ସାକାର ହେଲା ଦୁଇ ଦଶନ୍ଧିର ସ୍ୱପ୍ନ : ଭୀମ ଭୋଇ ମେଡିକାଲ କଲେଜ ଲୋକାର୍ପିତ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଉପକୃତ ହେବେ:ମୁଖ୍ୟମନ୍ତ୍ରୀ; ରାଜ୍ୟରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ:କେନ୍ଦ୍ରମନ୍ତ୍ରୀ

ବଲାଙ୍ଗୀର : ଦୁଇ ଦଶନ୍ଧିର ସ୍ୱପ୍ନ ପୂରଣ ହୋଇଛି। ବଲାଙ୍ଗୀରଠାରେ ଭୀମଭୋଇ ମେଡିକାଲ କଲେଜ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଛନ୍ତି।

ଲୋକର୍ପଣ ଅବସରରେ ମେଡିକାଲ କଲେଜ ପରିସରସ୍ଥ ଅଡିଟରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି। ଓଡ଼ିଶାର ୭୦ ଲକ୍ଷ ପରିବାର ଏହା ଦ୍ୱାରା ଉପକୃତ ହେବେ। ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିସହିତ, କଠୋର ପରିଶ୍ରମ କରି ଡାକ୍ତର ହେବା ସହିତ ଲୋକମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଯୋଗଦେଇ କହିଲେ ଯେ, ଭୀମ ଭୋଇ ମେଡିକାଲ କଲେଜରୁ ଛାତ୍ରଛାତ୍ରୀମାନେ ଡାକ୍ତର ହୋଇ ବାହାରିବେ। ସମାଜ ସେମାନଙ୍କ ପାଖରୁ ଅନେକ ଆଶା ରଖିଛି। କେବଳ ରୋଗର ଚିକିତ୍ସା କଲେ ହେବ ନାହିଁ। ବରଂ, ରୋଗୀର ମାନସିକତାକୁ ବୁଝି ମାନବିକତାର ସହ ଚିକିତ୍ସା କରିବା ଆବଶ୍ୟକ।

ଏଥିସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କହିବା ସହ ରାଜ୍ୟରେ ଆଉ ଏକ ମେଡିକାଲ କଲେଜ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଲେ, ରାଜ୍ୟରେ ପୂର୍ବରୁ ଡାକ୍ତର ଅଭାବ ଦେଖା ଦେଉଥିଲା। ୪୫୦ଟି ଡାକ୍ତରୀ ସିଟ୍‌ ଥିବା ବେଳେ ଏବେ ତାହା ୧୦୫୦ରେ ପହଞ୍ଚିଛି। ବଲାଙ୍ଗୀର ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୬୫କୋଟି ଟଙ୍କା ଯୋଗାଇ ଦେଇଥିବା ବେଳେ ରାଜ୍ୟ ସରକାର ୨୭ଏକର ଜମି ଦେଇଛନ୍ତି। ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୧୨୨କୋଟି ଟଙ୍କା। ଆଗାମୀ ଦିନରେ ହସ୍‌ପିଟାଲ ନିର୍ମାଣ ପାଇଁ ଅଧିକ ୧୩ ଏକର ଜମି ଯୋଗାଇ ଦେବାର ଯୋଜନା ରହିଛି। ଏଥିପାଇଁ ଖର୍ଚ୍ଚ ୯୫ କୋଟି ଟଙ୍କା କରାଯିବ ବୋଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା।

ରାଜ୍ୟ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର କହିଥିଲେ, ୧୯ ବର୍ଷ ତଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ପ୍ରଥମ କରି ମେଡିକାଲ କଲେଜର ଶୁଭାରମ୍ଭ ହୋଇଥିଲା। ଅନେକ ଅନିଶ୍ଚିତତା ଦେଇ ଗତି କରିବା ପରେ ମେଡିକାଲ କଲେଜ ଲୋକାର୍ପିତ ହୋଇଛି। ବଲାଙ୍ଗୀର ବିକାଶ ପାଇଁ ମେଡିକାଲ କଲେଜ ନିର୍ମାଣ ହେଉ କି ଏହାକୁ ଭୀମ ଭୋଇଙ୍କ ନାମରେ ନାମିତ କରିବା ପାଇଁ ହେଉ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ କେବେ ପଛଘୁଞ୍ଚା ଦେବି ନାହିଁ ବୋଲି କହିଥିଲେ ଶ୍ରୀ ମିଶ୍ର।

ମେଡିକାଲ କଲେଜ ବଲାଙ୍ଗୀରବାସୀଙ୍କର ସ୍ୱପ୍ନ ଥିଲା, ତେଣୁ ଏହାର ସମସ୍ତ ଶ୍ରେୟ ସେମାନଙ୍କ ପାଖକୁ ଯିବ ବୋଲି ସାଂସଦ କଳିକେଶ ନାରାୟଣ ସିଂହଦେଓ ତାଙ୍କ ବକ୍ତବ୍ୟରେ କହିଥିଲେ।

ଶୁକ୍ରବାର ମେଘୁଆ ପାଗ ଯୋଗୁଁ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସେ ଆସି ପହଞ୍ଚିବା ପରେ ମେଡିକାଲ କଲେଜ ପରିସରରେ ଥିବା ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ ସହ ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜର ଲୋକାର୍ପଣ କରିଥିଲେ। ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଲୋକାର୍ପଣ ଉତ୍ସବ ସଭାରେ ମେଡିକାଲ କଲେଜର ଡିନ୍‌ ଡା.ଲଲିତ ମେହେର ମେଡିକାଲ କଲେଜ ସଂପର୍କରେ ସୂଚନା ଦେଇଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ କରିଥିଲେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ କଲେଜର ଅଧ୍ୟକ୍ଷ ଡା. ନାରାୟଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର