ସଫଳତା ପାଇଁ ଦାରିଦ୍ର୍ୟ ବାଧା ନୁହେଁ: ମାଟି ଘରେ ରହି ଅତ୍ୟାଧୁନିକ ରୋବର୍ଟ ତିଆରିଲେ ଓଡ଼ିଆ ପୁଅ ନୀଳମାଧବ

ଆଜିକାଲି ଯେଉଁଭଳି ଭାବେ ଅପରାଧ ବୃଦ୍ଧି ପାଉଛି ସେଭଳି ସ୍ଥିତିରେ ଘରେ ବୃଦ୍ଧ ବାପା ଓ ମା’ଙ୍କୁ ଏକା ଛାଡିବା ପାଇଁ ଭୟ ଲାଗୁଛି। କାରଣ ଅପରାଧୀ ମାନେ ଘରେ ପଶି କେବଳ ଲୁଟତରାଜ କରୁଛନ୍ତି ତାହା ନୁହେଁ ଏଥିରେ ବାଧା ସୃଷ୍ଟି କଲେ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ମନେ କରନ୍ତୁ ଘରେ କେବଳ ବୃଦ୍ଧ ବାପା-ମା’ ଅଛନ୍ତି ଆଉ ଘରେ ଚୋର ପଶିଯିବେ, ସେଭଳି ସ୍ଥିତିରେ କେମିତି ଏହି ସମସ୍ୟାର ମୁକାବିଲା କରିବେ ବୃଦ୍ଧ ବାପା-ମା’। ବୟସ୍କଙ୍କୁ ଯଦି ଆପଣ ସମୟ ଦେଇ ପାରୁନାହାଁନ୍ତି, ତାହେଲେ ଆପଣ କ’ଣ କରିବେ। ଏହି ସବୁ ସମସ୍ୟାର ସମାଧାନ ଲକ୍ଷ୍ୟରେ ବାଲେଶ୍ୱର କାନପୁର ଯୁବ ବୈଜ୍ଞାନିକ ଉଦ୍ଭାବନ କରିଛନ୍ତି ଏମିତି ଏକ ରୋବଟ୍‌ ଯିଏ, ଏହି ସବୁ ସମସ୍ୟାର ମୁକାବିଲା କରିପାରିବ।

ମଣିଷର ଦୁଃଖ ବୁଝିବ ଯନ୍ତ୍ରମଣିଷ ! ଚୋର ଧରିବ, ଯତ୍ନ ବି ନେବ। ହଁ ଆଜ୍ଞା ଆମେ ସେହି ଯନ୍ତ୍ରମଣିଷ ବା ରୋବର୍ଟର କଥା କହୁଛୁ ଯିଏ ମଣିଷଙ୍କୁ ସୁରକ୍ଷା ଦେବ, ଦୁଃଖସୁଖରେ ସାଥୀ ହେବ। ଏଭଳି ଏକ ରୋବର୍ଟର ଉଦ୍ଭାବନ କରିଛନ୍ତି ବାଲେଶ୍ୱର ଜିଲ୍ଲା କାନପୁର ଗାଁର ୨୦ ବର୍ଷିୟ ଯୁବ ବୈଜ୍ଞାନ ନୀଳ ମାଧବ ବେହେରା। ଆଉ ତାଙ୍କ ନାଁ ଅନୁସାରେ ଏହି ରୋବର୍ଟର ନାଁ ରଖିଛନ୍ତି ରୋବ୍‌-ନୀଲ୍‌।

ନୀଳମାଧବ ଉଦ୍ଭାବନ କରିଥିବା ଏହି ରୋବର୍ଟରେ ଲାଗିଛି ମୋସନ୍‌ ସେନସର, ଡିସଟାନ୍‌ସ ସେନସର ଏବଂ ସାଉଣ୍ଡ ସେନସର ଭଳି ଉପାଦାନ। ଯାହା ଆଗନ୍ତୁକର ଗତିବିଧି, କଥାବାର୍ତା ଏବଂ ଦୂରତ୍ୱ ଦେଖି ସେମାନଙ୍କ ଆଗମନକୁ ପରଖି ପାରିବ। ଯାହା ଫଳରେ ମଣିଷ ଆଡକୁ ଆସୁଥିବା ବିପଦକୁ ସହଜ ସୂଚାଇ ଦେବ ଏହି ରୋବର୍ଟ।

ଘରେ ଏକୁଟିଆ ରହୁଥିବା ବୃଦ୍ଧବୃଦ୍ଧାକୁ ସହଯୋଗ କରିବା ସହ ସେମାନଙ୍କୁ ଯୋଗଇ ଦେଇପାରିବ ସୁରକ୍ଷା। ଦେଶର ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହି ରୋବର୍ଟକୁ ଭବିଷ୍ୟତରେ ଉପଯୋଗ କରିହେବ ବୋଲି କହିଛନ୍ତି ନୀଳମାଧବ। କାରଣ ଏହି ରୋବର୍ଟକୁ ଏଭଳି ଭାବେ ବିକଶିତ କରାଯାଇଛି ଯେ, ଏହା ସୀମାର ଗୋଟିଏ ପାଶ୍ୱେ ରହି ସାଟେଲାଇଟକୁ ଟ୍ରାକ କରିବା ସହ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିପାରିବ।

କୁଡ଼ିଆ ଘର, ମାଟିର ଚାରିକାନ୍ଥ ଭିତରେ ଏଭଳି ଏକ ଆବିଷ୍କାର କରିଛନ୍ତି ନୀଳମାଧବ। ଆର୍ଥିକ ଅନଟନ ଭିତରେ ନିଜର ସ୍ୱପ୍ନ ପୂରଣ କରିବାକୁ ଆଶା ରଖିଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ପରିବାର ଲୋକ ନୀଳମାଧବଙ୍କ ଏହି କୃତିତ୍ୱ ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସ୍ୱୀକୃତି। ଏମିତିକି ମୁଖ୍ୟମନ୍ତ୍ରୀ ମଧ୍ୟ ନୀଳମାଧବଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କିନ୍ତୁ ଆଗକୁ ସରକାରଙ୍କ ପୋତ୍ସାହନ ମିଳିଲେ ନିଜର ସ୍ୱପ୍ନ ପୂରଣ କରିବାକୁ ଆଶା ରଖିଛନ୍ତି ନୀଳମାଧବ।

ସମ୍ବନ୍ଧିତ ଖବର