାର ମାଟି ପାଇଁ ବିପଦ ସୃଷ୍ଟି କରିଛି। ଅନିୟନ୍ତ୍ରିତ ରାସାୟନିକ ସାର ପ୍ରୟୋଗ, ଖଣି ଖୋଳା ଓ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଯୋଗୁଁ କେବଳ ପାଣି ଓ ପବନ କାହିଁକି, ରାଜ୍ୟର ମାଟି ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ଏହାର ପ୍ରତିକାର କରା ନଗଲେ ଓଡ଼ିଶାର ମାଟି ଆଉ ଚାଷ ଉପଯୋଗୀ ହୋଇ ରହିବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓୟୁଏଟିର ବୈଜ୍ଞାନିକଙ୍କୁ ନେଇ କରାଯାଇଥିବା ଏକ ଗବେଷଣାର ତଥ୍ୟ ଅନୁସାରେ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ମୋଟ ୨୪,୧୪୯ ହେକ୍ଟର ପରିମିତ ଜମିରେ ୩,୫୬୭ ନିୟୁତ ମେଟ୍ରିକ୍‌ ଟନ୍‌ ଲୁହାପଥର ଗଛିତ ରହିଛି। ଏସବୁ ଅଞ୍ଚଳରେ ନିୟମିତ ଖଣିଜ ଖନନ କାରଣରୁ ଶତକଡ଼ା ୪୫ରୁ ୬୫ ପ୍ରତିଶତ ମାଟି ପ୍ରଦୂଷଣ ହେଉଛି। ଏସବୁ ଅଞ୍ଚଳର ମାଟିରେ ଲୁହାଗୁଣ୍ଡ ଜମିଯିବା ଫଳରେ ମାଟି ପ୍ରଦୂଷିତ ହେବା ସାଙ୍ଗକୁ ଏଠାକାର ଫସଲ ଓ ପନିପରିବାରେ ବେଶି ମାତ୍ରାରେ ଲୁହାକଣିକା ଦେଖାଯାଉଛି। ଏସବୁ ଅଞ୍ଚଳର ଧାନ, ପନିପରିବା ଖାଇବା ଦ୍ବାରା ସ୍ଥାନୀୟ ଲୋକେ ନାନା ପ୍ରକାର ପେଟ ରୋଗର ଶିକାର ହେଉଛନ୍ତି ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି।

ସେହିଭଳି ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ମୋଟ ୯୧୫୨ ହେକ୍ଟର ପରିମିତ ଜମିରେ ବ୍ୟାପକ ମାତ୍ରାରେ ବକ୍ସାଇଟ୍‌ ଗଚ୍ଛିତ ରହିଛି। ଏସବୁ ଅଞ୍ଚଳରେ ବକ୍ସାଇଟ୍‌ ଖନନ ଫଳରେ ଏ ଅଞ୍ଚଳର ମାଟିରେ ଆଲୁମିନିୟମ,କ୍ରୋମିୟମ୍‌, କ୍ୟାଡ୍‌ମିୟମ୍‌ ଭଳି ହେଭି ମେଟାଲ୍‌ (ଭାରୀ ଧାତୁ)ର ମା‌ତ୍ରା ବୃଦ୍ଧି ପାଉଛି। ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଭଳି ଜିଲ୍ଲାରେ ମୋଟ ୯,୧୯୭ ହେକ୍ଟର ଜମିରେ ୧୮୩ ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଗଛିତ ରହିଛି। ଏସବୁ ଅଞ୍ଚଳରେ ଖଣି ଯୋଗୁଁ କ୍ରୋମାଇଟ୍‌ ପ୍ରଦୂଷଣ ବୃଦ୍ଧି ପାଉଛି। ସେହିଭଳି କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, କୋରାପୁଟ, ମୟୂରଭଞ୍ଜ ଭଳି ଜିଲ୍ଲାମାନଙ୍କରେ ୧୦,୬୦୫ ହେକ୍ଟର ଜମିରେ ବ୍ୟାପକ ମାତ୍ରାରେ ମାଙ୍ଗାନିଜ୍‌ ଗଛିତ ରହିଛି। ଏସବୁ ଅଞ୍ଚଳରେ ଖଣିଜ ଖନନ କାରଣରୁ ମାଙ୍ଗାନିଜ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି। ‌ସୁନ୍ଦରଗଡ଼ ଜିଲ୍ଲାରେ ବହୁଳ ମାତ୍ରାରେ ଲିଡ୍ ଏବଂ ଯାଜପୁର, ଢେଙ୍କା‌ନାଳ ଜିଲ୍ଲାରେ ନିକେଲ୍‌ ଧାତୁ ରହିଥିବାରୁ ଏସବୁ ଅଞ୍ଚଳର ମାଟି ହେଭି ମେଟାଲ୍‌ ଦ୍ବାରା ପ୍ରଦୂଷିତ।
ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାର ମୋଟ ୧୧,୭୨୬ ହେକ୍ଟର ଅଞ୍ଚଳରେ କୋଇଲା ମହଜୁଦ ରହିଛି। ଏସବୁ ଅଞ୍ଚଳରେ ନିୟମିତ କୋଇଲା ଖନନ ଓ ପରିବହନ ଦ୍ବାରା ମାଟି ବିଷାକ୍ତ ହୋଇପଡ଼ିଛି। କୋଇଲାବହୁଳ ଅଞ୍ଚଳ‌ର ମାଟି ବିଶେଷକରି ଜିଙ୍କ୍‌, କାଡ୍‌ମିୟମ, ଲିଡ୍‌, ନିକେଲ୍‌ ଭଳି ଭାରୀ ଧାତୁ ଦ୍ବାରା ପ୍ରଦୂଷିତ ହୋଇପଡ଼ିଛି।

ଓୟୁଏଟିର ଗବେଷକମାନଙ୍କୁ ନେଇ କରାଯାଇଥିବା ଗବେଷଣାର ତଥ୍ୟ ଅନୁସାରେ, କୋରାପୁଟ ଓ ଅନୁଗୁଳରେ ଥିବା ଆଲୁମିନିୟମ୍‌ କାରଖାନାରୁ ନିର୍ଗତ ଲାଲ୍‌ ମାଟି ଓ କର୍ଦମ ମାଟିରେ ମିଶିବା ଫଳରେ ମାଟିର କ୍ଷାରୀୟ ଗୁଣ ବୃଦ୍ଧି ପାଉଛି। ଏହା ଯୋଗୁଁ ଏ ଅଞ୍ଚଳର ମାଟି ଦିନକୁ ଦିନ ବନ୍ଧ୍ୟା ହୋଇପଡୁଛି। ଅନୁଗୁଳ ଜିଲ୍ଲାର ଆଲୁମିନା କାରଖାନାରୁ ନିର୍ଗତ ଫ୍ଲୋରାଇଡ ମାଟିରେ ମିଶିବା ଫଳରେ ମାଟି ଏତେମାତ୍ରାରେ ବିଷାକ୍ତ ହୋଇଛି, ଏ ଅଞ୍ଚଳରେ ଗଛ ବଞ୍ଚିବା ସମ୍ଭବପର ହୋଇପାରୁନି। କାରଖାନାରୁ ନିର୍ଗତ ଫ୍ଲୋରାଇଡ ଯୋଗୁଁ ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଏହା ଫଳରେ ଏ ଅଞ୍ଚଳର କୃଷିକାର୍ଯ୍ୟ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି। ସେହିଭଳି ତାଳଚେର, କଣିହାଁ, ଝାରସୁଗୁଡ଼ା,ଦାମନଯୋଡ଼ିର ଥର୍ମାଲ୍‌ ପ୍ଲାଣ୍ଟ ପାଇଁ ବ୍ୟବହୃତ କୋଇଲାରୁ ଦୈନିକ ୩,୬୦୦ ଟନ୍‌ ଫ୍ଲାଇ ଆଶ୍‌ ନିର୍ଗତ ହେଉଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଏହି ଫ୍ଲାଇ ଆଶ୍‌ ମାଟିରେ ମିଶିବା ଫଳରେ ମାଟିରେ ଆଇରନ୍‌, ମାଙ୍ଗାନିଜ୍‌, ଜିଙ୍କ୍‌, କପର, ଲିଡ୍‌, ନିକେଲ୍‌, କ୍ରୋମିୟମ୍‌, କୋବାଲ୍‌ଟ, ରେଡିଓ ଆକ୍ଟିଭ କଣିକାର ମାତ୍ରା ବୃଦ୍ଧି ପାଉଛି ଏବଂ ଏ ଅଞ୍ଚଳର ମାଟି ବିଷାକ୍ତ ହୋଇପଡ଼ୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.