‘ମୋ ସ୍କୁଲ’ ଯୋଜନା : ସପ୍ତମ ପର୍ଯ୍ୟାୟରେ ୧୩୯୮ ସ୍କୁଲ ସାମିଲ

୨୬ରୁ ଜିଲ୍ଲା, ବ୍ଲକ ଓ ସ୍କୁଲସ୍ତରରେ ପୁରାତନ ଛାତ୍ରଙ୍କୁ ନେଇ ବନ୍ଧୁମିଳନ, ଶହେ ବିଦ୍ୟାର୍ଥୀଙ୍କୁ ନେଇ ହେବ ପ୍ରାମାଣିକ ଚିତ୍ର

ଭୁବନେଶ୍ବର : ‘ମୋ ସ୍କୁଲ’ ଯୋଜନାର ସପ୍ତମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୧୩୯୮ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ନିଷ୍ପତ୍ତି ହୋଇଛି। ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲା ଏହି ପର୍ଯ୍ୟାୟରେ ସାମିଲ ହୋଇଛନ୍ତି। ଉକ୍ତ ଜିଲ୍ଲାଗୁଡ଼ିକରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ୯ କୋଟି ୧୬ ଲକ୍ଷ ୨୫ ହଜାରରୁ ଅଧିକ ଅର୍ଥ ବ୍ୟୟ କରାଯିବ। ଏଥିରୁ ରାଜ୍ୟ ସରକାର ୬ କୋଟି ୧୧ ଲକ୍ଷ ୧୦ ହଜାର ଟଙ୍କା ଅନୁଦାନ ଦେଇଥିବା ବେଳେ ପୁରାତନ ଛାତ୍ରଙ୍କ ଠାରୁ ୩ କୋଟି ୫ ଲକ୍ଷ ୫୫ ହଜାର ଟଙ୍କା ସ˚ଗୃହୀତ ହୋଇଛି।

ବର୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ୮୦୪୪ ବିଦ୍ୟାଳୟ ସାମିଲ ହୋଇଛନ୍ତି। ସମୁଦାୟ ୬୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସ୍କୁଲର ଭିତ୍ତିଭୂମି, ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆସବାବପତ୍ର ଯୋଗାଣ, ସ୍କୁଲ ବଗିଚାର ଉନ୍ନତୀକରଣ ହୋଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ସପ୍ତମ ପର୍ଯ୍ୟାୟ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଜାନୁଆରି ୨୬ରୁ ଜିଲ୍ଲା, ବ୍ଲକ ଓ ସ୍କୁଲସ୍ତରରେ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇ ଏହି ଯୋଜନାର ବ୍ୟାପକ ପ୍ରଚାର ପ୍ରସାର କରାଯିବ। ଫଟୋ ପ୍ରଦର୍ଶନୀ, ସ୍ମୃତି ଶୋଭାଯାତ୍ରା ଓ ସା˚ସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଯୋଜନାର ପ୍ରଚାର ହେବ। ଏହି ଶୃଙ୍ଖଳାରେ ‘ମୋ ସ୍କୁଲ’ ପରି ଯୋଜନା, ପରାମର୍ଶଦାତା, ସଦସ୍ୟ ପ୍ରଫେସର ଯତୀନ୍‌ ନାୟକଙ୍କ ତତ୍ତ୍ବବଧାନରେ ରାଜ୍ୟ ଓ ରାଜ୍ୟ ବାହାରୁ ‘ମୋ ସ୍କୁଲ ପ୍ରକଳ୍ପରେ ସାମିଲ ହୋଇଥିବା ଶହେ ବିଦ୍ୟାର୍ଥୀଙ୍କୁ ନେଇ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ ପାଇଁ ପ୍ରସ୍ତାବ ରଖାଯାଇଛି।

ଅନ୍ୟ ଏକ ପ୍ରସ୍ତାବ ଅନୁଯାୟୀ ବକୁଳ ଫାଉଣ୍ତେସନ ଜାନୁଆରି ୨୭ରୁ ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ତି ଜିଲ୍ଲାର ୨୦ଟି ବିଦ୍ୟାଳୟରେ ଭ୍ରାମ୍ୟମାଣ ଯାନ ମାଧ୍ୟମରେ ଗଳ୍ପ କଥନ, ସାହିତ୍ୟ ଉତ୍ସବ ଓ ବୃତ୍ତଚିତ୍ର ପ୍ରଦର୍ଶନ କରିବ। ସେହିପରି ଶିକ୍ଷାନୁଷ୍ଠାନରେ ପାଠାଗାର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିବା ସଂପର୍କରେ ଓପେପା ପ୍ରକଳ୍ପ ନିର୍ଦେଶକ ତଥା ‘ମୋ ସ୍କୁଲ’ ଯୋଜନା ମୁଖ୍ୟ ନିର୍ବାହୀ ଭୂପେନ୍ଦ୍ର ସି˚ ପୁନିଆ ପ୍ରକାଶ କରିଛନ୍ତି। ବୈଠକରେ ପ୍ରାଥମିକ ଶିକ୍ଷା, ଏସ୍‌ସିଇଆରଟି ନିର୍ଦେଶକ, ଓପେପା ବିତ୍ତ ପରାମର୍ଶଦାତା, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପ୍ରତିନିଧି, ‘ମୋ ସ୍କୁଲ’ ଯୋଜନାର ସ୍ବତନ୍ତ୍ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର