୨୪୦ ପ୍ରାଣୀ ଚିକିତ୍ସକ ଓ ୩୯ ସହକାରୀ କୃଷି ଅଧିକାରୀଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ବର : ପ୍ରାଣୀ ସଂପଦର ଗୁଣାତ୍ମକ ମାନବୃଦ୍ଧି ମାଧ୍ୟମରେ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଭୂମିକା ସଂପର୍କିତ ଏକ କର୍ମଶାଳା ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୪୦ ଜଣ ପ୍ରାଣୀ ଚିକିତ୍ସକ ଓ ୩୯ ଜଣ ସହକାରୀ କୃଷି ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାର କୃଷି ଓ ଏହା ସହିତ ଜଡ଼ିତ ଥିବା କ୍ଷେତ୍ରର ବିକାଶ ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ବୈଷୟିକ ଓ ଅଣ ବୈଷୟିକ କ୍ଷେତ୍ରରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ୯୦ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ପଶୁ ସଂପଦର ବିକାଶ ଗୁରୁତ୍ବପୂର୍ଣ୍ଣ। ଦୁଗ୍ଧ, ଛେଳି, ମେଣ୍ଢା ଓ କୁକୁଡ଼ା ପାଳନ ଜରିଆରେ ଚାଷୀମାନେ ଲାଭବାନ ହୋଇପାରିବେ। ଗତ ୫ ବର୍ଷ ଭିତରେ ପଶୁ ସଂପଦ ବିଭାଗ ଜରିଆରେ ୭ ଲକ୍ଷ ଚାଷୀଙ୍କୁ ଗୋପାଳନ ‌କ୍ଷେତ୍ରରେ ସହାୟତା ଦିଆଯାଇଛି। ସେହିପରି ମତ୍ସ୍ୟ ବିଭାଗ ଜରିଆରେ ୧.୫ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ୭୫ ଲକ୍ଷ ଗୋମଇଁଷିଙ୍କୁ କୃତ୍ରିମ ପ୍ରଜନନ କରାଯାଇ ୧୪ଲକ୍ଷ ମାଈ ବାଛୁରୀ ସୃଷ୍ଟି କରାଯାଇଛି। ୨୦୧୭/୧୮ରେ ରାଜ୍ୟରେ ଦୈନିକ ୫୭ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି। ସେହିପରି ୨୦୧୪/୧୫ରେ ରାଜ୍ୟରେ ୫୨ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୨୦୧୭/୧୮ରେ ଏହା ବୃଦ୍ଧି ପାଇ ୫୭ ଲକ୍ଷରେ ପହଞ୍ଚିଛି। ୨୦୨୦ ମସିହା ସୁଦ୍ଧା ଅଣ୍ଡା ଉତ୍ପାଦନରେ ରାଜ୍ୟ ସ୍ବାବଲମ୍ବୀ ହେବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ମହାରଥୀ କହିଥିଲେ।

ଏହି ଅବସରରେ ପ୍ରାଣୀ ଚିକିତ୍ସକ ଓ ସହକାରୀ କୃଷି ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବା ସହିତ ଲୋଗୋ ଓ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି କର୍ମଶାଳାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍, କୃଷି ଉତ୍ପାଦନ କମିସନର୍‌ ଗଗନ କୁମାର ଧଳ, କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ସଚିବ ବିଶାଳ ଗଗନ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରାଣୀ ସଂପଦ ବିକାଶ ବିଭାଗର ନିର୍ଦେଶକ ରତ୍ନାକର ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର