ଫେବ୍ରୁ୍ଆରି ୧୫ ସୁଦ୍ଧା ଶେଷ ହେବ ଅନୁମୋଦିତ ମାନବ ସମ୍ବଳ ମନୋନୟନ

ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ କାର୍ଯ୍ୟକ୍ରମ ସମୀକ୍ଷା

ଭୁବନେଶ୍ବର : ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ କାର୍ଯ୍ୟକ୍ରମକୁ ବ୍ୟାପକ ଓ ଗୋଷ୍ଠୀସ୍ତରରେ ପହଞ୍ଚାଇବା ସହ ସହରାଞ୍ଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ଗୁଣାତ୍ମକ ବିକାଶ ଆଣିବା ପାଇଁ ଜିଲ୍ଲା ଓ ସହରାଞ୍ଚଳ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଆମ କ୍ଲିନିକ, ସନ୍ଧ୍ୟାରେ ବାହ୍ୟରୋଗୀ ସେବାର ଉପଯୋଗ, ସମସ୍ତ ସହରାଞ୍ଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସେବା ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ ହୋଇଛି। ଆସନ୍ତା ମାସ ୧୫ତାରିଖ ସୁଦ୍ଧା ସହରାଞ୍ଚଳର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପାଇଁ ଅନୁମୋଦିତ ମାନବ ସମ୍ବଳ ମନୋନୟନ କାର୍ଯ୍ୟ ଶେଷ କରିବାକୁ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ନିର୍ଦେଶ ଦେଇଛନ୍ତି।

ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀମତୀ ପଣ୍ଡିତ ସମୀକ୍ଷା କରିଛନ୍ତି। ରୋଗୀଙ୍କୁ ଚିକିତ୍ସା ସେବା ସହିତ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକର ମାନ ବୃଦ୍ଧି କରାଯାଇ କାୟାକଳ୍ପ ଓ ଜାତୀୟ ଗୁଣାତ୍ମକ ମାନ ନିର୍ଧାରଣ ହାସଲ କରିବା, ନିୟମିତ ପରିଦର୍ଶନ ଓ ମୂଲ୍ୟାୟନ, ମହିଷା ଆରୋଗ୍ୟ ସମିତିଗୁଡ଼ିକୁ ସକ୍ରିୟ କରିବା, ରୋଗୀ କଲ୍ୟାଣ ସମିତିର ଭାଗୀଦାରିତା ବଢ଼ାଇବା ସହିତ ପ୍ରତ୍ୟେକ ସହରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ସହରାଞ୍ଚଳରେ ଯକ୍ଷ୍ମା, ମ୍ୟାଲେରିଆ, କୁଷ୍ଠରୋଗର ନିରାକରଣ ଓ ଅଣସଂକ୍ରମିତ ରୋଗର ବ୍ୟାପକତାକୁ ରୋକିବା ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି। ବାୟୋମେଟ୍ରିକ ଉପସ୍ଥାନ, ଟିକାକରଣ ଓ ପୁଷ୍ଟି କାର୍ଯ୍ୟକ୍ରମକୁ ନିୟମିତ ତଦାରଖ କରିବାକୁ ପରାମର୍ଶ ଦିଆଯାଇଛି।

ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ହରପ୍ରସାଦ ପଟ୍ଟନାୟକ, ଯୁଗ୍ମ ନିର୍ଦେଶକ(ପ୍ରଶାସନ) ଅନୁଜ କୁମାର ଦାସପଟ୍ଟନାୟକ, ଅତିରିକ୍ତ ଶାସନ ନିର୍ଦେଶକ ମୃଣାଳକାନ୍ତି ଦାଶ ଓ ରାଜ୍ୟ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକ ସୁକାନ୍ତ କୁମାର ମିଶ୍ରଙ୍କ ସମେତ ଜିଲ୍ଲା ଓ ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ, ଜନସ୍ବାସ୍ଥ୍ୟ ଅଧିକାରୀ ଓ କାର୍ଯ୍ୟକ୍ରମ ପରିଚାଳକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର