ଶ୍ରୀମନ୍ଦିରରେ ଲାଗିବ ଆହୁରି ୨୩ଟି ସିସିଟିଭି କ୍ୟାମେରା, ସ୍ନାନପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ଯାଏଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ: ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି ବିଭିନ୍ନ ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିରକୁ ଆସୁଥିବା ଭକ୍ତମାନେ ଦାନ ଅର୍ଥ ସେବାୟତଙ୍କୁ ନଦେଇ ହୁଣ୍ଡିରେ ପକାଇବାକୁ ସୁପ୍ରିମ୍‌କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ତଦାରଖ କରିବା ଲାଗି ଶ୍ରୀମନ୍ଦିର ପରିସରରେ ଆଉ ୨୩ଟି ସିସିଟିଭି କ୍ୟାମେରା ଲାଗିବ ବୋଲି ନିଷ୍ପତ୍ତି ହୋଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶର ଅନୁପାଳନ ଲାଗି ଶ୍ରୀମନ୍ଦିର ପ୍ରଶାସକ ପକ୍ଷରୁ ମନ୍ଦିରର ୪ ଦ୍ୱାରରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଦାନ ଟଙ୍କା ହୁଣ୍ଡିରେ ପକାଇବା ନେଇ ବିଜ୍ଞପ୍ତି ଲଗାଯାଇଛି। ଏହି ନିୟମ କିଭଳି ପାଳନ କରାଯାଉଛି ତାହା ସିସିଟିଭି କ୍ୟାମେରା ମାଧ୍ୟମରେ ତହାରଖ କରାଯିବ।

ଏଥିସହ ପରିଚାଳନା କମିଟି ବୈଠକରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମାଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପର୍ବପର୍ବାଣୀର ନୀତି ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ଗୋବର୍ଦ୍ଧନ ପୀଠକୁ ତା’ର ଜମି ଫେରାଇବା ନେଇ ମଧ୍ୟ ଆଲୋଚନା ହୋଇଛି ବୈଠକରେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଚଳିତବର୍ଷ ମହାପ୍ରଭୁଙ୍କର ପ୍ରତିଟି ପର୍ବର ନୀତିକାନ୍ତି କିଭଳି ସୁଚାରୁ ରୂପେ ସଂପାଦିତ ହୋଇପାରିବ ସେ ନେଇ ଆଲୋଚନା ହୋଇଛି। ଗୋବର୍ଦ୍ଧନ ପୀଠକୁ ଜମି ଫେରାଇବା ନେଇ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ଜମି କିଭଳି ବ୍ୟବସ୍ଥାରେ ଫେରାଯିବ ତାହା ସ୍ଥିର ହେବ।  ସରକାର ଗଠନ କରିଥିବା ନ୍ୟାୟିକ କମିସନ୍‌ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ତଦନ୍ତ କରି ରିପୋର୍ଟ ଦେବା ପରେ ସେ ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର