ମିଳିଲାନି ଚାରି କାନ୍ଧ : ଟ୍ରଲିରେ ବୁହା‌େହଲା ନାବାଳକ ଶବ

ମୁନିଗୁଡା : ସ୍ବାମୀ ଆରପାରିକୁ ଚାଲିଯିବା ପରେ ଏକମାତ୍ର ପୁଅକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ପୁଅକୁ ବଡ ମଣିଷ କରିବା ପାଇଁ ମନ୍ଦିିର ପରିସର ସଫାସୁତୁରା କରୁଥିଲେ। କିନ୍ତୁ ଅପସ୍ମାର ରୋଗ‌େର ଆକ୍ରାନ୍ତ ଥିବା ପୁଅର ଆଜି ମୃତ୍ୟୁ ଘଟିଥିଲା। ଘରେ କେହି ପୁରୁଷ ଲୋକ ନଥିବାରୁ ପୁଅର ଶବ ବୋହିବାକୁ ମିଳିପାରିଲାନି ଚାରି କାନ୍ଧ। ଶେଷରେ ଅସହାୟ ମା’ ଟ୍ରଲି ଭଡ଼ା କରି ପୁଅର ଶବକୁ ଶ୍ମଶାନ ପଠାଇଥିଲେ। ପରେ ଶ୍ମଶାନରେ ନାବାଳକର ଶବ ପୋତି ଦିଆଯାଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମାରେ।

ନିଜର ଘର ନଥିବାରୁ ଶକୁନ୍ତଳା ମହାରଣା ସ୍ବାମୀ କୁମ୍ଭ ଓ ଏକମାତ୍ର ପୁଅ ପିଣ୍ଟୁକୁ ନେଇ ମୁନିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ। ଜଗନ୍ନାଥ ମନ୍ଦିର ସମେତ ଅନ୍ୟ କିଛି ମନ୍ଦିର ପରିସର ସଫେଇ କରିବା ପରେ ଯାହା କିଛି ମିଳୁଥିଲା ସେତିକିରେ ଶକୁନ୍ତଳା ପରିବାର ଚଳାଉଥିଲେ। କିଛି ବର୍ଷ ତଳେ ସ୍ବାମୀଙ୍କୁ ହରାଇବା ପରେ ପିଣ୍ଟୁ(୧୨କୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ଶକୁନ୍ତଳା। କିନ୍ତୁ କିଛି ଦିନ ତଳେ ପିଣ୍ଟୁ ଅପସ୍ମାର ରୋଗରେ ଆକ୍ରାନ୍ତ ହେବାରୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ଔଷଧ ଦିଆଯିବା ପରେ ପିଣ୍ଟୁକୁ ଘରକୁ ନେଇ ଆସିଥିଲେ ଶକୁନ୍ତଳା। କିନ୍ତୁ ଆଜି ପିଣ୍ଟୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏକମାତ୍ର ପୁଅକୁ ହରାଇବା ପରେ ଶକୁନ୍ତଳା ସଂପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଥିଲେ। ପରିବାରରେ କେହି ପୁରୁଷ ଲୋକ ନଥିବାରୁ ପିଣ୍ଟୁଙ୍କ ଶବ ବୋହିବାକୁ ଚାରି କାନ୍ଧ ମିଳିପାରିନଥିଲା। ତେଣୁ ବାଧ୍ୟ ହୋଇ ଶକୁନ୍ତଳା ଠେଲା ଗାଡି ଭଡ଼ା କରି ପୁଅର ଶବକୁ ଶ୍ମଶାନ ପଠାଇଥିଲେ। ଶେଷରେ ଶ୍ମଶାନରେ ଗାତ ଖୋଳି ପିଣ୍ଟୁଙ୍କ ଶବ ପୋତି ଦିଆଯାଇଥିଲା। ଅନ୍ୟପଟେ ଠେଲା ଗାଡ଼ିରେ ନାବାଳକର ଶବ ନିଆଯିବା ଦୃଶ୍ୟ ଜନମାନସକୁ ଆନ୍ଦୋଳିତ କରିଛି।

ସମ୍ବନ୍ଧିତ ଖବର